ପାଟଣାଗଡ଼,୦୨/୦୯: ଘରେ ଥିବା ସମୟରେ ଦମ୍ପତିଙ୍କୁ ଦଳି ମାରିଦେଲା ହାତୀ । ମୃତ ଦମ୍ପତି ହେଉଛନ୍ତି ନୀଳାମ୍ବର ବରିହା ଏବଂ ତାଙ୍କ ପତ୍ନୀ ଯସୋବନ୍ତୀ । ଖପ୍ରାଖୋଲ ବ୍ଲକ ଅନ୍ତର୍ଗତ ଭାନପୁର ପଞ୍ଚାୟତର ଚାବିରିପାଲି ଗାଁରେ ଏହି ଅଘଟଣ ଘଟିଛି ।
ସୂଚନା ଅନୁଯାୟୀ, ନୀଳାମ୍ବର ବରିହା ପତ୍ନୀ ଯସୋବନ୍ତୀ ଓ ତାଙ୍କର ପୁଅବୋହୂଙ୍କ ସହ ନିଜ ବିଲରେ ଘର କରି ରହିଆସୁଥିଲେ । ରବିବାର ରାତିରେ ଏକ ଜଙ୍ଗଲୀ ହାତୀ ବିଲରେ ଥିବା ଘରକୁ ଭାଙ୍ଗି ଦେଇଥିଲା । ଏହି ସମୟରେ ନୀଳାମ୍ବର ଏବଂ ତାଙ୍କ ସ୍ତ୍ରୀଙ୍କୁ ହାତୀ ଆକ୍ରମଣ କରିଥିଲା । ଏହା ଦେଖି ପୁଅ ବୋହୁ ଭୟରେ ଗାଁକୁ ଯାଇ ସାହାଜ୍ୟ ପାଇଁ ଲୋକଙ୍କୁ ଡାକି ଆଣିଥିଲେ । ଏହି ସମୟ ମଧ୍ୟରେ ନୀଳାମ୍ବର ଓ ତାଙ୍କ ପତ୍ନୀ ଯସୋବନ୍ତୀଙ୍କୁ ହାତୀ ଦଳି ଚକଟି ମାରି ସାରିଥିଲା । ଏଥି ସହିତ ଘରେ ବର୍ଷକର ଯାହା ଖାଦ୍ୟ ଥିଲା, ତାହା ମଧ୍ୟ ହାତୀ ଖାଇ ଦେଇ ଥିଲା । ଏନେଇ ପୁଅ ବୋହୁ ପୋଲିସକୁ ଖବର ଦେଇଥିଲେ । ଖବର ପାଇ ଖପ୍ରାଖୋଲ ବାନାଞ୍ଚଳ ଅଧିକାରୀ, ଅଗ୍ନିଶମ ବାହୀନି ଓ ପୋଲିସ ଘଟଣା ସ୍ଥଳରେ ପହଞ୍ଚିଥିଲେ । ଘଟଣାସ୍ଥଳରେ ପହଞ୍ଚି ଦମ୍ପତିଙ୍କ ମୃତଦେହକୁ ଜବତ କରି ବ୍ୟବଛେଦ ପାଇଁ ପଠାଇଛି ପୋଲିସ । ତେବେ ମୃତକଙ୍କ ପରିବାରକୁ ସରକାରୀ ସାହାଯ୍ୟ ଯୋଗାଇ ଦେବା ପାଇଁ ହରିଶଙ୍କର ଫରେଷ୍ଟର ଅରବିନ୍ଦ ଧରୁଆ ସୂଚନା ଦେଇଛନ୍ତି।