ନୂଆଦିଲ୍ଲୀ: ୧୯୮୪ ଶିଖ୍ ବିରୋଧୀ ଦଙ୍ଗା ମାମଲାରେ ବୁଧବାର ଦିନ ରାଉଜ୍ ଆଭେନ୍ୟୁ କୋର୍ଟ ବରିଷ୍ଠ କଂଗ୍ରେସ ନେତା ସଜ୍ଜନ କୁମାରଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି । ଏହା ପୂର୍ବରୁ ଫେବ୍ରୁଆରୀ ୭ରେ ଦିଲ୍ଲୀର ଏକ କୋର୍ଟ ପୂର୍ବତନ କଂଗ୍ରେସ ସାଂସଦ ସଜ୍ଜନ କୁମାରଙ୍କ ବିରୁଦ୍ଧରେ ୧୯୮୪ ଶିଖ୍ ବିରୋଧୀ ଦଙ୍ଗା ମାମଲାରେ ରାୟ ସଂରକ୍ଷିତ ରଖିଥିଲେ। ଜାନୁଆରୀରେ ସରକାରୀ ପକ୍ଷ କିଛି ପ୍ରସଙ୍ଗ ଉପରେ ଅଧିକ ଯୁକ୍ତି ଉପସ୍ଥାପନ କରିବା ପାଇଁ ସମୟ ମାଗିବା ପରେ କୋର୍ଟ ରାୟକୁ ସ୍ଥଗିତ ରଖିଥିଲେ। ଏହି ମାମଲା ୧୯୮୪ ଶିଖ ବିରୋଧୀ ଦଙ୍ଗା ସମୟରେ ଦିଲ୍ଲୀର ସରସ୍ୱତୀ ବିହାରରେ ଦୁଇ ଜଣଙ୍କ ହତ୍ୟା ସହିତ ଜଡିତ । ନଭେମ୍ବର ୧, ୧୯୮୪ରେ ଜଶୱନ୍ତ ସିଂହ ଏବଂ ତାଙ୍କ ପୁଅ ତରୁଣଦୀପ ସିଂହଙ୍କ ହତ୍ୟା ସହିତ ଜଡିତ ମାମଲାରେ କୋର୍ଟ ସଜ୍ଜନ କୁମାରଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି । ଯଦିଓ ପଞ୍ଜାବୀ ବାଗ ପୋଲିସ ଷ୍ଟେସନ ପ୍ରଥମେ ମାମଲା ରୁଜୁ କରିଥିଲା କିନ୍ତୁ ପରେ ଏକ ସ୍ୱତନ୍ତ୍ର ଟିମ୍ ତଦନ୍ତ ଦାୟିତ୍ୱ ନେଇଥିଲା ।
ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ହତ୍ୟାର ପ୍ରତିଶୋଧ ନେବା ପାଇଁ ଅନେକ ଲୋକେ ମାରାତ୍ମକ ଅସ୍ତ୍ରଶସ୍ତ୍ରରେ ସଜ୍ଜିତ ହୋଇ ବଡ଼ ଧରଣର ଲୁଟପାଟ, ପୋଡ଼ାଜଳା ଏବଂ ଶିଖମାନଙ୍କ ସମ୍ପତ୍ତି ନଷ୍ଟ କରିଥିଲେ । ସେମାନେ ଅଭିଯୋଗକାରୀ ଯଶୱନ୍ତଙ୍କ ପତ୍ନୀଙ୍କ ଘର ଉପରେ ଆକ୍ରମଣ କରି ତାଙ୍କ ସ୍ୱାମୀ ଏବଂ ପୁଅଙ୍କୁ ହତ୍ୟା କରିଥିଲେ । ଜିନିଷପତ୍ର ଲୁଟି ନେଇଥିଲେ ଏବଂ ସେମାନଙ୍କ ଘରକୁ ନିଆଁ ଲଗାଇ ଦେଇଥିଲେ ବୋଲି ଅଭିଯୋଗ ହୋଇଥିଲା ।
ଏସ୍ଆଇଟି ଅଭିଯୋଗ କରିଛି ଯେ, ସଜ୍ଜନ କୁମାର ଭିଡ଼ର ନେତୃତ୍ୱ ନେଉଥିଲେ ଏବଂ ତାଙ୍କ ପ୍ରରୋଚନାରେ, ଭିଡ଼ ଦୁଇ ଜଣଙ୍କୁ ଜୀବନ୍ତ ଜାଳି ଦେଇଥିଲେ ଏବଂ ସେମାନଙ୍କ ଘରର ଜିନିଷପତ୍ର ଓ ଅନ୍ୟାନ୍ୟ ସମ୍ପତ୍ତିକୁ ମଧ୍ୟ କ୍ଷତି ପହଞ୍ଚାଇଥିଲେ। । ନଭେମ୍ବର ୧, ୨୦୨୩ରେ, କୋର୍ଟ ଏହି ମାମଲାରେ ସଜ୍ଜନ କୁମାରଙ୍କ ବୟାନ ରେକର୍ଡ କରିଥିଲେ । ସଜ୍ଜନ କୁମାର ତାଙ୍କ ବିରୋଧରେ ସମସ୍ତ ଅଭିଯୋଗକୁ ଅସ୍ବୀକାର କରିଥିଲେ ।
ଜାନୁଆରୀ ୩୧ରେ ଶୁଣାଣି ସମୟରେ ସଜ୍ଜନ କୁମାରଙ୍କ ଓକିଲ ଯୁକ୍ତି ଦେଇଥିଲେ ଯେ, ଆରମ୍ଭରୁ ତାଙ୍କ ନାଁ ଅଭିଯୋଗପତ୍ରରେ ନଥିଲା । ସାକ୍ଷୀ ୧୬ ବର୍ଷ ପରେ ସଜ୍ଜନ କୁମାରଙ୍କ ନାମ ନେଇଥିଲେ । ଏପରିକି ପୀଡ଼ିତା ଅଭିଯୁକ୍ତଙ୍କୁ ଜାଣି ନାହାନ୍ତି ବୋଲି କହିଥିଲେ ସଜ୍ଜନ କୁମାରଙ୍କ ଓକିଲ । ସଜ୍ଜନ କୁମାର କିଏ ବୋଲି ଜାଣିବା ପରେ ସାକ୍ଷୀ ତାଙ୍କ ନାମକୁ ଅଭିଯୋଗ ସାମିଲ କରିଥିଲେ ବୋଲି ସଜ୍ଜନ କୁମାରଙ୍କ ଓକିଲ କୋର୍ଟରେ ଯୁକ୍ତି ବାଢ଼ିଥିଲେ । ସେପଟେ ସଜ୍ଜନ କୁମାର କେବଳ ଜଣେ ଅଂଶଗ୍ରହଣକାରୀ ନଥିଲେ, ବରଂ ଭିଡ଼ର ନେତୃତ୍ୱ ମଧ୍ୟ ନେଇଥିଲେ ବୋଲି ଜାଣିବାକୁ ପାଇଥିଲେ କୋର୍ଟ । ତେଣୁ କୋର୍ଟ ତାଙ୍କୁ ମାମଲାରେ ଦୋଷୀ ସାବ୍ୟସ୍ତ କରିଥିବା ଜଣାପଡ଼ିଛି ।