ପ୍ରମୂଖ ଖବର
  • ବୋରିଗୁମ୍ମା : ଗୋଟିଏ ଦିନରେ ୩ ଘରୁ ଚୋରି, ୨କୋଟି ଟଙ୍କାର ସୁନା ଅଳଙ୍କାର ସହ ନଗଦ ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ
  • ||
  • ବଣାଇ : ବିଦ୍ୟୁତ ଖୁଣ୍ଟକୁ ପିଟି ଓଲଟିଲା OSRTC ବସ୍‌, ୨୦ ଆହତ
  • ||

ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ନଆସିବା ପର୍ଯ୍ୟନ୍ତ ମୁଖ୍ୟ ନିର୍ବାଚନ କମିଶନରଙ୍କ ଚୟନ ପାଇଁ ବୈଠକ ନହେଉ, ଦାବି କଲା କଂଗ୍ରେସ

Published By : Tapas Panda | February 17, 2025 11:32 PM

Image Courtesy: abplive

ନୂଆଦିଲ୍ଲୀ: ମୁଖ୍ୟ ନିର୍ବାଚନ କମିଶନର (ସିଇସି) ରାଜୀବ କୁମାର ଫେବୃଆରୀ ୧୮ରେ ଅବସର ନେବେ । ସୋମବାର (୧୭ ଫେବୃଆରୀ ୨୦୨୫) ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବାସଭବନରେ ନୂତନ ନିର୍ବାଚନ କମିଶନରଙ୍କ ଚୟନ ସଂପର୍କିତ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଏବଂ ଗୃହମନ୍ତ୍ରୀ ଅମିତ ଶାହ ମଧ୍ୟ ଯୋଗ ଦେଇଥିଲେ । ରାହୁଲ ଗାନ୍ଧୀ ବୈଠକରୁ ବାହାରକୁ ଆସିବା ପରେ କଂଗ୍ରେସ ଏକ ସାମ୍ବାଦିକ ସମ୍ମିଳନୀ କରି ଏହି ବୈଠକର ବୈଧତା ଉପରେ ପ୍ରଶ୍ନ ଉଠାଇଥିଲେ । କଂଗ୍ରେସ ନେତା ଅଭିଷେକ ମନୁ ସିଂଘଭୀ ଏବଂ ଅଜୟ ମାକେନ କହିଛନ୍ତି, ଆମର ଦାବି ହେଉଛି ନିର୍ବାଚନ କମିଶନରଙ୍କୁ ନିଯୁକ୍ତି ଦେଉଥିବା କମିଟିରେ ଭାରତର ପ୍ରଧାନ ବିଚାରପତି ରହିବା ଉଚିତ । 

ଅଭିଷେକ ମନୁ ସିଂଘଭୀ କହିଛନ୍ତି ଯେ, ନିର୍ବାଚନ କମିଶନ ଏକ ସାମ୍ବିଧାନିକ ସଂସ୍ଥା । ନିର୍ବାଚନ କମିଶନଙ୍କ ନିଯୁକ୍ତିରେ ପ୍ରଧାନ ବିଚାରପତିଙ୍କୁ ସାମିଲ କରାଯିବା ଉଚିତ । ଏକ ସ୍ୱାଧୀନ ନିର୍ବାଚନ କମିଶନ ରହିବା ଉଚିତ । ସମ୍ପ୍ରତି ନିର୍ବାଚନ କମିଶନଙ୍କ ସମ୍ପର୍କରେ ଅନେକ ପ୍ରଶ୍ନ ଉଠିଛି । କଂଗ୍ରେସ ନେତା ଅଜୟ ମାକେନ କହିଛନ୍ତି, ଆପଣମାନେ ସମସ୍ତେ ଜାଣନ୍ତି ଯେ ଆଜି ମୁଖ୍ୟ ନିର୍ବାଚନ କମିଶନରଙ୍କ ଚୟନ ସମ୍ପର୍କରେ ଏକ ବୈଠକ ହୋଇଥିଲା। କିନ୍ତୁ ସୁପ୍ରିମକୋର୍ଟ କହିଛନ୍ତି ଯେ, ଫେବୃଆରୀ ୧୯ରେ ଏହି ମାମଲାର ଶୁଣାଣି ହେବ ଏବଂ କମିଟିର ଗଠନ କିପରି ହେବା ଉଚିତ ସେ ବିଷୟରେ ନିଷ୍ପତ୍ତି ନିଆଯିବ। 

ଅଭିଷେକ ସିଂଘଭୀ କହିଛନ୍ତି, ନିର୍ବାଚନ କମିଶନର ନିରପେକ୍ଷତା ସୁନିଶ୍ଚିତ କରିବା ପାଇଁ, ଦୁଇ ବର୍ଷ ପୂର୍ବେ ସୁପ୍ରିମକୋର୍ଟ ତାଙ୍କ ନିଷ୍ପତ୍ତିରେ ପ୍ରଧାନମନ୍ତ୍ରୀ ଏବଂ ବିରୋଧୀ ଦଳ ନେତାଙ୍କ ସହିତ ଦେଶର ପ୍ରଧାନ ବିଚାରପତିଙ୍କୁ CEC ଚୟନ କମିଟିରେ ସାମିଲ କରିବାକୁ ନିର୍ଦ୍ଦେଶ ଦେଇଥିଲେ । କିନ୍ତୁ ପରେ କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରସ୍ତୁତ ନୂତନ ଆଇନରେ, ମୁଖ୍ୟ ବିଚାରପତିଙ୍କ ସ୍ଥାନରେ ଜଣେ କେନ୍ଦ୍ରମନ୍ତ୍ରୀଙ୍କୁ ସ୍ଥାନ ଦିଆଯାଇଥିଲା। ଏହି ଆଇନକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରାଯାଇଛି। ସୂତ୍ର ଅନୁଯାୟୀ, ପରବର୍ତ୍ତୀ ମୁଖ୍ୟ ନିର୍ବାଚନ କମିଶନରଙ୍କ ସମ୍ପର୍କରେ ଚୟନ କମିଟିର ବୈଠକରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ବୈଠକକୁ ସ୍ଥଗିତ ରଖିବାକୁ ଦାବି କରିଥିଲେ, ଯାହାକୁ ଗ୍ରହଣ କରାଯାଇ ନଥିଲା।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.