ଭୁବନେଶ୍ୱର ୦୮/୦୨: ଆଜି ମିଳିବ ‘ସୁଭଦ୍ରା’ ପ୍ରଥମ କିସ୍ତିର ଚତୁର୍ଥ ପର୍ଯ୍ୟାୟ ଟଙ୍କା । ଯାଜପୁରର ବ୍ୟାସନଗରର ଖାନ୍ଦୋଳ ପଡ଼ିଆରେ ଦିନ ସାଢ଼େ ୧୧ଟା ବେଳେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ୧୮ ଲକ୍ଷରୁ ଅଧିକ ଯୋଗ୍ୟା ହିତାଧିକାରୀଙ୍କୁ ସହାୟତା ରାଶି ବଣ୍ଟନ କରାଯିବ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗ ଦେଇ ହିତାଧିକାରୀଙ୍କୁ ସହାୟତା ରାଶି ବାଣ୍ଟିବେ । ଏହା ସହିତ ସାରା ରାଜ୍ୟରେ ‘ସୁଭଦ୍ରା’ ହିତାଧିକାରୀଙ୍କ ସଂଖ୍ୟା ୯୮ ଲକ୍ଷ ଟପିବ ।
ନ୍ୟାସନାଲ୍ ପେମେଣ୍ଟସ୍ କର୍ପୋରେସନ୍ ଅଫ୍ ଇଣ୍ଡିଆ (ଏନ୍ପିସିଆଇ)ରେ ଅକୃତକାର୍ଯ୍ୟ ହୋଇଥିବା ୩ ଲକ୍ଷ ୩୮ ହଜାର ଉପଭୋକ୍ତାଙ୍କ ମଧ୍ୟରୁ ଏବେ ସୁଦ୍ଧା ୬୮ ହଜାର ପାଇବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି । ଆସନ୍ତା ମାର୍ଚ୍ଚ ୮ ତାରିଖ ସୁଦ୍ଧା ଆବେଦନ କରିଥିବା ଯୋଗ୍ୟ ହିତାଧିକାରୀଙ୍କୁ ଏକା ଥରେ ଦୁଇଟି କିସ୍ତିର ଟଙ୍କା ମିଳିବ । ଯେଉଁମାନେ ପ୍ରଥମ କିସ୍ତି ପାଇ ସାରିଛନ୍ତି ସେମାନଙ୍କୁ ଦ୍ୱିତୀୟ ପର୍ଯ୍ୟାୟର ଦ୍ୱିତୀୟ କିସ୍ତି ଟଙ୍କା ମିଳିବ ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି ।
ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ଯେ ସମସ୍ତ ଯୋଗ୍ୟ ହିତାଧିକାରୀଙ୍କୁ ଯେମିତି ସୁଭଦ୍ରା ଟଙ୍କା ମିଳିବ ସେ ନେଇ ପଦକ୍ଷେପ ନିଆଯିବ । ଜଣେ ବି ବାଦ୍ ପଡ଼ିବେ ନାହିଁ । ସେଥିପାଇଁ ଆବଶ୍ୟକ ହେଲେ ବାଦ୍ ପଡିଥିବା ହିତାଧିକାରୀମାନଙ୍କୁ କର୍ମଚାରୀମାନେ ବ୍ୟକ୍ତିଗତ ଭାବେ ଭେଟି ସମସ୍ୟାର ସମାଧାନ କରିବେ ବୋଲି ଉପମୁଖ୍ୟମନ୍ତ୍ରୀ କହିଛନ୍ତି ।
ଉଲ୍ଲେଖଯୋଗ୍ୟ, ଯେଉଁମାନେ ୮ ତାରିଖ ସୁଦ୍ଧା ଟଙ୍କା ନ ପାଇବେ ୱେବସାଇଟରେ ସେମାନଙ୍କର ନ ମିଳିବା କାରଣ ବାବଦରେ ଉଲ୍ଲେଖ କରାଯିବ । ସେମାନେ କାରଣ ଜାଣି ସମାଧାନ କରିପାରିବେ । ଅଦ୍ୟାବଧି ମୋଟ ୧ କୋଟି ୭ଲକ୍ଷ ୨୩ ହଜାର ୨୯୪ ଜଣ ପଞ୍ଜୀକରଣ କରିଛନ୍ତି । ସେମାନଙ୍କ ମଧ୍ୟରୁ ୮୦ ଲକ୍ଷ ୨୯ ହଜାର ୭୪୧ଜଣଙ୍କୁ ସହାୟତା ରାଶି ପ୍ରଦାନ କରାଯାଇଛି ।