ନୂଆଦିଲ୍ଲୀ: ସୋମବାର ଚୀନ୍ କିଛି ଆମେରିକୀୟ କର୍ମଚାରୀଙ୍କ ଉପରେ ଭିସା କଟକଣା ଲଗାଇଛି। ଚୀନର କଟକଣା ଆମେରିକୀୟ କର୍ମଚାରୀ ଏବଂ ଅଧିକାରୀଙ୍କ ବିରୁଦ୍ଧରେ ଲାଗୁ କରାଯାଇଛି, ଯେଉଁମାନେ କି ଚୀନ ଅନୁଯାୟୀ, ତିବ୍ଦତ ସହ ଜଡିତ ପ୍ରସଙ୍ଗ ଉପରେ ପ୍ରମୁଖ କାର୍ଯ୍ୟରେ ସାମିଲ ଅଛନ୍ତି। ଆପଣଙ୍କୁ କହିରଖୁଛୁ ଯେ ଚୀନ୍ ଅଧିକାରୀଙ୍କ ଉପରେ ୱାଶିଂଟନ୍ ଦ୍ୱାରା ଲଗାଯାଇଥିବା ଅତିରିକ୍ତ ଭିସା କଟକଣାର ଜବାବରେ ଚୀନ୍ ଦ୍ୱାରା ଏହି ନିଷ୍ପତ୍ତି ନିଆଯାଇଛି।
ସୂଚନାଥାଉକି, ତିବ୍ଦତକୁ ନେଇ ଆମେରିକା ଏବଂ ଚୀନ ମଧ୍ୟରେ ବହୁତ ଦିନ ଧରି କୂଟନୈତିକ ଉତ୍ତେଜନା ରହିଛି। ଆମେରିକା ଚୀନ ଉପରେ ତିବ୍ଦତ ଲୋକଙ୍କ ଧାର୍ମିକ ଏବଂ ସାଂସ୍କୃତିକ ସ୍ୱାଧୀନତାକୁ ସୀମିତ କରୁଥିବାର ଅଭିଯୋଗ ଆଣିଛି, ଯେତେବେଳେ ଚୀନ ଏହାକୁ ମିଥ୍ୟା ପ୍ରଚାର ବୋଲି କହୁଛି ଏବଂ ତିବ୍ଦତ ଏହାର ଅବିଚ୍ଛେଦ୍ୟ ଅଙ୍ଗ ବୋଲି କହୁଛି।
ଏହି ବିଷୟରେ ସୂଚନା ଦେଇ ଚୀନ୍ ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ଲିନ୍ ଜିଆନ୍ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ,ତିବ୍ଦତ ଚୀନ୍ର ଏକ ଆଭ୍ୟନ୍ତରୀଣ ମାମଲା ଏବଂ ଏଥିରେ କୌଣସି ବାହ୍ୟ ହସ୍ତକ୍ଷେପକୁ ବରଦାସ୍ତ କରାଯିବ ନାହିଁ। ସେ କହିଛନ୍ତି ଯେ ଚୀନ୍ ଅଧିକାରୀଙ୍କ ଉପରେ ଆମେରିକା ଦ୍ୱାରା ସମ୍ପ୍ରତି ଲାଗୁ ହୋଇଥିବା ଭିସା କଟକଣାର ଜବାବରେ ଏହି କଟକଣା ଲାଗୁ କରାଯାଇଛି।
ସେ ଆହୁରି କହିଛନ୍ତି ଯେ ଆମେ ବିଦେଶୀମାନଙ୍କୁ ଜିଜାଙ୍ଗ (ତିବ୍ଦତ) ଆସିବା, ଭ୍ରମଣ କରିବା ଏବଂ ବ୍ୟବସାୟ କରିବା ପାଇଁ ସ୍ୱାଗତ କରୁ, କିନ୍ତୁ ମାନବାଧିକାର କିମ୍ବା ସଂସ୍କୃତି ନାମରେ ଆମର ଆଭ୍ୟନ୍ତରୀଣ ବ୍ୟାପାରରେ ହସ୍ତକ୍ଷେପ କରୁଥିବା ବ୍ୟକ୍ତିଙ୍କୁ ଆମେ ବିରୋଧ କରୁ।
ଏହା ଉଲ୍ଲେଖନୀୟ ଯେ ମାର୍ଚ୍ଚ ୩୧ ତାରିଖରେ ଏକ ବିବୃତ୍ତିରେ, ଆମେରିକା କହିଥିଲା ଯେ ତିବ୍ଦତୀୟ ଅଞ୍ଚଳରେ ବିଦେଶୀ ସାମ୍ବାଦିକ, ପର୍ଯ୍ୟଟକ ଏବଂ ପର୍ଯ୍ୟବେକ୍ଷକଙ୍କ ପ୍ରବେଶକୁ ରୋକିବାରେ ସମ୍ପୃକ୍ତ ଚୀନ୍ ଅଧିକାରୀଙ୍କ ଉପରେ ଭିସା କଟକଣା ଲାଗୁ କରାଯିବ।