ଉମରକୋଟ ,୨୬।୪ କିଛି ଦିନର ବ୍ୟବଧାନ ପରେ ପୁଣିଥରେ ନବରଙ୍ଗପୁର ଜିଲ୍ଲା ସୀମାନ୍ତ ଛତିଶଗଡ଼ରେ ଦେଖା ଦେଇଛି କଲରାପତରିଆ ବାଘର ଆତଙ୍କ । ଶୁକ୍ରବାର ସନ୍ଧ୍ୟା ସମୟରେ ଏକ କଲରା ପତରିଆ ବାଘ ଜଣେ ଶିଶୁଙ୍କୁ ରକ୍ତାକ୍ତ ଆକ୍ରମଣ କରିଥିବା ଦେଖିବାକୁ ମିଳିଛି ।
ସୂଚନା ଅନୁଯାୟୀ ସୀମାନ୍ତ କାଂକେର ଜିଲ୍ଲା ଦୁଧୱ ସାରୋନା ଅଞ୍ଚଳର ଆଚିଡୋଙ୍ଗରି ଗାଁରେ ଶୁକ୍ରବାର ସନ୍ଧ୍ୟା ସମୟରେ ୬ବର୍ଷର ଶିଶୁ ନମନ କୁମାର ମାଡ଼କାମ ଘର ବାହାରେ ଖେଳୁଥିଲେ। ଏହି ସମୟରେ ଗାଁପାଖ ଜଙ୍ଗଲ ମଧ୍ୟରୁ ଏକ କଲରାପତରିଆ ବାଘ ଆସି ନମନ କୁମାର ମାଡ଼କାମକୁ ଆକ୍ରମଣ କରିଥିଲା । ଆକ୍ରମଣ ସମୟରେ ପିଲାଟିର ଚିତ୍କାର ଶୁଣି ପରିବାର ସଦସ୍ୟମାନେ ବାହାରକୁ ଆସି ପାଟି କରି କୌଣସି ପ୍ରକାରେ ପିଲାଟିକୁ ବାଘ କବଳରୁ ଛଡ଼େଇ ନେଇଥିଲେ। ପରେ ବାଘଟି ପାଖରେ ଥିବା ଜଙ୍ଗଲ ମଧ୍ୟକୁ ପଳେଇ ଯାଇଥିଲା । ଛୁଆଟିକୁ ତୁରନ୍ତ ପରିବାର ଲୋକେ କାଂକେର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । କଲରାପତରିଆ ବାଘ ଆକ୍ରମଣରେ ଛୁଆର ବେକ, ହାତ ଏବଂ ପେଟରେ ଗଭୀର ଆଘାତ ହୋଇଥିବା ଜଣାପଡିଛି ।ସୂଚନାଯୋଗ୍ୟ ଯେ ଗତ ବର୍ଷ ଏହି ଅଞ୍ଚଳରେ ଏକ ଶିଶୁ କୁ ବାଘ ଆକ୍ରମଣ କରିଥିଲା ଯାହା ଫଳରେ ତାହାର ମୃତ୍ୟୁ ହୋଇଥିଲା। ଅନେକ ଆହତ ମଧ୍ୟ ହୋଇଥିଲେ ।