ନବରଙ୍ଗପୁର,୩୧/୩: କଥାରେ ଅଛି ୬ ଟଙ୍କାର ଘୋଡ଼ାକୁ ୯ ଟଙ୍କାର ଦାନା । ଏଭଳି ଉକ୍ତିକୁ ସାର୍ଥକ କରିଛି ନବରଙ୍ଗପୁର ଜନସ୍ୱାସ୍ଥ୍ୟ ବିଭାଗ! ଲୋକଙ୍କୁ ବିଶୁଦ୍ଧ ପାନୀୟଜଳ ଯୋଗାଣ କରି ବିଭାଗ ମାସିକ ୨ଲକ୍ଷ ଟଙ୍କା ଟିକସ ଆଦାୟ କରୁଥିବା ବେଳେ ବିଦ୍ୟୁତ ବିଲ୍ ବାବଦକୁ ଉଠୁଛି ୫ ଲକ୍ଷ ଟଙ୍କା । ୧୯୮୯ରେ ପ୍ରତିଘର ପାଇଁ ଜଳ କର ବାବଦକୁ ଟିକସ ଥିଲା ୨୦ ଟଙ୍କା । ୨୦୨୫ରେ ଘର ପିଛା ଏହା ୧୨୯ ଟଙ୍କାରେ ପହଞ୍ଚିଛି । ଦୀର୍ଘ ୩୬ ଧରି ନବରଙ୍ଗପୁର ସହରର ବଡବଡିଆଙ୍କ ଜଳକର ବାବଦକୁ ଲକ୍ଷାଧିକ ଟଙ୍କା ବକେୟା ଗଡୁଛି । ଅନ୍ୟପକ୍ଷରେ ଗରିବ ଲୋକ ନିୟମିତ ଜଳକର ଟଙ୍କା ପୈଠ କରୁଥିବା ବେଳେ ଧନୀକମାନେ ବର୍ଷବର୍ଷ ଧରି ଫାଙ୍କିବାରେ ଲାଗିଛନ୍ତି । ଏବେ ଜଳକର ବାବଦକୁ ୧ କୋଟି ୮୦ ଲକ୍ଷ ୧୫ ହଜାର ୫୯୬ ଟଙ୍କା ବକେୟା ରହିଛି । ମାସକୁ ୫ଲକ୍ଷ ଟଙ୍କାର ବିଦ୍ୟୁତ ବିଲ୍ ଉଠୁଥିବା ବେଳେ ମାତ୍ର ୨ଲକ୍ଷ ଆଦାୟ ହୋଇପାରୁଛି । ବଳକା ଟଙ୍କା ବିଭାଗ ଭରଣା କରୁଛି ।ଜଳକର ଆଦାୟ ପାଇଁ ଜଳ ସାଥୀଙ୍କୁ ନିୟୋଜିତ କରାଯାଇଛି । ଜଳସାଥୀଙ୍କୁ ଆଦାୟର ୭ ପ୍ରତିଶତ କମିଶନ ମିଳୁଛି । ଜଳସାଥୀମାନେ ଚାକିରିକୁ ସ୍ଥାୟୀ ଦାବି କରି ଏବେ ଆନ୍ଦୋଳନରେ ଥିବାରୁ ଆଦାୟ ହୋଇପାରୁନି ।
ସୂଚନାଥାଉକି, ନବରଙ୍ଗପୁର ସହରରେ ମୋଟ ୫ ହଜାର ୨୬୪ ଘରକୁ ପାଇପ୍ ଲାଇନ୍ ସଂଯୋଗ ହୋଇଛି । ବିଭିନ୍ନ ସାହିବସ୍ତିରେ ୩୦୦ ଟି ଷ୍ଟାଣ୍ଡପୋଷ୍ଟ୍ ରହିଛି । ପ୍ରତିଦିନ ସହରକୁ ୬୫ ଲକ୍ଷ ଲିଟର ପାନୀୟଜଳ ବିଭାଗ ପକ୍ଷରୁ ଯୋଗାଣ ହେଉଛି । ଦୁର୍ଭାଗ୍ୟକୁ ଜଳକର ଆଦାୟ ହୋଇପାରୁ ନଥିବା ବିଭାଗୀୟ କନିଷ୍ଠଯନ୍ତ୍ରୀ ରଞ୍ଜିତ ରାୟ କହିଛନ୍ତି । ଏଥିପ୍ରତି ସଚେତନ ହୋଇ ବକେୟା ଜମା କରିବାକୁ ବିଭାଗୀୟ ଅଧିକାରୀମାନେ ଜନସାଧାରଣଙ୍କୁ ଅନୁରୋଧ କରିଛନ୍ତି