ନବରଙ୍ଗପୁର : ରାସ୍ତାରୁ ପିଚୁ ଉଠି ଯାଇଛି। କେଉଁଠି ଚିପ୍ସ ଓ ମେଟାଲ୍ ବାହାରି ପଡ଼ିଛି ତ ଆଉ କେଉଁଠି ଆବଡ଼ା ଖାବଡ଼ା ହୋଇ ଯାଇଛି। ମାତ୍ର ଅଢେଇ କିଲୋମିଟର ଏହି ରାସ୍ତା ପାଲଟିଛି ମରଣଯନ୍ତା। ଏ ଦୃଶ୍ୟ ଦେଖିବାକୁ ମିଳିଛି ନବରଙ୍ଗପୁର ସଦର ବ୍ଲକ୍ ଶିର୍ଶିରୁ ବାଗ୍ଦେରୀ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କରେ। ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାୟୀ, ୨୦୧୯ରେ ବାଗଦେରୀରୁ ଶର୍ଶି ଗାଁ ପର୍ଯ୍ୟନ୍ତ ପ୍ରାୟ ଅଢେଇ କି.ମି ରାସ୍ତାକୁ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନାରେ ସାମିଲ କରାଯାଇ ଥିଲା।
ରାସ୍ତା ନିର୍ମାଣ ପାଇଁ ୨ କୋଟି ୮୮ ଲକ୍ଷ ଟଙ୍କା ବ୍ୟୟ କରାଯାଇ ଥିଲା। ଏଥିସହ ୫ ବର୍ଷ ପର୍ଯ୍ୟନ୍ତ ରାସ୍ତାର ରକ୍ଷଣା ବେକ୍ଷଣ ପାଇଁ ୨୦୧୯-୨୦ରେ ୫୦ ହଜାର ୨୧୪ ଟଙ୍କା, ୨୦୨୦-୨୧ରେ ୯୭ ହଜାର ୩୫ ଟଙ୍କା, ୨୦୨୦-୨୧ ୧ ଲକ୍ଷ ୫୦ ହଜାର ୪୩୨ ଟଙ୍କା, ୨୦୨୨-୨୩ରେ ୧ ଲକ୍ଷ ୬୭ ହାଜର ୬୪୩ ଟଙ୍କା ଓ ୨୦୨୩-୨୪ରେ ୨ ଲକ୍ଷ ୧୯ ହଜାର ୩୫୮ ଟଙ୍କା ବ୍ୟବସ୍ଥା କରାଯାଇଛି।
ଦୁଃଖର ବିଷୟ, ଦୀର୍ଘ ୫ ବର୍ଷରେ ରକ୍ଷଣାବେକ୍ଷଣ ପାଇଁ ଟଙ୍କାଟିଏ ଖର୍ଚ୍ଚ କରାଯାଇନି। ଏଥିଯୋଗୁ ବର୍ତ୍ତମାନ ରାସ୍ତା ଅବସ୍ଥା ଶୋଚନୀୟ ହୋଇପଡ଼ିଛି। ଏହି ରାସ୍ତାରେ ଏକ ପୋଲ ଥିଲେ ବି ତାକୁ ମଧ୍ୟ ମରାମତି କରାଯାଉନି। ପୋଲରୁ ସିମେଣ୍ଟ ପଲସ୍ତର ବାହାରି ଯାଇଛି। ଲୁହାଛଡ଼ ଦେଖା ଯାଉଛି। ଏହି ରାସ୍ତା ଉପରେ ପ୍ରତିଦିନ ୧୦ ଖଣ୍ଡରୁ ଅଧିକ ଗାଁର ଲୋକ ନିର୍ଭର କରୁଛନ୍ତି। ଦୈନିକ ବଜାର ସମେତ ସ୍କୁଲ, କଲେଜ, ବେପାର ବାଣିଜ୍ୟ ପାଇଁ ଛାତ୍ରଛାତ୍ରୀଙ୍କ ଠାରୁ ଆରମ୍ଭ ବିଭିନ୍ନ ବର୍ଗର ଲୋକେ ଯାତାୟାତ କରୁଛନ୍ତି।
ରାସ୍ତା ଅବସ୍ଥା ଶୋଚନୀୟ ଥିବାରୁ ବିଭିନ୍ନ ସମୟରେ ଛୋଟ ବଡ଼ ଦୁର୍ଘଟଣା ଘଟୁଛି। ତୁରନ୍ତ ଏହି ରାସ୍ତା ମରାମତି କରିବା ସହ ଓସାର କରିବାକୁ ଗାଁର ଧବୁଲୁ ଭତ୍ରା, ପୂର୍ଣ୍ଣ ନାୟକ, ଶୋଭାସନ କଚ୍ଛପ ଓ ରଞ୍ଜିତ ମନବୋଧ ପ୍ରମୁଖ ଦାବି କରିଛନ୍ତି। ଏ ସମ୍ପର୍କରେ ଆମେ ଆରଡି ନିର୍ବାହୀଯନ୍ତ୍ରୀ ଦେବର୍ଶୀ ନାୟକଙ୍କୁ ପଚାରିବାରୁ କହିଛନ୍ତି, ସେ ନିଜେ ରାସ୍ତା ପରିଦର୍ଶନ କରିବେ। ତା’ପରେ ଆବଶ୍ୟକ ପଦକ୍ଷେପ ନିଆଯିବ।