ଚନ୍ଦାହାଣ୍ଡି,୨୮/୩: ଚନ୍ଦାହାଣ୍ଡି ବ୍ଲକ ଜୁନାପାଣି ଗାଁର ମହିଳା ଅଟୋ ଚାଳିକା ଲକ୍ଷ୍ମୀ ସିନ୍ନାଙ୍କୁ ଗୁରୁବାର ବ୍ଲକ ପ୍ରଶାସନ ତରଫରୁ ସମ୍ବର୍ଦ୍ଧିତ କରାଯାଇଛି । ମହିଳା ହୋଇ ବି ଅଟୋ ଚଳାଇ ସ୍ୱାବଲମ୍ବୀ ହୋଇଥିବା ଖବର ପ୍ରମେୟରେ ପ୍ରକାଶ ପାଇବା ପରେ ବିଡ଼ିଓ ସୁକାନ୍ତକୁମାର ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବିଭାଗୀୟ କର୍ମଚାରୀମାନେ ଆଜି ତାଙ୍କୁ ପୁଷ୍ପଗୁଚ୍ଛ ସହ ଉପଢୌକନ ଦେଇ ସମ୍ମାନିତ କରିଛନ୍ତି । ଏହି ଅବସରରେ ଶ୍ରୀମତୀ ସିନ୍ନା ଜନସାଧାରଣଙ୍କ ଆର୍ଶୀବାଦ ସହ ପ୍ରଶାସନର ସହଯୋଗ ରହିଲେ ନିଷ୍ଠାର ସହ ସେ କାମ ପରି ଅନ୍ୟପାଇଁ ପ୍ରେରଣା ସାଜିବେ ବୋଲି କହିଛନ୍ତି । ଏଥିସହ ତାଙ୍କୁ ବାସଗୃହ, ରାସନକାର୍ଡ ଯୋଗାଇ ଦେବାକୁ ପ୍ରଶାସନକୁ ନିବେଦନ କରିଛନ୍ତି । ଲକ୍ଷ୍ମୀଙ୍କୁ ରାସନକାର୍ଡ ସହ ସରକାରୀ ଜାଗା ପ୍ରଦାନ ପାଇଁ ତହସିଲଦାରଙ୍କ ସହ ଆଲୋଚନା କରାଯାଇଥିବା ବିିଡ଼ିଓ ଶ୍ରୀ ପଟ୍ଟନାୟକ କହିଛନ୍ତି ।
ପ୍ରକାଶଥାଉକି ଜୁନାପାଣି ଗାଁର ଲକ୍ଷ୍ମୀ ୨୦୧୫ରେ ଛତିଶଗଡ ଗରିଆବନ୍ଧ ଜିଲ୍ଲାରେ ବିବାହ କରିଥିଲେ । ତାଙ୍କ ଗୋଟିଏ କନ୍ୟା ସନ୍ତାନ ଅଛନ୍ତି । କୌଣସି କଥାକୁ ନେଇ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ବିବାଦ ହେବାରୁ ଲକ୍ଷ୍ମୀ ନିଜ ଝିଅକୁ ନେଇ ବାପ ଘର ଜୁନାପାଣି ଗାଁକୁ ଚାଲିଆସିଥିଲେ । ବାପାମା’ଙ୍କ ଆର୍ଥିକ ସ୍ଥିତି ଭଲ ନଥିବାରୁ ନିଜେ ରୋଜଗାର କରି ପରିବାରକୁ ଚଳାଇବା ନିଷ୍ପତ୍ତି ନେଇ ଚନ୍ଦାହାଣ୍ଡି ଧୁରୁଆପଡ଼ାକୁ ଆସିଥିଲେ । ସେଠାରେ ଏକ ଷ୍ଟଲ ଭଡ଼ାନେଇ ଛୋଟ ଜଳଖିଆ ଦୋକାନ ଦେବା ସହ ଭଡାରେ ଏକ ବିଦ୍ୟୁତ ଚାଳିତ ଅଟୋ ଚଳାଇ ରୋଜଗାର କରୁଛନ୍ତି । କଠୋର ପରିଶ୍ରମ କରି ୫ପ୍ରାଣୀ କୁଟୁମ୍ବ ପ୍ରତିପୋଷଣ କରୁଛନ୍ତି ।