ନନ୍ଦାହାଣ୍ଡି,୩୧/୩: ଭାଙ୍ଗିଯାଇଛି ମାଟି କାନ୍ଥ । ବାଉଁଶ ତାଟିରେ ତାକୁ ଆବଦ୍ଧ କରାଯାଇଛି । ଚାଳଛପରରେ ଉପରେ ଢଙ୍କାଯାଇଛି ପଲିଥିନ୍ । ପଲିଥିନ୍ ଢଙ୍କା ଏହି ଭଙ୍ଗାଦଦରା ବଖୁରିଏ ଘରେ ମୁଣ୍ଡ ଗୁଞ୍ଜିଛନ୍ତି ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକ୍ ବି.ମାଲଗୁଡ଼ା ଗାଁର ବିଧବା ତୁଳସା ହରିଜନ(୬୫) ଓ ତାଙ୍କ ପୁଅ । ସ୍ୱାମୀଙ୍କ ମୃତ୍ୟୁ ପରେ ଦଦରା ଘରେ ପୁଅ ସହ ବଞ୍ଚିବାକୁ ସଂଘର୍ଷ କରୁଛନ୍ତି । ଆବାସ ଯୋଜନାରେ ଘର ଖଣ୍ଡିଏ ଯୋଗାଇ ଦେବାକୁ ପ୍ରଶାସନ ପାଖରେ ନିବେଦନ କରିଛନ୍ତି । ବି.ମାଲିଗୁଡ଼ାର ହରିଜନ ସାହିରେ ରହୁଛନ୍ତି ତୁଳସା । ଆଗରୁ ସ୍ୱାମୀ ଓ ଗୋଟିଏ ପୁଅକୁ ନେଇ ସଂସାର ଚାଲିଥିଲା । କିଛି ବର୍ଷ ତଳେ ହଠାତ୍ ତାଙ୍କ ହାତ ଛାଡ଼ି ଆରପାରିକୁ ଚାଲିଗଲେ ସ୍ୱାମୀ । ସେବେଠାରୁ ପୁଅ ସହ ମାଟି କୁଡ଼ିଆରେ ସେ ରହି ଆସୁଛନ୍ତି । ଗତବର୍ଷ ବର୍ଷାରେ ତାଙ୍କ କୁଡିଆର କାନ୍ଥ ଭାଙ୍ଗିଯାଇଥିଲା । ତା’ପରେ ସେ ବାଉଁଶ ତାଟିରେ ତାକୁ ଆବଦ୍ଧ କରିଥିଲେ । ବର୍ଷା ଦିନରେ ଛାତରୁ ପାଣି ଗଳୁଥିବାରୁ ଛାତ ଉପରେ ପଲିଥିନ୍ ଢାଙ୍କିଛନ୍ତି ।
ଏଣେ ଆବାସ ପାଇଁ ଆବଶ୍ୟକ କାଗଜପତ୍ର ଦେଇ ପଞ୍ଚାୟତ ଓ ବ୍ଲକ୍ ପ୍ରଶାସନ ପାଖରେ ବହୁବାର ଆବେଦନ କରିଛନ୍ତି । ଆବାସ ପାଇଁ ଅଫିସ୍କୁ ବାରମ୍ବାର ଦୌଡି ଦୌଡି ନିରାଶ ହୋଇଛନ୍ତି । ତଥାପି ଆଜି ପର୍ଯ୍ୟନ୍ତ ତାଙ୍କ ଭାଗ୍ୟରେ ଆବାସ ଜୁଟିନାହିଁ । ଉଭୟ ମା’ ପୁଅ କୁଲି ମଜୁରି ଲାଗି ଚଳି ଆସୁଛନ୍ତି । ସରକାରୀ ସହାୟତା କହିଲେ ମାସକୁ କେଇ କେଜି ଚାଉଳ ଓ ତାଙ୍କୁ ଭତ୍ତା ଟଙ୍କା ମିଳୁଛି । ଏଥିରେ କଷ୍ଟେମଷ୍ଟେ ଉଭୟ ଚଳିଯାଉଛନ୍ତି । ଘର ତିଆରି କରିବାକୁ ପାଖରେ ଅର୍ଥ ନଥିବାରୁ ଭଙ୍ଗା ଦଦରା ଘରେ ଦୟନୀୟ ଅବସ୍ଥାରେ ଜୀବନଯୁଦ୍ଧରେ ସଂଘର୍ଷ କରି ଆସୁଛନ୍ତି । କେବଳ ତୁଳସା ନୁହନ୍ତ, ତାଙ୍କ ଭଳି ସାହିର ଅନ୍ୟ ଜଣେ ବିଧବା ରଞ୍ଜିତା ହରିଜନ ମଧ୍ୟ ଅନୁରୂପ ଦୁର୍ଦ୍ଦଶା ଭୋଗୁଛନ୍ତି । ଗତବର୍ଷ ବର୍ଷାରେ ତାଙ୍କ ଘର କାନ୍ଥ ମଧ୍ୟ ଭାଙ୍ଗିଯାଇଛି । ସେତେବେଳେ ବିଭାଗୀୟ ଅଧିକାରୀ କ୍ଷୟକ୍ଷତି ଆକଳନ କରିବା ସହ ପଲିଥିନ୍ ଯୋଗାଇ ଦେଇଥିଲେ । ତା’ପରେ ଆଉ ତାଙ୍କୁ କୌଣସି ସହାୟତା ମିଳିନାହିଁ ।
ଆଗକୁ ଆସୁଛି କାଳବୈଶାଖୀ । ଝଡ଼ବର୍ଷା କେବେତେଳେ ତୁଳସା ଓ ରଞ୍ଜିତାଙ୍କ ଘରର ଛପର ଉଡ଼ାଇ ନେବ, ତାହା କହିବା ମୁସ୍କିଲ । ତୁରନ୍ତ ଉଭୟଙ୍କ ପରିବାରକୁ ଆବାସ ଯୋଜନାରେ ସାମିଲ କରି ପକ୍କା ଘର ଖଣ୍ଡିଏ ଯୋଗାଇ ଦେବାକୁ ଗାଁ ଲୋକେ ଦାବି କରିଛନ୍ତି । ଏ ସମ୍ପର୍କରେ ଆମେ ପିଇଓ ଉତ୍କଳ ଭତ୍ରାଙ୍କୁ ପଚାରିବାରୁ କହିଛନ୍ତି, ସେ ନିଜେ ଗାଁକୁ ଯାଇ ସ୍ଥିତି ଅନୁଧ୍ୟାନ କରିବେ । ତା’ପରେ ପରବର୍ତ୍ତୀ ପଦକ୍ଷେପ ନେବେ । ଜିଲ୍ଲା ପ୍ରଶାସନ ତୁରନ୍ତ ଏହି ଦୁଇ ବିଧବାଙ୍କୁ ଆବାସ ଘର ଯୋଗାଇ ଦେବାକୁ ବିଭିନ୍ନ ମହଲରେ ଦାବି କରାଯାଇଛି ।