ଡାବୁଗାଁ,୩୧/୩: ଡାବୁଗାଁ ଥାନା ଅଞ୍ଚଳରେ ଜଣେ ଭିନ୍ନକ୍ଷମ ଯୁବତୀଙ୍କୁ ଅପରଣ ପରେ ବଳାତ୍କାର କରାଯାଇଥିବା ଥାନାରେ ଅଭିଯୋଗ ହୋଇଛି । ଏଥିସହ ଯୁବତୀଙ୍କ ପାଖରେ ଥିବା ୫ହଜାର ଟଙ୍କା ଅଭିଯୁକ୍ତ ଲୁଟ୍ କରିନେଇଛି । ଏତଲାକୁ ଭିତ୍ତିକରି ଥାନାରେ ୬୦/୨୫ରେ ଏକ ମାମଲା ରୁଜୁ କରି ପୁଲିସ ପୀଡିତାଙ୍କ ଡାକ୍ତରୀ ମାଇନା କରିଛି । ବିଭିନ୍ନ ସ୍ଥାନରେ ଚଢଉ କରାଯାଇ ଅଭିଯୁକ୍ତ ଯୁବକଙ୍କୁ ଖୋଜା ଚାଲିଥିବା ପୁଲିସ କହିଛି ।
ପୁଲିସ ସୂତ୍ରରୁ ପ୍ରକାଶ, ଘରେ କେହି ନଥିବା ବେଳେ ଡାବୁଗାଁ ଅଞ୍ଚଳର ଜଣେ ଦିବ୍ୟାଙ୍ଗ ଯୁବତୀ(୩୧) ଙ୍କୁ ଅନ୍ୟ ଏକ ଗାଁର ଜଣେ ବିବାହିତ ବ୍ୟକ୍ତି(୪୫) ଗତ ୨୭ ତାରିଖ ରାତିରେ ଏକ ବୋଲେରାରେ ଆସି ଘରୁ ଉଠାଇ ନେଇଥିଲା । ଗାଁର କିଛି ଦୂରରେ ଏକ ନିର୍ଜନ ସ୍ଥାନରେ ଥିବା ଏକ କୁଡିଆକୁ ନେଇଥିଲା । ସେଠାରେ ରାତି ସାରା ବଳାତ୍କାର କରିବା ସହ ମାଡ଼ ମାରିଥିଲା । ପାହାନ୍ତିଆ ପ୍ରାୟ ୪ଟାରେ ଅଭିଯୁକ୍ତଜଣଙ୍କ ଯୁବତୀଙ୍କ ପାଖରେ ଥିବା ୫ ହଜାର ଟଙ୍କା ଛଡାଇ ନେବା ସହ ଏକଥା କାହାକୁ କହିଲେ ଜୀବନରେ ମାରିଦିଆଯିବ ବୋଲି ଧମକ ଦେଇ ସେଠାରୁ ଫେରାର୍ ହୋଇଯାଇଥିଲା । ୨୮ତାରିଖ ସକାଳେ ନିକଟବର୍ତ୍ତୀ ଗାଁର ଜଣେ ବ୍ୟକ୍ତି ସେଠାରେ ପହଞ୍ଚି ଯୁବତୀଙ୍କୁ ଏକୁଟିଆ ଦେଖି ଚିହ୍ନିବା ପରେ ତାଙ୍କ ମାମୁଙ୍କୁ ଖବର ଦେଇଥିଲା । ଖବର ପାଇ ଯୁବତୀଙ୍କ ମାମୁ ଆସି ତାଙ୍କୁ ଉଦ୍ଧାର କରି ଘରକୁ ନେଇଥିଲେ । ୨୯ ତାରିଖ ଘଟଣା ସମ୍ପର୍କରେ ଯୁବତୀଜଣଙ୍କ ତାଙ୍କ ମା’ଙ୍କୁ ଇସାରାରେ ସମସ୍ତ କଥା ଜଣାଇଥିଲେ । ଶନିବାର ପୀଡ଼ିତାଙ୍କ ମା’ ଏନେଇ ଥାନାରେ ଏତଲା ଦେଇଥିଲେ । ରବିବାର ପୀଡିତାଙ୍କ ଡାକ୍ତରୀ ମାଇନା କରାଯାଇଥିବା ପୁଲିସ କହିଛି । ଜିଲ୍ଲା ପୁଲିସ ମୁଖ୍ୟାଳୟ ଆଇୟୁସିଏଡବ୍ଲ୍ୟୁ ଇନ୍ସପେକ୍ଟର ସୀମା ସଙ୍ଗୀତା ଲୁଗୁନ ଘଟଣାର ତଦନ୍ତକାରୀ ଅଧିକାରୀ ଅଛନ୍ତି ବୋଲି ଥାନା ଆଇଆଇସି ଗୋପାଳକୃଷ୍ଣ ଆଗୁପାତ୍ର ସୂଚନା ଦେଇଛନ୍ତି ।