ନବରଙ୍ଗପୁର,୦୮/୦୪: ପାଣି ସମସ୍ୟା ପାଇଁ ଗାଁକୁ ମିଳୁନାହାନ୍ତି ବୋହୂ । ଅନ୍ୟ ଅଞ୍ଚଳର ଲୋକେ ଝିଅ ଦେବା ପାଇଁ ରାଜି ହେଉନାହାନ୍ତି । ଖାସ୍ ଏହି କାରଣରୁ ୪୦ରୁ ଅଧିକ ଭେଣ୍ଡିଆ ଯୁବକ ଅବିବାହିତ ହୋଇ ରହିଛନ୍ତି । ଏଭଳି ଦେଖିବାକୁ ମିଳିଛି ପାପଡ଼ାହାଣ୍ଡି ବ୍ଲକ ସାନବାର୍ଲି ପଞ୍ଚାୟତର ବଡବାର୍ଲି ଗାଁରେ । ବସତି ସ୍ଥାପନ ହୋଇ ୧୦୦ ବର୍ଷ ବିତିଗଲାଣି । ଅଥଚ ଖୋଳାଯାଇଥିବା ନଳକୂଅରୁ ପାଣି ବାହାରୁନି କି ଅନ୍ୟ କୌଣସି ପ୍ରକଳ୍ପ ସୁବିଧା ନାହିଁ । ଗାଁଠାରୁ ପ୍ରାୟ ଗୋଟିଏ କିମି ଦୂର ପାହାଡର ଝର ପାଣିରେ ମେଣ୍ଟୁଛି ଶୋଷ । କେବଳ ଶୋଷ ନୁହେଁ, ଗାଧୁଆପାଧୁଆଠାରୁ ଆରମ୍ଭ କରି ରନ୍ଧାବଢା ପର୍ଯ୍ୟନ୍ତ-ସବୁ କାମରେ ବ୍ୟବହାର ହେଉଛି ଏ ପାଣି । ତଥାପି ଜିଲ୍ଲା ପ୍ରଶାସନ କିମ୍ବା ରାଜ୍ୟ ସରକାର କେହିହେଲେ ଏହାର ସ୍ଥାୟୀ ପ୍ରତିକାର ଦିଗରେ କୌଣସି ପଦକ୍ଷେପ ନେଇନାହାନ୍ତି ।
ପ୍ରେମାନନ୍ଦ ନାଗ, ରବୀନ୍ଦ୍ର ନାଗ, ରାମସିଂ ଜାନୀ, ଗୋବିନ୍ଦ ନାୟକ, ଅଲଙ୍କା ହରିଜନ, ଶାନ୍ତିମଣି ନାଗ ପ୍ରମୁଖ ଗ୍ରାମବାସୀ କହିଛନ୍ତି, ସେମାନଙ୍କ ଗାଁରେ ଆଦିବାସୀ ଓ ଦଳିତ ପରିବାରର ୨୧୮ ଘର ରହିଛି । ଲୋକସଂଖ୍ୟା ୧ ହଜାରରୁ ଅଧିକ । ପାହାଡଘେରା ଏ ଗାଁକୁ ରାସ୍ତା, ବିଜୁଳି ପହଞ୍ଚିପାରିଛି । ବସ୍ ସେବା ବି ମିଳୁଛି । ଅଥଚ ପିଇବା ପାଣି ଯୋଗାଇବାରେ ସରକାର ବିଫଳ ହୋଇଛନ୍ତି । ପ୍ରଶାସନ ପକ୍ଷରୁ ୩ଟି ନଳକୂଅ ଖୋଳାଯାଇଥିଲେ ବି ସେଗୁଡ଼ିକରୁ ଠିକ୍ରେ ପାଣି ବାହାରୁନି । ଅଧା ଘଣ୍ଟାରେ ଗୋଟିଏ ବାଲ୍ଟି ପାଣି ମିଳୁନି । ପୋଖରୀସବୁ ଶୁଖିଲା ପଡିଛି । ବାଧ୍ୟହୋଇ ରାତି ପାହିଲେ ମହିଳାମାନେ ୧ କିମି ଦୂରରେ ଥିବା ଝରପାଣି ସଂଗ୍ରହ କରୁଛନ୍ତି । ଝର ପାଖକୁ ଯିବାକୁ ହେଲେ ପ୍ରାୟ ୩୦ ଫୁଟ ତଳକୁ ଓହ୍ଲାଇବାକୁ ପଡୁଛି । ପ୍ରଶାସନ ପକ୍ଷରୁ ୩୫ଟି ପାହାଚ କରାଯାଇଛି । ପଥର ସନ୍ଧିରେ ୨ଟି ପାଇପ୍ ଲଗାଇ ପାଣି ସଂଗ୍ରହ କରାଯାଉଛି । ଗାଁରେ କାହାରି ମୃତ୍ୟୁ ହେଲେ ଅନ୍ତ୍ୟେଷ୍ଟିକ୍ରିୟା ପରେ ସ୍ନାନ ଶୌଚପାଇଁ ୨ କିମି ଦୂର ସାନବାର୍ଲି ଓ ନୂଆଗୁଡା ଗାଁ ପୋଖରୀକୁ ଯିବାକୁ ପଡ଼ୁଛି ।
ଏଠାରେ ପ୍ରଥମରୁ ଷଷ୍ଠ ପର୍ଯ୍ୟନ୍ତ ସ୍କୁଲ ରହିଛି । ୧୦୨ ଛାତ୍ରଛାତ୍ରୀ ପାଠ ପଢୁଛନ୍ତି। ଝର ପାଣିରେ ପିଲାଙ୍କ ମଧ୍ୟାହ୍ନଭୋଜନ ରୋଷେଇ ହେଉଛି । କୌଣସି ନିର୍ମାଣ କାର୍ଯ୍ୟ କରିବାକୁ ହେଲେ କଳାହାଣ୍ଡି ଜିଲ୍ଲା ସୀମାନ୍ତ ଏକ ଝରଣାରୁ ଟ୍ରାକ୍ଟରରେ ପାଣି ଆଣି କାମ କରାଯାଉଛି । ଟ୍ରାକ୍ଟର ପିଛା ୧୫ଶହ ଟଙ୍କା ଖର୍ଚ୍ଚ କରିବାକୁ ପଡୁଛି । ଆବଶ୍ୟକ ପଡିଲେ ପାଣି କିଣିବାକୁ ପଡୁଛି ବୋଲି କହିଛନ୍ତି । ବହୁବାର ଜିଲ୍ଲାପ୍ରଶାସନ ଓ ରାଜନେତାଙ୍କ ନିକଟରେ ଦାବି ହୋଇଛି । କିନ୍ତୁ ସୁଫଳ ମିଳିନି । ଅନ୍ୟପକ୍ଷରେ ମେଗା ପାନୀୟଜଳ ପ୍ରକଳ୍ପରେ ଏକ ଟାଙ୍କି ନିର୍ମାଣ ହୋଇଛି । ଆଜି ପର୍ଯ୍ୟନ୍ତ ପାଇପଲାଇନ୍ ବିଛାଯାଇ ନାହିଁ ।
ଏସମ୍ପର୍କରେ ଗ୍ରାମ୍ୟ ପାନୀୟଜଳ ଯୋଗାଣ ନିର୍ବାହୀଯନ୍ତ୍ରୀ ପ୍ରତୀପକୁମାର ରାଉତକୁ ପଚାରିବାରୁ କହିଛନ୍ତି, ମେଗା ପାନୀୟଜଳ ପ୍ରକଳ୍ପରେ ଗାଁକୁ ଜଳଯୋଗାଣ ଯୋଜନା ରହିଛି । ଜାତୀୟ ରାଜପଥ ବିଭାଗ ପାଇପ୍ ବିଛାଇବା ଲାଗି ଅନୁମତି ଦେଉନଥିବାରୁ ସମସ୍ୟା ଉପୁଜିଛି । ଜିଲ୍ଲାପ୍ରଶାସନ ପକ୍ଷରୁ ଉଦ୍ୟମ ଜାରି ରହିଛି । ଆସନ୍ତା ଦେଢ ମାସ ମଧ୍ୟରେ ଗାଁର ପାନୀୟଜଳ ସମସ୍ୟା ଦୂର ହୋଇଯିବ ।