ମାଲକାନଗିରି,/ଚିତ୍ରକୋଣ୍ଡା,୨୫/୪ : ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ସ୍ବାଭିମାନ ଅଞ୍ଚଳରେ ବିଏସଏଫ ଯବାନ କୁମ୍ବିଂ ଅପରେସନ ସମୟରେ ମାଓ ଡମ୍ପ୍ ଠାବ କରିଛନ୍ତି । ଏହି ଡମ୍ପ ଭିତରୁ ୪ଟି ଟିଫିନ ବୋମା ସହ ଗୋଟିଏ ୧୨ ଭୋଲ୍ଟ ବ୍ୟାଟେରୀ, ବିଦ୍ୟୁତ ତାର, ବଡ଼ ପ୍ଳାଷ୍ଟିକ ଡ୍ରମ, ଅକ୍ସିଜେନ ସିଲିଣ୍ଡର ସହ ଅନେକ ବିସ୍ଫୋରକ ସାମଗ୍ରୀ ବାହାରିଛି। ସ୍ୱାଭିମାନ ଅଞ୍ଚଳ ଘନବେଡ଼ା ଓ ଗୋରାସେତୁ ବିଏସଏଫ କ୍ୟାମ୍ପର ୧୭୭ବାଟାଲିୟନର ଯବାନମାନେ ଏରିଆ ଡମିନେସନ ଲାଗି ପଣଷପୁଟ ପଞ୍ଚାୟତ ଅନ୍ତର୍ଗତ ମାଓ ପ୍ରବଣ କେନ୍ଦୁଗୁଡା ଜଙ୍ଗଲକୁ ଯାଇଥିଲେ ।
ଜଙ୍ଗଲରେ ଯାଞ୍ଚ ଚାଲିଥିବାବେଳେ ଗୋଟିଏ ସ୍ଥାନରେ ଲ୍ୟାଣ୍ଡମାଇନ ଡିଟେକ୍ଟର ଦ୍ବାରା ଯବାନମାନେ ଏହି ସବୁ ବିସ୍ଫୋରକ ସାମଗ୍ରୀ ଜବତ କରିଛନ୍ତି । ସୀମାନ୍ତ ଛତିଶଗଡ଼ ଓ ତେଲଙ୍ଗନାରେ ମାଓବାଦୀ ବିରୋଧୀ ଅପରେସନ ଜୋରଦାର ଚାଲିଥିବାବେଳେ ମାଓବାଦୀମାନେ ମାଲକାନଗିରି ସୀମା ଭିତରେ ପ୍ରବେଶ କରି ଏହି ସବୁ ବିସ୍ଫୋରକ ସାମଗ୍ରୀ ମାଟି ତଳେ ଡମ୍ପ୍ କରିଥିବା ନେଇ ସୂଚନା ଦେଇଛନ୍ତି ବିଏସଏଫ ଅଧିକାରୀ ।