କେନ୍ଦ୍ରାପଡ଼ା/ମହାକାଳପଡ଼ା,୨୫/୦୪: କିଛି ଦିନର ବିରତି ପରେ ମହାକାଳପଡ଼ା ବ୍ଲକ୍ ଅଧ୍ୟକ୍ଷାଙ୍କ ବିରୋଧରେ ଅନାସ୍ଥା ଭୋଟ ରାଜନୀତି ପୁଣି ତେଜିଛି । ବନ୍ଦ ରହିଥିବା ଅନାସ୍ଥା ଭୋଟ୍ ଚଳିତ ମାସ ୨୯ ତାରିଖରେ ହେବ ବୋଲି କେନ୍ଦ୍ରାପଡ଼ା ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପକ୍ଷରୁ ନୋଟିସ୍ ଜାରି କରାଯାଇଛି । ବିଜେଡି ସମର୍ଥିତ ବ୍ଲକ୍ ଅଧ୍ୟକ୍ଷା କଳ୍ପନା ରାଉତଙ୍କ ବିରୁଦ୍ଧରେ ଆଗତ ଅନାସ୍ଥା ପ୍ରସ୍ତାବ ଉପରେ ୨୯ ତାରିଖରେ ପଞ୍ଚାୟତ ସମିତି ସଭାଗୃହରେ ଭୋଟ ହେବା ପାଇଁ ନୋଟିସ୍ ଜାରି ପରେ ଅଦିନିଆ ଝଡ଼ ବହିବା ଆରମ୍ଭ କରିଛି । ଉଭୟ ବିଜେଡି ଓ ବିଜେପି ଶିବିର ନିଜ ଅସ୍ତିତ୍ୱ ରକ୍ଷା ପାଇଁ ଉଦ୍ୟମ ଆରମ୍ଭ କରି ଦେଇଛନ୍ତି ।
ପ୍ରାଥମିକ ପର୍ଯ୍ୟାୟରେ ଅନାସ୍ଥା ରାଜନୀତିରେ ବିଜେପି ସାମାନ୍ୟ ଆଗୁଆ ଥିବା ବେଳେ ପରବର୍ତ୍ତୀ ପର୍ଯ୍ୟାୟରେ ବିଜେଡି ସୁବିଧାଜନକ ସ୍ଥିତିରେ ଥିଲା । ବିଜେଡି ଶିବିରର ସଫଳ ଗୋଟି ଚାଳନା ଯୋଗୁଁ ବିଜେପି ପଛରେ ପଡ଼ିଯାଇଥିଲା । ଯେଉଁଥିପାଇଁ ଅନାସ୍ଥା ଭୋଟ୍ ପାଇଁ ଦଳ ପଛଘୁଞ୍ଚା ଦେଇଥିବା କୁହାଯାଇଥିଲା । ଶେଷ ସମୟରେ ଜିଲ୍ଲା ପ୍ରଶାସନ ନିର୍ବାଚନକୁ ବନ୍ଦ ରଖିଥିଲା । ଏପରିସ୍ଥଳେ ୨୯ ତାରିଖରେ ଅନାସ୍ଥା ଭୋଟ ସମ୍ପର୍କିତ ଚିଠି ୩୧ ପଞ୍ଚାୟତର ସରପଞ୍ଚ ଓ ସମିତି ସଭ୍ୟାମାନଙ୍କ ପାଖରେ ପହଞ୍ଚିଛି । ଉଭୟ ବିଜେପି ଓ ବିଜେଡି ଶିବିର ପୁଣି ଚଳଚଞ୍ଚଳ ହୋଇପଡ଼ିଛି । ଭୋଟ୍ରେ ମହାକାଳପଡ଼ା ବ୍ଲକ୍ର ୩୧ ସମିତି ସଭ୍ୟ ଓ ସରପଞ୍ଚ ଏବଂ ବିଧାୟକ ଓ ଲୋକସଭା ସାଂସଦ ଅଂଶ ଗ୍ରହଣ କରିପାରିବେ । ଦୁଇ ତୃତୀୟାଂଶ ସଭ୍ୟ ଓ ସରପଞ୍ଚଙ୍କ ଭୋଟ୍ କାଏମ ହେଲେ ଅଧ୍ୟକ୍ଷ ପଦ ରଦ୍ଦ ହେବ । ଭୋଟରେ ମୋଟ୍ ୬୪ ଜଣ ଅଂଶଗ୍ରହଣ କରିପାରିବେ ।