ପୁରୀ ୨୫/୦୪: ପଶ୍ଚିମବଙ୍ଗ ସରକାରଙ୍କ ଦ୍ୱାରା ଦୀଘାରେ ନିର୍ମାଣ ହୋଇଥିବା ଜଗନ୍ନାଥ ମନ୍ଦିରର ଆସନ୍ତା ୩୦ ତାରିଖ ଆର୍ଥାତ୍ ଅକ୍ଷୟ ତୃତୀୟାରେ ଉଦ୍ଘାଟନ ହେବ । ଏହି ଦିନ ରୋଷ କାର୍ଯ୍ୟକ୍ରମରେ କେହି ସାମିଲ ନ ହେବାକୁ ଶ୍ରୀମନ୍ଦିର ସୁଆର ମହାସୁଆର ନିଯୋଗ ପକ୍ଷରୁ ରୋଷଘର ଓ ଶ୍ରୀମନ୍ଦିର ଚାରିଦ୍ୱାରରେ ନୋଟିସ୍ ଜାରି କରାଯାଇଛି ।
ଏଥିରେ ସ୍ପଷ୍ଟ ଭାବେ ଉଲ୍ଲେଖ ରହିଛି, ନିଯୋଗର ସମସ୍ତ ସଦସ୍ୟ, ରୋଷସମ୍ପୃକ୍ତ (ଅବଢ଼ା ଓ ଶୁଖିଲି ମହାପ୍ରସାଦ) କର୍ମଚାରୀ ଯଥା ଯୋଗାଣିଆ, ତୁଣିଆ ଓ ପାଣିଆମାନଙ୍କୁ ନିର୍ଦ୍ଦେଶ ଦିଆଯାଉଛି । ଏପରିକି ଏହାକୁ ଅମାନ୍ୟ କଲେ ସମ୍ପୃକ୍ତ ସୁପକାର ସଭ୍ୟଙ୍କୁ ରୋଷ ସହ ନିଯୋଗରୁ ସମ୍ପୂର୍ଣ୍ଣ ଭାବେ ବାସନ୍ଦ କରାଯିବ ଏବଂ କର୍ମଚାରୀମାନଙ୍କୁ ରୋଷ କାର୍ଯ୍ୟରୁ ସବୁଦିନ ଲାଗି ନିଲମ୍ବିତ କରାଯିବ ବୋଲି ସ୍ପଷ୍ଟ କରିଛନ୍ତି ସୁଆର ମହାସୁଆର ନିଯୋଗ ସମ୍ପାଦକ ନାରାୟଣ ମହାସୁଆର ।
ସୂଚନାଯୋଗ୍ୟ, ନିୟୁ ଦୀଘା ରେଳଷ୍ଟେସନ ନିକଟରେ ୨୦ ଏକର ଜାଗାରେ ୨୫୦କୋଟି ଟଙ୍କା ବ୍ୟୟରେ ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ଅନୁକରଣରେ ନୂତନ ଅନ୍ୟ ଏକ ଶ୍ରୀ ଜଗନ୍ନାଥ ମନ୍ଦିର ନିର୍ମାଣ କାର୍ଯ୍ୟ ଶେଷ ହୋଇଛି । ଏହି ନୂତନ ଜଗନ୍ନାଥ ମନ୍ଦିରରେ ଶ୍ରୀବଳଭଦ୍ର, ଦେବୀ ସୁଭଦ୍ରା ଓ ଶ୍ରୀଜଗନ୍ନାଥଙ୍କ ପ୍ରାଣ ପ୍ରତିଷ୍ଠା ଲାଗି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଶୁଭ ଉଦ୍ଘାଟନ କରିବେ ବୋଲି ସରକାରୀ ଭାବେ ଘୋଷଣା କରାଯାଇଥିବା ଜଣାପଡିଛି।