କେନ୍ଦ୍ରାପଡ଼ା/ଇନ୍ଦୁପୁର,୨୬/୩ : ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସହଧର୍ମିଣୀ ଡ. ପ୍ରିୟଙ୍କା ମାରାଣ୍ଡି ଆଜି କେନ୍ଦ୍ରାପଡ଼ା ଜିଲ୍ଲା ଗସ୍ତରେ ଆସି ପ୍ରସିଦ୍ଧ ଇନ୍ଦୁପୁର ବାରୁଣୀ ଉତ୍ସବରେ ସାମିଲ ହୋଇଛନ୍ତି । ଡ. ମାରାଣ୍ଡି ପ୍ରଥମେ ଇନ୍ଦୁପୁର ଡାକବଙ୍ଗଳାରେ ପହଞ୍ଚିଥିଲେ । ସେଠାରେ ତାଙ୍କୁ ଭବ୍ୟ ସ୍ୱାଗତ କରାଯାଇଥିଲା । ପରେ ସେଠାରୁ ସେ ଇନ୍ଦୁପୁରର ପ୍ରସିଦ୍ଧ ମା’ ଚଣ୍ଡୀଦେବୀଙ୍କ ପୀଠକୁ ଯାଇ ମା’ଙ୍କ ଦର୍ଶନ କରିଥିଲେ । ଏହି ଅବସରରେ ସେ ବାରୁଣୀ ତୋରଣକୁ ଉଦ୍ଘାଟନ କରିଥିଲେ । ଏହା ପରେ ବାରୁଣୀ ଘାଟ ପରିଦର୍ଶନ କରିଥିଲେ । ପରେ ବିଶ୍ୱଶାନ୍ତି ଓ କଲ୍ୟାଣ କୈବଲ୍ୟ ମହାଯଜ୍ଞ ମଣ୍ଡପକୁ ଯାଇ ଆଶୀର୍ବାଦ ଭିକ୍ଷା କରି ପ୍ରସାଦ ସେବନ କରିଥିଲେ ।
ଏହି ଅବସରରେ ଜିଲ୍ଲାପାଳ ସ୍ମୃତିରଂଜନ ପ୍ରଧାନ, ଏସ୍ପି ସିଦ୍ଧାର୍ଥ କଟ୍ଟାରିଆ, ପଟ୍ଟାମୁଣ୍ଡାଇ ଏସ୍ଡିପିଓ କ୍ଷମାସାଗର ପଣ୍ଡା, ନିକିରାଇ ଆଇଆଇସି ପଦ୍ମାଳୟା ପ୍ରଧାନ ଓ ଅନ୍ୟ ବରିଷ୍ଠ ପଦାଧିକାରୀମାନେ ଉପସ୍ଥିତ ଥିଲେ । ଇନ୍ଦୁପୁର ସରପଞ୍ଚ ପ୍ରଦୀପ୍ତ ସୂତାର କହିଛନ୍ତି କି, ପବିତ୍ର ବାରୁଣୀ ମେଳା ଓ ମହୋତ୍ସବ ବାବଦରେ ଆମର ପ୍ରସ୍ତୁତି ପର୍ବ ସରିଥିଲା । କିନ୍ତୁ ୨୦୦୨ ମସିହାଠାରୁ କେଶବ ବାବା ବାରୁଣୀ ମହୋତ୍ସବର ମହତ୍ତ୍ୱ ବୁଝି ସେତେବେଳେ ଏକ ଯଜ୍ଞ ଆରମ୍ଭ କରିଥିଲେ । ଆଜି ୨୨ତମ ଯଜ୍ଞ ପାଳନ କରାଯାଉଛି । ମୁଖ୍ୟମନ୍ତ୍ରୀ ଓ ତାଙ୍କ ସହଧର୍ମିଣୀ ବାବାଙ୍କ ଆଶ୍ରିତ । ଆମେ ଅଞ୍ଚଳବାସୀ ଚାହୁଁଥିଲୁ ଉଭୟ ଏଠାକୁ ଆସନ୍ତୁ । ଆମେ ଏ ବିଷୟ ଜଣାଇଥିଲୁ ।
ଆମ ଅନୁରୋଧ ରକ୍ଷା କରି ସେ ଆମ ପାଖରେ ପହଞ୍ଚିଛନ୍ତି । ତାଙ୍କ ଉପସ୍ଥିତି ଆମକୁ ଗୌରବାନ୍ୱିତ କରିଛି । ସେ ନିଶ୍ଚିତ ଭାବେ ଆମ ସମସ୍ତଙ୍କ ଲାଗି ପ୍ରେରଣାର ଉତ୍ସ ବୋଲି ଶ୍ରୀ ସୂତାର କହିଛନ୍ତି । ଆସନ୍ତାକାଲି (୨୭ ତାରିଖ) ସକାଳେ ବାରୁଣୀ ବୁଡ଼ରୁ ଆରମ୍ଭ ହୋଇ ଏହି ଉତ୍ସବ ଏପ୍ରିଲ ୨ ତାରିଖ ଯାଏ ଚାଲିବ ।