ଜୟପୁର,୨୬/୩ : କେନ୍ଦ୍ରୀୟ ବିଦ୍ୟାଳୟ ଉଦ୍ଘାଟନ ଲାଗି ଦିନଧାର୍ଯ୍ୟ କରାଯାଉନି । ଗତ ୨୨ରେ ଉଦ୍ଘାଟନ କାର୍ଯ୍ୟକ୍ରମ ବାତିଲ ହେବାପରେ ଆଗାମୀ ପଦକ୍ଷେପ ସଂପର୍କରେ କୌଣସି ସୂଚନା ଦିଆଯାଉନି । ଚଳିତ ଶିକ୍ଷାବର୍ଷରୁ ପୁଅଝିଅଙ୍କ ନାମ ଲେଖାଇବାକୁ ଆଶା ରଖିଥିବା ଅଭିଭାବକମାନେ ଏବେ ନାନା ଆଶଙ୍କାରେ ରହିଛନ୍ତି । ସରକାରୀ ଏବଂ ବେସରକାରୀ ସ୍କୁଲରେ ନାମଲେଖା ପ୍ରକ୍ର ିୟା ଆରମ୍ଭ ହୋଇଯାଇଥିବାରୁ ସେମାନଙ୍କ ଚିନ୍ତା ବଢିଯାଇଛି । ଦୀର୍ଘବର୍ଷର ଦାବି ପରେ ଏଠାରେ କେନ୍ଦ୍ରୀୟ ବିଦ୍ୟାଳୟ ଖୋଲିବାକୁ ଯାଉଛି । ସରକାରୀ ବାଳକ ଉଚ୍ଚ ବିଦ୍ୟାଳୟର ଏକ କୋଠାରେ ପ୍ରଥମେ ଏହା କାର୍ଯ୍ୟ କରିବ ।
ଏଥିଲାଗି ସମସ୍ତ ପ୍ରସ୍ତୁତି ସରିଛି । ଗତ ୨୨ରେ ଏହାର ଉଦ୍ଘାଟନ କାର୍ଯ୍ୟକ୍ରମ ରହିଥିଲା । ଏଥିଲାଗି ଟେଣ୍ଟ କାମ ଆରମ୍ଭ ହୋଇଥିଲା । କୌଣସି କାରଣରୁ କାର୍ଯ୍ୟକ୍ରମ ବାତିଲ ହେବାପରେ ଟେଣ୍ଟ ପାଇଁ ଲଗାଯାଇଥିବା ଲୁହାପୋଲ୍ ବାହାର କରିଦିଆଯାଇଛି । କେବେ ଉଦ୍ଘାଟନ ହେବ, ସେ ସମ୍ପର୍କରେ କେନ୍ଦ୍ରୀୟ ବିଦ୍ୟାଳୟ ପକ୍ଷରୁ କୌଣସି ସୂଚନା ଦିଆଯାଉନି । ଉଦ୍ଘାଟନ ହେଲେ ନାମଲେଖା ପାଇଁ କିପରି ଆବେଦନ କରିବେ ଜାଣିପାରନ୍ତେ ଅଭିଭାବକ । କାରଣ କେନ୍ଦ୍ରୀୟ ବିଦ୍ୟାଳୟର ୱେବସାଇଟରେ ଜୟପୁରର ନାଁ ନାହିଁ । ଏଠାରେ କାର୍ଯ୍ୟାଳୟ ଖୋଲିଥିଲେ ଅନଲାଇନ ନା ଅଫ ଲାଇନରେ ଅବେଦନ କରିବେ ଜାଣିପାରନ୍ତେ । ତୁରନ୍ତ ଏ ଦିଗରେ ସ୍ପଷ୍ଟ ସୂଚନା ଦିଆଯିବାକୁ ଦାବି ହୋଇଛି । ସୂଚନାଥାଉକି, ଚଳିତ ଶିକ୍ଷାବର୍ଷରେ ପ୍ରଥମରୁ ପଞ୍ଚମ ପର୍ଯ୍ୟନ୍ତ ନାମଲେଖା ହେବ । ପ୍ରତ୍ୟେକ ଶ୍ରେଣୀରେ ୪୦ ସିଟ୍ ରହିବ । ନାମ ଲେଖାଇବାକୁ କେନ୍ଦ୍ର ସରକାରଙ୍କ ବିଭିନ୍ନ କାର୍ଯ୍ୟାଳୟରେ କାମ କରୁଥିବା କର୍ମଚାରୀଙ୍କ ପୁଅଝିଅଙ୍କୁ ପ୍ରଥମେ ପ୍ରାଥମିକତା ଦିଆଯିବ । ଏହାପରେ କେନ୍ଦ୍ରୀୟ ନିଗମ, କେନ୍ଦ୍ର ସରକାରଙ୍କ ଅନୁବନ୍ଧିତ ବ୍ୟାଙ୍କ ଏବଂ ଅନ୍ୟାନ୍ୟ କାର୍ଯ୍ୟାଳୟ, ରାଜ୍ୟ ସରକାରୀ କର୍ମଚାରୀଙ୍କ ପୁଅଝିଅଙ୍କୁ ସୁଯୋଗ ମିଳିବ । ଏହାପରେ ସାଧାରଣ ଲୋକଙ୍କ ପୁଅଝିଅ ନାମ ଲେଖାଇପାରିବେ । ଅଧିକ ଆବେଦନ ହୋଇଥିଲେ ଲଟେରୀ ମାଧ୍ୟମରେ ସିଟ୍ ପ୍ରଦାନ କରାଯିବ