ଭୁବନେଶ୍ବର, ୬।୨ : ବାରବାଟୀ ଦିନିକିଆ ପାଇଁ ଦୁଇଟି ଟିମର ଖେଳାଳିମାନେ ବସରେ ଭୁବନେଶ୍ବରରୁ କଟକ ଆସିବେ। ଖେଳାଳୀମାନେ ଯେଉଁ ଵସ୍ ରେ ଆସିବେ, ସେହି ଵସକୁ ନେଇ କମିଶନରେଟ ପୋଲିସ ପକ୍ଷରୁ କାରକେଡ ରିହରସଲ କରାଯାଇଛି। ଭୁବନେଶ୍ବରରୁ କାରକେଡ ଗୁରୁବାର ସନ୍ଧ୍ୟାରେ ବାରବାଟୀ ଷ୍ଟାଡିୟମରେ ପହଞ୍ଚିଥିଲା।
ଉଭୟ କଟକ ଓ ଭୁବନେଶ୍ୱରର ଡିସିପି, ଟ୍ରାଫିକ ଡିସିପି ଓ ସ୍ବତନ୍ତ୍ର ପୋଲିସ ଫୋର୍ସ ଏହି କାରକେଡ ରିହରସଲରେ ସାମିଲ ହୋଇଥିଲେ। ଖେଳାଳି ମାନେ କିଭଳି ସୁରକ୍ଷିତ ଭାବେ ଭୁବନେଶ୍ଵର ହୋଟେଲରୁ ଵାହାରି ବାରବାଟୀରେ ପହଞ୍ଚିବେ ସେ ନେଇ କମିଶନରେଟ ପୋଲିସ ସମ୍ପୂର୍ଣ୍ଣ ପ୍ରସ୍ତୁତି କରିଥିଵା କଟକ ଡିସିପି ଜଗମୋହନ ମିନା କହିଛନ୍ତି।
ବାରବାଟୀ ଷ୍ଟାଡିୟମରେ ଆସନ୍ତା ୯ ତାରିଖରେ ଖେଳାଯିବାକୁ ଥିବା ଭାରତ-ଇଂଲଣ୍ଡ ମ୍ୟାଚ୍ ପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା ହୋଇଛି । ଭିଡ଼କୁ ଦୃଷ୍ଟିରେ ରଖି ୫୦ ପ୍ଲାଟୁନ୍ ପୁଲିସ୍ ଫୋର୍ସ ମୁତୟନ କରାଯିବ ବୋଲି ପୁଲିସ୍ କମିଶନର ଡ. ଏସ୍ ଦେବଦତ୍ତ ସିଂହ କହିଛନ୍ତି ।
ଶ୍ରୀ ସିଂହ କହିଛନ୍ତି, ‘ଆସନ୍ତା ୭ ତାରିଖରେ ଭାରତ ଓ ଇଂଲଣ୍ଡ ଦଳର ଖେଳାଳି ଭୁବନେଶ୍ୱରରେ ପହଞ୍ଚିବେ । ୮ ତାରିଖରେ ସେମାନେ ବାରବାଟୀରେ ଅଭ୍ୟାସ୍ କରିବେ । ୯ ତାରିଖରେ ମ୍ୟାଚ୍ ଖେଳାଯିବ । ମ୍ୟାଚ୍ କିଭଳି ସୁରୁଖୁରୁରେ ସମ୍ପନ୍ନ ହେବ ସେନେଇ ବିଭିନ୍ନ ସଂସ୍ଥା ସହିତ ଆଲୋଚନା କରାଯାଇଛି ।’ ଖେଳାଳିମାନଙ୍କ ସୁରକ୍ଷା ପ୍ରତି ଅଧିକ ଗୁରୁତ୍ୱ ଦିଆଯାଇଛି । ସେମାନଙ୍କ ରହଣି ସହିତ କଟକ ଯିବା ଆସିବା ଏବଂ ମ୍ୟାଚ୍ ସମୟରେ ଗହଳି ନିୟନ୍ତ୍ରଣ ଉପରେ ଅଧିକ ଧ୍ୟାନ ଦିଆଯାଇଛି । ବାରବାଟୀ ଷ୍ଟାଡିୟମ କଡ଼ା ସୁରକ୍ଷା ବଳୟରେ ରହିବ।