ମାଉଣ୍ଟ ଆବୁ/ଭୁବନେଶ୍ୱର, ୨୪ ।୪- ମାଉଣ୍ଟ ଆବୁ କେବଳ ଭାରତର ହିଲ୍ ଷ୍ଟେସନ ନୁହେଁ, ବରଂ ଶତାବ୍ଦୀ ଶତାବ୍ଦୀ ଧରି ଆତ୍ମଚିନ୍ତନ ଏବଂ ଆଧ୍ୟାତ୍ମିକ ଶିକ୍ଷାର ପବିତ୍ର ସ୍ଥାନ ଅଟେ । ଏଠାରେ ଭଗବାନ ରାମଙ୍କ ଗୁରୁ ଋଷି ବଶିଷ୍ଠ ନିଜର ଆଶ୍ରମ ପ୍ରତିଷ୍ଠା କରିଥିଲେ, ଯାହା ଆଜି ଗୌମୁଖ ମନ୍ଦିର ନାମରେ ପ୍ରସିଦ୍ଧ । ଏହି ପବିତ୍ର ସ୍ଥଳରେ ବ୍ରହ୍ମାକୁମାରୀ ସଂଗଠନ ମୂଲ୍ୟବୋଧ ଭିତ୍ତିକ ଶିକ୍ଷା ଓ ମାନବ ବିକାଶର ବିଶ୍ୱସ୍ତରୀୟ ପ୍ରୟାସକୁ ଦିଗଦର୍ଶନ ଦେଇଛି । ଏହି ଭୂମିକୁ ଶ୍ରଦ୍ଧେୟ ଦାଦୀ ରତନ ମୋହିନୀଙ୍କ ଭଳି ତପସ୍ୱୀଙ୍କ କର୍ମଯୋଗ ସମୃଦ୍ଧ କରିଛି ବୋଲି କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ଗୁରୁବାର ରାଜସ୍ଥାନର ମାଉଣ୍ଟ ଆବୁରେ ବ୍ରହ୍ମାକୁମାରୀ ପକ୍ଷରୁ ସାମଗ୍ରିକ କଲ୍ୟାଣ ପାଇଁ ଶିକ୍ଷା' ବିଷୟ ଉପରେ ଆୟୋଜିତ ମହାସମ୍ମିଳନୀରେ ଶ୍ରୀ ପ୍ରଧାନ ଯୋଗଦେଇ ଥିଲେ। ଏହି ଅବସରରେ ସେ କହିଛନ୍ତି ଯେ ବ୍ରହ୍ମାକୁମାରୀ ସଙ୍ଗଠନର ମୂଲ୍ୟ ଆଧାରିତ ଶିକ୍ଷା ଓ ଆତ୍ମାନ୍ତର ପରିବର୍ତ୍ତନ ପ୍ରତିବଦ୍ଧତା କେବଳ ଏହି କାର୍ଯ୍ୟକ୍ରମରେ ନୁହେଁ ବରଂ ଅନେକ ବୈଶ୍ୱିକ ପ୍ରୟାସରେ ମଧ୍ୟ ସ୍ପଷ୍ଟ ରୂପେ ପରିଲକ୍ଷିତ ହୁଏ । ଏହି ମହାନ ଉଦ୍ଦେଶ୍ୟକୁ ଆଗକୁ ବଢାଇବା ସହ ଆଜି ବ୍ରହ୍ମକୁମାରୀ ପରିବାରର ଦୁଇଟି ବିଶେଷ ଶିକ୍ଷା ଉପକ୍ରମର ଶୁଭାରମ୍ଭ ହୋଇଛି । ‘ପରାମର୍ଶ ଓ ମାନସିକ ସ୍ୱାସ୍ଥ୍ୟରେ ଏମଏ କୋର୍ସ’ ତଥା ‘ଲିପ୍ ପ୍ରୋଗ୍ରାମ୍ - ନୀତି, ସଚେତନତା ଏବଂ ଉଦ୍ଦେଶ୍ୟ’ - ଏହି ଦୁଇ ପ୍ରୟାସର ଲକ୍ଷ୍ୟ ହେଉଛି, ଏପରି ବ୍ୟକ୍ତିତ୍ୱ ନିର୍ମାଣ କରିବା ଦରକାର, ଯେଉଁମାନେ ଭାବନାତ୍ମକ ଭାବରେ ସ୍ଥିର ହେବେ ଏବଂ ଯାହାଙ୍କ ନୀତି ନୈତିକତା ମୂଲ୍ୟବୋଧରେ ଅଟକିଛି – ଏହା ହିଁ ହେଉଛି ସାମଗ୍ରିକ ଶିକ୍ଷାର ପ୍ରତିଫଳନ ।
ଆଗାମୀ ଦିନରେ ଯେତେବେଳେ ବ୍ରହ୍ମକୁମାରୀ ଶତବାର୍ଷିକୀ ପାଳନ କରିବ, ଭାରତ ମଧ୍ୟ ନିଜର ସ୍ୱାଧୀନତାର ଶତବାର୍ଷିକୀ ପୂରଣ କରିବ । ଏହି ସମୟ ମଦନ ମୋହନ ମାଲବୀୟ, ଶ୍ରୀ ଅରବିନ୍ଦ, ବିନୋଭା ଭାବେ ଏବଂ ପୂଜ୍ୟ ବ୍ରହ୍ମ ବାବାଙ୍କ ପରି ମହାନ ବିଭୁତିମାନଙ୍କ ମୂଲ୍ୟବୋଧ ଉପରେ ଆଧାରତ ଭାରତ ଦୁନିଆର ନେତୃତ୍ୱ କରିବ । ଗୁରୁ ହିଁ ମନୁଷ୍ୟକୁ ନାରାୟଣ କରିଥାଏ । ବାସ୍ତବିକ ପରିବର୍ତ୍ତନ ଶିକ୍ଷକଙ୍କ ମାଧ୍ୟମରେ ହିଁ ସମ୍ଭବ ହୋଇଥାଏ । ଆଜି ବ୍ରହ୍ମାକୁମାରୀ ସଂସ୍ଥା ଯେଉଁଭଳି ଭାବେ ଭାରତୀୟ ବିଚାରକୁ ୧୦୦ରୁ ଅଧିକ ଦେଶରେ ପହଞ୍ଚାଉଛି, ତାହା ଅଦ୍ୱିତୀୟ । ଜାତୀୟ ଶିକ୍ଷା ନୀତି – ୨୦୨୦ ମଧ୍ୟ ଏହି ବିଚାରକୁ ଆଗକୁ ବଢାଇ ସାମଗ୍ରିକ ଶିକ୍ଷା, ମାନସିକ ସ୍ୱାସ୍ଥ୍ୟ, ଫିଟନେସ ଏବଂ ମଲଟି ଏଣ୍ଟ୍ରି-ଏକଜିଟ୍ ଭଳି ବିଷୟକୁ ବଳ ଦେଉଛି । ବ୍ରହ୍ମକୁମାରୀର ଏହି ପ୍ରଶିକ୍ଷଣ ପଦ୍ଧତିକୁ ଜାତୀୟ ଶିକ୍ଷା ନୀତି ଅନ୍ତର୍ଗତ କ୍ରେଡିଟ୍ ଫ୍ରେମଓ୍ୱାର୍କରେ ଔପଚାରିକ ମାନ୍ୟତା ମିଳୁ । ଆମେ ଭାରତକୁ କେବଳ ଭୌତିକ ନୁହେଁ, ଆଧ୍ୟାତ୍ମିକ ମୂଲ୍ୟବୋଧ ଆଧାରରେ ମଧ୍ୟ ବିଶ୍ୱର ମହାଶକ୍ତି କରିବା ଦରକାର । ଆଜି ଗ୍ଲୋବାଲ ସାଉଥ୍ କେବଳ ନୁହେଁ ସମଗ୍ର ବିଶ୍ୱ ଭାରତକୁ ଅଧିକ ଆଶା ଓ ଉତ୍ତରଦାୟିତ୍ୱ ଦୃଷ୍ଟିରେ ଦେଖୁଛି । ଦୁନିଆରେ ସମ୍ବେଦନଶୀଳତା ଆସୁ, ଦୁନିଆର ଭଲ ହେଉ, ଏହା ଆମର ଦାୟିତ୍ୱ ଏବଂ ଧର୍ମ ବୋଲି ଶ୍ରୀ ପ୍ରଧାନ ମତପ୍ରକାଶ କରିଛନ୍ତି ।