ଚନ୍ଦ୍ରଶେଖରପୁର,୨୫/୦୪: ସାଲିଆ ସାହି ରାସ୍ତା । କେଉଁଠି ବଡ଼ ବଡ଼ ଖାଲ ତ’ ଆଉ କେଉଁଠି ଉପରକୁ ଗୋଡ଼ି ଆଁ କରିଛି । ଯା’ଆସ ପାଇଁ ଲୋକ ନାକେଦମ୍ ହେଲେଣି । ଗାଡ଼ିରୁ ପଡ଼ିଲେ ଗୋଡ଼, ହାତ ଭାଙ୍ଗିଯିବ । ଚକଚକିଆ ସମାନ୍ତରାଳ ରାସ୍ତାକୁ ଫିକା ପକାଇ ଦେଉଛି ୨୦୦ ମିଟରର ଏହି ଖଣ୍ଡିଆ ରାସ୍ତା । । ସମାନ୍ତରାଳ ରାସ୍ତା କାମ ଆଗଉନି । ଫଳରେ ଲୋକେ ଯନ୍ତ୍ରଣା ଭୋଗି ଚାଲିଛନ୍ତି । ସାଲିଆ ସାହି-ହାତିଆଶୁଣୀ ୨୦୦ ଫୁଟିଆ ସମାନ୍ତରାଳ ରାସ୍ତାର କିଛି ଅଂଶ ଏଭଳି ବିପର୍ଯ୍ୟସ୍ତ ହୋଇ ପଡ଼ିଛି । ଗତ ଦେଢ଼ ବର୍ଷ ହେବ ରାସ୍ତାଟି ମରଣଯନ୍ତା ପାଲଟିଛି ।
ସାଲିଆ ସାହି ଭିତରେ ରାସ୍ତାର ଅଳ୍ପ କିଛି ଅଂଶ ଖାଲଖମା ହୋଇ ରହିଥିବାରୁ ଲୋକେ ନାକେଦମ ହେଉଛନ୍ତି । ରାସ୍ତାର ଏଭଳି କଦର୍ଯ୍ୟ ସ୍ଥିତିକୁ ନେଇ ପୂର୍ତ୍ତ ବିଭାଗର ରାସ୍ତା ଓ ଗୃହ ଡିଭିଜନ-୩ ଅଧୀକ୍ଷଣ ଯନ୍ତ୍ରୀ ନରେନ୍ଦ୍ର କୁମାର ଘଡ଼ାଇ କହିଛନ୍ତି, ଜମି ଅଧିଗ୍ରହଣ ହୋଇପାରୁନି। ଏଥିପାଇଁ କାମ ଅଟକିଛି । କିଛି ଅଂଶରେ କାମ ବନ୍ଦ ହୋଇ ରହିଛି । ଜମି ମିଳିଲେ ତୁରନ୍ତ ଖାଲଖମା ରାସ୍ତା ସହିତ ବାକି ଥିବା ସବୁ ରାସ୍ତାକୁ ନିର୍ମାଣ କରାଯିବ ।
ଜୟଦେବ ବିହାର-ନନ୍ଦନକାନନ ରାସ୍ତାରୁ ଭିଡ଼ କମାଇବାକୁ ସମାନ୍ତରାଳ ରାସ୍ତା ତିଆରି ଯୋଜନା ହୋଇଥିଲା । ପ୍ରାୟ ୯ ବର୍ଷ ତଳେ ସିଆର୍ପି-ଚନ୍ଦକା ୨୦୦ ଫୁଟିଆ ସମାନ୍ତରାଳ ରାସ୍ତାର ପରିକଳ୍ପନା ହେଲା । ଏବେସୁଦ୍ଧା ଶୈଳଶ୍ରୀ ବିହାର-ଓଇଆରସି ଛକରୁ ସାଲିଆ ସାହି ହାତିଆଶୁଣୀ ଯାଏଁ କାମ ଶେଷ ହୋଇଛି । ବସ୍ତି ବାସିନ୍ଦା ଥଇଥାନ ହୋଇନଥିବାରୁ ଉଚ୍ଛେଦ ଆଗଉନି । ବସ୍ତି ବାସିନ୍ଦାଙ୍କ ବିରୋଧ ପାଇଁ ଅନେକ ଥର ଉଚ୍ଛେଦ କରିବାକୁ ଏନଫୋର୍ସମେଣ୍ଟ ଟିମ୍ ଫେରୁଛି । ସାଲିଆ ସାହି ଭିତରେ ୯ ଶହ ମିଟର କାମ ଅଟକି ରହିଛି । ଫଳରେ ସାଲିଆ ସାହି ଆରମ୍ଭ ମୁଣ୍ଡରେ ଦୁଇ ଶହ ମିଟର ରାସ୍ତା ମରଣଯନ୍ତା ହୋଇ ପଡ଼ିରହିଛି ।
ଅନ୍ୟ କୌଣସି ବିକଳ୍ପ ଭଲ ରାସ୍ତା ନଥିବାରୁ ପ୍ରତିଦିନ ଏହି ବାଟ ଦେଇ ହଜାର ହଜାର ଲୋକ ସିଆରପି-ଚନ୍ଦ୍ରଶେଖରପୁରକୁ ଯିବା ଆସିବା କରୁଛନ୍ତି । ଜୟଦେବ ବିହାର ରାସ୍ତାରେ ଗଲେ ୫ କିଲୋମିଟର ବୁଲାଣି ପଡୁଛି । ତେଣୁ ଏପଟେ ଦୂରତା କମ୍ ହେଉଥିବାରୁ ବାଧ୍ୟ ହୋଇ ଏହି ରାସ୍ତାରେ ଯାଉଛନ୍ତି । ଗତ ଗୁରବାର ଦିନ ମଧ୍ୟାହ୍ନରେ ଆଇଆରସି ଭିଲେଜର ସୋମନାଥ ସ୍ୱାଇଁଙ୍କ ବାଇକ୍ ଖସି ପଡ଼ିବାରୁ ତାଙ୍କ ଡାହାଣ ହାତ ଭାଙ୍ଗି ଯାଇଥିଲା । ଏମିତି ପ୍ରତିଦିନ ଛୋଟ ବଡ଼ ଦୁର୍ଘଟଣା ହେଉଛି । ଏହି ରାସ୍ତା ଦେଇ ଦୈନିକ ଶହ ଶହ ଭାରୀ ଯାନ ଓ ସ୍କୁଲ ଭ୍ୟାନ ଯା’ଆସ କରୁଛି । ସନ୍ଧ୍ୟାରେ ପରିସ୍ଥିତି ଆହୁରି ଜଟିଳ ହେଉଛି । ଷ୍ଟ୍ରିଟଲାଇଟ୍ ନଥିବାରୁ ଲୋକେ ଖାଲରେ ପଡୁଛନ୍ତି ।
ଏନେଇ ସମାଜସେବୀ ତଥା ସ୍ଥାନୀୟ ବାସିନ୍ଦା ଅଞ୍ଜନ ନାଥ କହିଛନ୍ତି, ନୂଆ ସରକାର ଆସିବା ପରେ ରାସ୍ତା ନିର୍ମାଣ ଉପରେ ଥରୁଟିଏ ଆଲୋଚନା ହୋଇଛି । ଆଗାମୀ ଦିନରେ ବସ୍ତି ବାସିନ୍ଦାଙ୍କୁ ଥଇଥାନ ଓ ରାସ୍ତାର ନକ୍ସା ଉପରେ ଆଲୋଚନା ହେବ । ଏବେ ରାସ୍ତା ମରଣଯନ୍ତା ହୋଇପଡ଼ିଛି । ବର୍ଷା ଦିନେ ଲୋକେ ଆହୁରି କଲବଲ ହେଉଛନ୍ତି । ଖାଲରେ ବର୍ଷା ପାଣି ପଶି ଯାଉଥିବାରୁ ଲୋକେ ଜାଣି ନପାରି ଦୁର୍ଘଟଣାର ଶିକାର ହେଉଛନ୍ତି । ରାସ୍ତା ତତ୍କାଳ ମରାମତି ହେଉ । ଏହି ରାସ୍ତା ଦେଇ ପ୍ରତିଦିନ ଇନଫୋସିଟି ଯାଉଥିବା ଜଣେ ଇଞ୍ଜିନିୟର ସଞ୍ଜୀବ ଜେନା କହିଛନ୍ତି, ନୂଆପଲ୍ଲୀରୁ ଇନଫୋସିଟି ଯିବା ପାଇଁ ଏହି ରାସ୍ତା ସର୍ଟକଟ୍ ପଡ଼ୁଛି । ଜୟଦେବ ବିହାର ବାଟରେ ନ ଯାଇ ଏହି ରାସ୍ତା ଉପରେ ନିର୍ଭର କରୁଛୁ । ରାସ୍ତାଟି ଖରାପ ଥିବାରୁ ଅସୁବିଧା ହେଉଛି । ମାତ୍ର ଏହି ଦୁଇ ଶହ ମିଟର ଗାଡ଼ି ନେବାକୁ କାଠିକର ହେଉଛି । ନୂଆ ରାସ୍ତା ହେବା ପର୍ଯ୍ୟନ୍ତ ଏହାର ସମାଧାନ କରାଯାଉ ।