ନୂଆଦିଲ୍ଲୀ: ଜଣାଶୁଣା ଅନ୍ଲାଇନ୍ ଟିକେଟ୍ ବୁକିଂ ପ୍ଲାଟଫର୍ମ ବୁକ୍ମାଇଁସୋ ଶନିବାର ଦିନ ଷ୍ଟାଣ୍ଡ୍-ଅପ୍ କମେଡିଆନ୍ କୁନାଲ କାମ୍ରାଙ୍କ ସମସ୍ତ କଣ୍ଟେଣ୍ଟକୁ ନିଜ ଓ୍ଵେବ୍ସାଇଟ୍ରୁ ହଟାଇ ଦେଇଛି ଏବଂ ତାଙ୍କୁ କଳାକାର ତାଲିକାରୁ ମଧ୍ୟ ବାଦ୍ ଦେଇଛି। ଏହି ନିଷ୍ପତ୍ତି ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେଙ୍କୁ ନେଇ କାମ୍ରାଙ୍କ ଏକ ବିବାଦୀୟ ମନ୍ତବ୍ୟ ପରେ ଆସିଛି। କାମ୍ରା ନିଜର ଏକ ଷ୍ଟାଣ୍ଡ୍-ଅପ୍ ଶୋ’ରେ ଶିନ୍ଦେଙ୍କୁ ‘ଗଦ୍ଦାର’ (ବିଶ୍ଵାସଘାତକ) ବୋଲି କହି କଟାକ୍ଷ କରିଥିଲେ। ଯେଉଁଥି ପାଇଁ ଶିବସେନା(ଶିନ୍ଦେ ଗୋଷ୍ଠୀ) ସମର୍ଥକଙ୍କୁ କ୍ଷୁବ୍ଧ କରିଥିଲା। ଯାହାକୁ ନେଇ ଶିବସେନାର ସମର୍ଥକ ମାନେ ଶୋ ସୁଟ୍ ହୋଇଥିବା ସ୍ଥାନରେ ପହଞ୍ଚି ଭଙ୍ଗାରୁଜା ମଧ୍ୟ କରିଥିଲେ।
ଶିବସେନା (ଶିନ୍ଦେ ଗୋଷ୍ଠୀ)ର ଯୁବ ନେତା ରାହୁଲ ଏନ୍ କାନାଲ୍ ଏହି ମନ୍ତବ୍ୟକୁ ଗମ୍ଭୀରତାର ସହ ଗ୍ରହଣ କରି ବୁକ୍ମାଇଁସୋକୁ ଚିଠି ଲେଖିଥିଲେ। ସେ ଦାବି କରିଥିଲେ ଯେ କାମ୍ରାଙ୍କ ଏହି ଅପମାନଜନକ ମନ୍ତବ୍ୟ ଶିବସେନା ନେତାଙ୍କ ସମ୍ମାନକୁ ଆଘାତ ଦେଇଛି ଏବଂ ଏହା ଜନସାଧାରଣଙ୍କ ମଧ୍ୟରେ ବିଭେଦ ସୃଷ୍ଟି କରିପାରେ। ତାଙ୍କ ଅନୁରୋଧ ପରେ ବୁକ୍ମାଇଁସୋ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି କାମ୍ରାଙ୍କ ସମସ୍ତ ଶୋ’ ଓ ଇଭେଣ୍ଟ ସମ୍ବନ୍ଧୀୟ ତଥ୍ୟ ହଟାଇ ଦେଇଛି। ରାହୁଲ କାନାଲ୍ ଙ୍କ ଏହି ନିଷ୍ପତ୍ତିକୁ ସ୍ଵାଗତ କରି କହିଛନ୍ତି ଯେ ଏହା ଶିବସେନା କର୍ମୀଙ୍କ ସମ୍ମାନ ଓ ଆତ୍ମଗୌରବର ରକ୍ଷା କରିବ।
ଏହାସହ ମୁମ୍ବାଇ ପୋଲିସ ମଧ୍ୟ କାମ୍ରାଙ୍କ ବିରୋଧରେ କଡା ପଦକ୍ଷେପ ଗ୍ରହଣ କରିଛି। ପୋଲିସ ପକ୍ଷରୁ ତାଙ୍କୁ ତିନି ଥର ସମନ୍ ଜାରି କରାଯାଇଛି ଏବଂ ଅପମାନଜନକ ମନ୍ତବ୍ୟ ଓ ଜନସାଧାରଣଙ୍କୁ ଉସୁକାଇବା ଅଭିଯୋଗରେ ଏଫ୍ଆଇଆର୍ ରୁଜୁ ହୋଇଛି। ଏହି ଘଟଣା ସାମାଜିକ ଗଣମାଧ୍ୟମରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି କରିଛି। କେହି କେହି କାମ୍ରାଙ୍କୁ ସମର୍ଥନ କରି ମତ ପ୍ରକାଶର ସ୍ଵାଧୀନତା ଉପରେ ଜୋର ଦେଇଛନ୍ତି। ସେମାନେ କହିଛନ୍ତି ଯେ କମେଡି ଏକ କଳା ଏବଂ ଏଥିରେ ରାଜନୈତିକ ବ୍ୟକ୍ତିଙ୍କୁ କଟାକ୍ଷ କରିବା ଅସ୍ଵାଭାବିକ ନୁହେ। ଅନ୍ୟପକ୍ଷରେ, ଶିବସେନା ସମର୍ଥକ ଓ ଅନ୍ୟମାନେ କାମ୍ରାଙ୍କ ମନ୍ତବ୍ୟକୁ ଅନୁଚିତ ଓ ଆକ୍ରମଣାତ୍ମକ ବୋଲି ସମାଲୋଚନା କରିଛନ୍ତି।
ଏହି ବିବାଦ ପରେ କାମରା ଫୋନ୍ ମାଧ୍ୟମରେ ଅତି କମରେ ୫୦୦ରୁ ଅଧିକ ଥର ହତ୍ୟା ଧମକ ପାଇସାରିଲେଣି। ଏହା ପରେ ସେ ବାଧ୍ୟ ହୋଇ ସେ ତାମିଲନାଡୁକୁ ଫେରି ଆସିଥିଲେ। ପରେ ସେ ଅଗ୍ରୀମ ଜାମିନ ପାଇଁ ମାଡ୍ରାସ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ହାଇକୋର୍ଟ ମଧ୍ୟ ତାଙ୍କ ଗିରଫଦାରୀ ବିରୁଦ୍ଧରେ ମଧ୍ୟବର୍ତ୍ତୀକାଳୀନ ସୁରକ୍ଷା ପ୍ରଦାନ କରି ତାଙ୍କ ଜାମିନକୁ ମଞ୍ଜୁର କରିଥିଲେ।