ନୂଆଦିଲ୍ଲୀ,୦୭/୦୪: ଦକ୍ଷିଣ-ପଶ୍ଚିମ ଦିଲ୍ଲୀର ରାସ୍ତା ଉପରେ ସର୍ବ ସମ୍ମୁଖରେ ଜଣେ ବ୍ୟକ୍ତି ତାଙ୍କ ପ୍ରେମିକାଙ୍କୁ ଛୁରୀ ଭୁସି ହତ୍ୟା କରିବା ପରେ ନିଜକୁ ମଧ୍ୟ ଛୁରୀରେ ଆଘାତ ଦେଇଥିଲେ। ଘଟଣାଟି ରବିବାର ରାତି ୯.୩୦ ସମୟରେ ଦିଲ୍ଲୀ କ୍ୟାଣ୍ଟ ଅଞ୍ଚଳର କିର୍ବି ପ୍ଲେସ୍ ବସ୍ ଷ୍ଟପ୍ ରାସ୍ତାରେ ଘଟିଥିଲା। ପୋଲିସର ସୂଚନା ଅନୁଯାୟୀ, ୨୦ ବର୍ଷୀୟ ଅମିତ ଏବଂ ୧୯ ବର୍ଷୀୟ ଯୁବତୀଙ୍କ ମଧ୍ୟରେ ଗତ ଗୋଟିଏ ବର୍ଷ ହେଲା ବନ୍ଧୁତା ଥିଲା। ବର୍ତ୍ତମାନ ଉଭୟଙ୍କ ମଧ୍ୟରେ କିଛି ସମସ୍ୟା ଉପୁଜିବାରୁ ଏପରି ବିବାଦ ସୃଷ୍ଟି ହୋଇଥିଲା।
ଘଟଣାସ୍ଥଳରେ ଉପସ୍ଥିତ ଲୋକମାନେ ତୁରନ୍ତ ପୋଲିସକୁ ଫୋନ୍ କରିଥିଲେ। ଉଭୟଙ୍କୁ ଡିଡିୟୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ଏବଂ ଉଭୟ ଏବେ ଚିକିତ୍ସାଧୀନ ଅଛନ୍ତି। ଜଣେ ପୋଲିସ ଅଧିକାରୀ କହିଛନ୍ତି, "ଝିଅଟିର ବେକ ଏବଂ ପେଟର ବାମ ପାର୍ଶ୍ୱରେ ଛୁରି ଆଘାତ ଲାଗିଛି ଏବଂ ଶରୀରରେ ଅନ୍ୟ କିଛି ସ୍ଥାନରେ ମଧ୍ୟ କ୍ଷତ ଦେଖିବାକୁ ମିଳିଛି। ଉଭୟଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ଏବଂ ଚିକିତ୍ସାଧୀନ ଥିଲେ।"
ପିଟିଆଇର ଏକ ରିପୋର୍ଟ ଅନୁଯାୟୀ, ଏକ ୪୫ ସେକେଣ୍ଡର ଭିଡିଓ ସୋସିଆଲ ମିଡିଆରେ ଏବେ ଘୁରି ବୁଲୁଛି, ଯେଉଁଥିରେ ଉଭୟ ଯୁବକ ଏବଂ ଯୁବତୀ ରକ୍ତାକ୍ତ ଅବସ୍ଥାରେ ରାସ୍ତା ଡିଭାଇଡରରେ ବସିଥିବାର ଦେଖାଯାଇଥିଲା ଏବଂ ସେମାନଙ୍କ ଚାରିପାଖରେ ଭିଡ଼ ଜମା ହୋଇଥିଲା। ଦିଲ୍ଲୀ କ୍ୟାଣ୍ଟ ଥାନାରେ ଭାରତୀୟ ନ୍ୟାୟ ସଂହିତା ର ପ୍ରାସଙ୍ଗିକ ଧାରା ଅନୁଯାୟୀ ଏକ ମାମଲା ରୁଜୁ କରାଯାଇଛି। ଅଧିକ ତଦନ୍ତ ଚାଲିଛି।