ନୂଆଦିଲ୍ଲୀ: ସ୍ୱାମୀ ସୌରଭ ରାଜପୁତଙ୍କୁ ହତ୍ୟା କରିଥିବା ଅଭିଯୋଗରେ ଜେଲରେ ଥିବା ମୁସ୍କାନ ରସ୍ତୋଗୀ ଗର୍ଭବତୀ ଥିବା ଜଣାପଡ଼ିଛି। ସୋମବାର ମୀରଟ ଜେଲରେ ଜିଲ୍ଲା ହସ୍ପିଟାଲର ଏକ ମେଡିକାଲ ଟିମ ପହଞ୍ଚିବା ପରେ ମୁସ୍କାନଙ୍କ ଗର୍ଭାବତୀ ଅଛନ୍ତି ବୋଲି ସୂଚନା ମିଳିଛି। ଜେଲ କର୍ତ୍ତୃପକ୍ଷଙ୍କ ଆନୁଷ୍ଠାନିକ ଅନୁରୋଧରେ ଏହି ପରୀକ୍ଷା କରାଯାଇଥିଲା। ମୁଖ୍ୟ ଚିକିତ୍ସା ଅଧିକାରୀ ଅଶୋକ କଟାରିଆ ମୁସ୍କାନଙ୍କ ଗର୍ଭାବସ୍ଥା ପରୀକ୍ଷଣ ଫଳାଫଳକୁ ନିଶ୍ଚିତ କରିଛନ୍ତି।
ସୂଚନା ମୁତାବକ, ସୌରଭ ରାଜପୁତ (୨୯) ନାମକ ଜଣେ ପୂର୍ବତନ ମର୍ଚାଣ୍ଟ ନେଭି ଅଫିସରଙ୍କୁ ହତ୍ୟା କରିଥିବା ଅଭିଯୋଗରେ ୨୭ ବର୍ଷୀୟା ମୁସ୍କାନ ରସ୍ତୋଗୀ ଏବଂ ତାଙ୍କ ପ୍ରେମିକ ସାହିଲ ଶୁକ୍ଲା (୨୫) ବର୍ତ୍ତମାନ ପୋଲିସ ହେପାଜତରେ ଅଛନ୍ତି। ଏହି ଘଟଣାରେ ଉଭୟେ ସୌରଭଙ୍କୁ ହତ୍ୟା କରି ତାଙ୍କ ଶବକୁ ଖଣ୍ଡ ଖଣ୍ଡ କରି ସିମେଣ୍ଟ ଭର୍ତ୍ତି ଡ୍ରମରେ ଲୁଚାଇ ଦେଇଥିଲେ। ଗତ ମାସରେ ସଂଘଠିତ ହୋଇଥିବା ଏହି ଜଘନ୍ୟ ହତ୍ୟାକାଣ୍ଡ ସାର ଦେଶକୁ ସ୍ତବ୍ଧ କରିଦେଇଥିଲା।
ସୌରଭ ନିଜ ଝିଅର ଜନ୍ମଦୀନ ପାଳନ କରିବାକୁ ନିକଟରେ ଲଣ୍ଡନରୁ ମୀରଟକୁ ଫେରିଥିଲେ। ପୋଲିସ ସୂଚନା ଅନୁସାରେ, ମୁସ୍କାନ ଓ ସାହିଲ ମାର୍ଚ୍ଚ ୪ ତାରିଖରେ ସୌରଭଙ୍କୁ ଛୁରୀରେ ଆକ୍ରମଣ କରି ହତ୍ୟା କରିଥିଲେ ଏବଂ ତାଙ୍କ ଶବକୁ ଖଣ୍ଡଖଣ୍ଡ କରି ସିମେଣ୍ଟ ଭର୍ତ୍ତି ଡ୍ରମରେ ସିଲ୍ କରି ଦେଇଥିଲେ। ହତ୍ୟା ପରେ ମୁସ୍କାନ ପଡ଼ୋଶୀ ଓ ପରିଚିତମାନଙ୍କୁ ସୌରଭ ବୁଲିବା ପାଇଁ ଯାଇଛନ୍ତି ବୋଲି ମିଛ କହିଥିଲେ। ଏହାପରେ ସେ ଓ ତାଙ୍କ ପ୍ରେମିକ ସାହିଲ ମନାଲି ଯାଇ ସୌରଭଙ୍କ ଫୋନରୁ ସୋସିଆଲ ମିଡିଆରେ ଫଟୋ ପୋଷ୍ଟ କରି ପରିବାର ଓ ବନ୍ଧୁମାନଙ୍କୁ ଭ୍ରମରେ ରଖିଥିଲେ।
ସୌରଭଙ୍କ ସହ ଠିକରେ ଯୋଗାଯୋଗ ନହୋଇ ପାରିବାରୁ ପରିବାର ଲୋକ ପୋଲିସରେ ଅଭିଯୋଗ ଦାଖଲ କରିଥିଲେ। ପୋଲିସ ଏହି ମାମଲାରେ ତଦନ୍ତ କରିବା ପାଇଁ ମୁସ୍କାନ ଓ ସାହିଲଙ୍କୁ ପଚରାଉଚରା କରିବାରୁ ଉଭୟ ହତ୍ୟା କରିଛନ୍ତି ବୋଲି ସ୍ୱୀକାର କରିଥିଲେ। ବର୍ତ୍ତମାନ ଉଭୟେ ଜେଲରେ ଅଛନ୍ତି ଏବଂ ମୁସ୍କାନଙ୍କ ଗର୍ଭାବସ୍ଥା ଖବର ଏହି ମାମଲାରେ ଏକ ନୂଆ ମୋଡ଼ ଆଣିଛି।
ଏହି ଘଟଣା ସମଗ୍ର ଦେଶରେ ଚର୍ଚ୍ଚାର ବିଷୟ ପାଲଟିଥିଲା। ମୁସ୍କାନଙ୍କ ପରିବାର ଲୋକମାନେ ତାଙ୍କୁ ସମାଜ ପାଇଁ ବିପଦ ବୋଲି କହି ମୃତ୍ୟୁଦଣ୍ଡର ଦାବି କରିଛନ୍ତି। ପୋଲିସ ଏହି ମାମଲାର ତଦନ୍ତ ଜାରି ରହିଛି। ତେବେ ଆଗାମୀ ଦିନରେ ଏହା ବିଷୟରେ ଅଧିକ ତଥ୍ୟ ପ୍ରକାଶ ପାଇବ ବୋଲି ଆଶା କରାଯାଉଛି।