ମିର୍ଜାପୁର, ୧୫/୦୨ : କୁମ୍ଭ ଯାତ୍ରା ହେଲା ଶେଷ ଯାତ୍ରା। ପ୍ରୟାଗରାଜ-ମିର୍ଜାପୁର ଜାତୀୟ ରାଜପଥରେ ମର୍ମନ୍ତୁଦ ଦୁର୍ଘଟଣା। ବସ୍ ସହ ଧକ୍କା ହେଲା ବୋଲେରୋ। ୧୦ ଶ୍ରଦ୍ଧାଳୁ ମୃତ, ୧୯ ଆହତ । ବୋଲେରୋ ଯୋଗେ ଛତିଶଗଡ଼ରୁ ମହାକୁମ୍ଭ ଯାଉଥିଲେ ଶ୍ରଦ୍ଧାଳୁ।
ସୂଚନାନୁଯାୟୀ, ଛତିଶଗଡ଼ କୋରବା ଜିଲ୍ଲାର କିଛି ଶ୍ରଦ୍ଧାଳୁ ଏକ ବୋଲେରୋ ଯୋଗେ ମହାକୁମ୍ଭରେ ବୁଡ଼ ପକାଇବାକୁ ପ୍ରୟାଗରାଜ ଯାଉଥିଲେ। ଶୁକ୍ରବାର ବିଳମ୍ଵିତ ରାତିରେ ପ୍ରୟାଗରାଜ-ମିର୍ଜାପୁର ଜାତୀୟ ରାଜପଥରେ ବୋଲେରୋଟି ଏକ ଯାତ୍ରୀବାହୀ ବସ୍ ସହ ମୁହାଁମୁହିଁ ଧକ୍କା ହୋଇଥିଲା। ଏହି ଦୁର୍ଘଟଣାରେ ବୋଲେରୋରେ ଥିବା ୧୦ ଜଣଙ୍କ ମୃତ୍ୟୁ ହୋଇଥିଲା। ସେହିପରି ବସ୍ରେ ଥିବା ୧୯ ଜଣ ଯାତ୍ରୀ ଆହତ ହୋଇଥିଲେ। ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତାହତଙ୍କୁ ଉଦ୍ଧାର କରିଛି। ସମସ୍ତ ଆହତଙ୍କୁ ରାମନଗର ଗୋଷ୍ଠି ସ୍ଵାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ବସ୍ରେ ଥିବା ଶ୍ରଦ୍ଧାଳୁମାନେ ମଧ୍ୟପ୍ରଦେଶ ରାଜଗଡ଼ ଅଞ୍ଚଳର। ଏମାନେ କୁମ୍ଭରେ ବୁଡ଼ ପକାଇ ବାରାଣସୀ ଯାଉଥିବା ବେଳେ ଦୁର୍ଘଟଣାର ଶିକାର ହୋଇଛନ୍ତି।
ଏହି ଖବରଟିକୁ ପଢନ୍ତୁ-ମହାକୁମ୍ଭରେ ବୁଡ଼ ପକାଇ ଫେରିବା ବେଳେ ଦୁର୍ଘଟଣା : ବସ୍ ସହ କାର୍ ଧକ୍କା, ଯୁବକଙ୍କ ଅକାଳ ମୃତ୍ୟୁ