ନୂଆଦିଲ୍ଲୀ,୨୭/୦୫: ବିଦେଶୀରୁ ଆସୁଥିବା ଫେକ୍ କଲ୍ ଦ୍ୱାରା ଲୋକମାନେ ହଇରାଣ ହେଉଛନ୍ତି । ଟେଲିକମ ୟୁଜରଙ୍କୁ ଠକେଇ କରିବା ଲକ୍ଷ୍ୟରେ ଏଭଳି କଲ୍ ଆସିଥାଏ । ଏଭଳି କଲ୍ ଉପରେ ସରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । ଏସବୁ କଲ୍ ଗୁଡିକୁ ବ୍ଲକ କରିବାକୁ ଟେଲିକମ କମ୍ପାନିଙ୍କୁ ସରକାର ନିର୍ଦ୍ଦେଶ ଦେଇଛନ୍ତି । ଭାରତୀୟ ଗ୍ରାହକଙ୍କ ନିକଟରେ ଏଭଳି କଲ୍ ଯେଭଳି ନ ପହଞ୍ଚିବ ସେ ଉପରେ କାର୍ଯ୍ୟପନ୍ଥା ଗ୍ରହଣ କରିବାକୁ କମ୍ପାନିଙ୍କୁ କୁହାଯାଇଛି ।
ଏହି ଧାରାରେ କମ୍ପାନି କଲ୍ର ଚିହ୍ନଟ କରିବେ । ଏହାକୁ ତ୍ୱରିତ ଭିତ୍ତିରେ ବ୍ଲକ ମଧ୍ୟ କରିବେ । ଏହି କଲ୍ ଗୁଡିକୁ ଚିହ୍ନଟ କରିବାକୁ ଏକ ସିଷ୍ଟମ ବିକଶିତ କରିବାକୁ ମଧ୍ୟ ଟେଲିକମ୍ କମ୍ପାନିଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଏକ ବିବୃତ୍ତିରେ କେନ୍ଦ୍ର ଯୋଗାଯୋଗ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ, ବିଦେଶରୁ ଆସୁଥିବା ଏହି କଲ୍ ଗୁଡିକ ବିଶେଷ କରି ସାଇବର କ୍ରାଇମ ଏବଂ ଆର୍ଥିକ ଠକେଇ ସହ ଜଡିତ ।
କଲିଂ ଲାଇନ ଆଇଡେଣ୍ଟିଟି (ସିଏଲ୍ଆଇ) ବ୍ୟବହାର ଦ୍ୱାରା ଏଭଳି କଲ୍ କରାଯାଉଛି । ଏଭଳି କଲ୍ ସବୁ ବିଦେଶରୁ ଆସୁଥିଲେ ମଧ୍ୟ ଦେଶର କୌଣସି କଲ୍ ଭାବେ ୟୁଜରଙ୍କୁ ଜଣାପଡୁଛି । ଏଭଳି ଟେକ୍ନୋଲୋଜି ଫାଇଦା ନେଇ ସାଇବର ଅପରାଧି ମାନେ ବେଶ ସକ୍ରିୟ ହେବା ସହ ଲୋକଙ୍କୁ ବିଭିନ୍ନ ସମୟରେ ଠକେଇ କରୁଛନ୍ତି । ବହୁ କୋଟି ଟଙ୍କାର ସାଇବର ଅପରାଧ ସାମ୍ନାକୁ ଆସୁଛି । ଏମିତିକି ଏମାନେ ଆକାଉଣ୍ଟ ପୋଛି ଦେଉଛନ୍ତି । ଜାଲ୍ ଡିଜିଟାଲ ଆସେଟ, ଫେଡଏକ୍ସ ସ୍କାମ, କୋରିୟରରେ ଔଷଧ, ନାର୍କୋଟିକ୍ସ, ପୋଲିସ ଏବଂ ସରକାରୀ ଅଧିକାରୀଙ୍କ ଛଦ୍ମ ନାମରେ ଆସୁଛି । ଏମିତିକି ଟେଲିକମ ବିଭାଗ ଓ ଟ୍ରାଇ ନାମ ବ୍ୟବହାର କରି ଏହି ଅପରାଧି ମାନେ ଲୋକଙ୍କୁ କଲ୍ କରୁଛନ୍ତି । ମୋବାଇଲ ନମ୍ବର କାଟି ଦେବାକୁ ଲୋକଙ୍କୁ ଧମକ ଦେଉଛନ୍ତି ।
ଭାରତୀୟ ଲ୍ୟାଣ୍ଡ ଲାଇନରୁ ଏଭଳି କଲ୍ ଆସୁଥିଲେ ଏହାକୁ ବ୍ଲକ କରିବାକୁ ପୂର୍ବରୁ ଟେଲିକମ୍ କମ୍ପାନିଙ୍କୁ କେନ୍ଦ୍ର ସରକାର ନିର୍ଦ୍ଦେଶ ଦେଇଥିଲେ । ଏବେ ବିଦେଶରୁ ଆସୁଥିବା ଏଭଳି କଲ୍ ଉପରେ କାର୍ଯ୍ୟାନୁଷ୍ଠାନ ନେବାକୁ କୁହାଯାଇଛି । ଟେଲିକମ ୟୁଜରଙ୍କ ନିରାପତ୍ତା ଏବଂ ସୁରକ୍ଷାକୁ ନଜରରେ ରଖି ଟେଲିକମ୍ ବିଭାଗ ପକ୍ଷରୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଉଛି ।
ଏ ଦିଗରେ ସଞ୍ଚାର ସାଥୀ ପୋର୍ଟାଲ ମଧ୍ୟ ଆସିଛି । ତେବେ ସରକାରଙ୍କ ପଦକ୍ଷେପ ପରେ ମଧ୍ୟ ସାଇବର ଅପରାଧି ମାନେ ବେଶ ସକ୍ରିୟ ହୋଇପଡିଛନ୍ତି ।ସନ୍ଧିଗ୍ଧ କଲ୍ଗୁଡିକ ସଞ୍ଚାର ସାଥୀ ପୋର୍ଟାଲରେ ଥିବା ଚାକ୍ସୁ ସୁବିଧା ଦ୍ୱାରା ରିପୋର୍ଟ ମାରିବାକୁ ସରକାର କହିଛନ୍ତି ।
ସେହିଭଳି ଠକେଇ କରିବା ଲାଗି ଠକମାନେ ନୂଆ ଉପାୟ ଭାବେ ଡିଜିଟାଲ ଗୃହବନ୍ଦୀ (ହାଉସ ଆରେଷ୍ଟ)କୁ ବ୍ୟବହାର କରୁଛନ୍ତି । ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ)ର ଏକ ରିପୋର୍ଟରୁ ଜଣାପଡିଛି କି କେବଳ୨୦୨୩ରେ ଦେଶରେ ୩୦ ହଜାର କୋଟି ଟଙ୍କାରୁ ଅଧିକ ସାଇବର ଠକେଇ ହୋଇଛି । ଡିଜିଟାଲ ଗୃହବନ୍ଦୀରେ ନକଲି ଥାନା ଓ ସରକାରୀ କାର୍ଯ୍ୟାଳୟ ପ୍ରତିଷ୍ଠା କରିବା ଏବଂ ଇଡି (ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ) ଅଫିସରଙ୍କ ଭଳି ପୋଷାକ ପରିଧାନ ଆଦି ବିଭିନ୍ନ ଉପାୟ ଅବଲମ୍ବନ କରାଯାଉଛି ।
ଗତ ୧୦ ବର୍ଷରେ ୬୫,୦୧୭ ସାଇବର ଠକେଇ ସୂଚୀତ କରାଯାଇଛି । ଏହି ଠକେଇ ଯୋଗୁ ମୋଟ ୪.୬୯ ଲକ୍ଷ କୋଟି ଟଙ୍କାର କ୍ଷତି ଘଟିଛି। ସବୁଠାରୁ ଅଧିକ ସାଇବର ଠକେଇ ହେଉଥିବା ୧୦ ଦେଶ ତାଲିକାରେ ଭାରତ ରହିଛି । ସର୍ବାଧିକ ମାମଲା ରୁଷରେ ରହିଥିଲା ବେଳେ ଏହା ତଳକୁ ୟୁକ୍ରେନ, ଚୀନ, ଆମେରିକା, ନାଇଜେରିଆ, ରୋମାନିଆ, ଉତ୍ତର କୋରିଆ, ବ୍ରିଟେନ, ବ୍ରାଜିଲ ଓ ଭାରତ ରହିଛନ୍ତି ।