ନୂଆଦିଲ୍ଲୀ,୧୦/୦୨: ବିଧାନସଭା ନିର୍ବାଚନରେ ଐତିହାସିକ ବିଜୟ ପରେ ଦିଲ୍ଲୀରେ ସରକାର ଗଢ଼ିବାକୁ ଯାଉଥିବା ବିଜେପି ଏଣିକି ଆପ୍କୁ ଜୋରଦାର ଟାର୍ଗେଟ୍ କରିବ । ପୂର୍ବର ଦୁର୍ନୀତି ମାମଲାଗୁଡ଼ିକର ତଦନ୍ତ ସକାଶେ ନୂଆ ବିଜେପି ସରକାର ରଣନୀତି ବନାଇବ । ଏହି କ୍ରମରେ ପ୍ରଥମ କ୍ୟାବିନେଟ୍ ବୈଠକରେ ଦିଲ୍ଲୀ ସରକାର ଏସ୍ଆଇଟି ଗଠନ କରିବ । ଦିଲ୍ଲୀ ବିଜେପି ରବିବାର ଏହି ଘୋଷଣା କରିଛି ।
ପ୍ରଦେଶ ବିଜେପି ମୁଖ୍ୟ ବୀରେନ୍ଦ୍ର ସଚଦେବା କହିଛନ୍ତି, ଦୁର୍ନୀତି ପାଇଁ ଦଳ ‘ଶୂନ ସହିଷ୍ଣୁତା’ ନୀତି ଆପଣାଉଛି । ଯେଉଁମାନେ (ଆପ୍ ନେତା) ସ୍କାମ୍ରେ ସମ୍ପୃକ୍ତ ଅଛନ୍ତି, ସେମାନଙ୍କୁ ଉତ୍ତରଦାୟୀ ହେବାକୁ ପଡ଼ିବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁର୍ନୀତି ବିରୋଧରେ ଶୂନ ସହିଷ୍ଣୁତା ନୀତି ଆପଣାଇବାକୁ ବାରମ୍ବାର କହୁଛନ୍ତି । ତେଣୁ ନୂଆ ବିଜେପି ସରକାରର ପ୍ରଥମ କ୍ୟାବିନେଟ୍ ବୈଠକରେ ସିଏଜି ରିପୋର୍ଟ ଉପସ୍ଥାପନ ହେବ । ସମସ୍ତ ଦୁର୍ନୀତି ମାମଲାର ତଦନ୍ତ ଲାଗି ଆମେ ଏକ ସ୍ୱତନ୍ତ୍ର ତଦନ୍ତକାରୀ କମିଟି (ଏସ୍ଆଇଟି) ଗଠନ କରିବୁ ।
ସଚଦେବା କହିଛନ୍ତି, ଦିଲ୍ଲୀର ଭୋଟରମାନେ ବିକାଶ ପାଇଁ ବିଜେପିକୁ ସମର୍ଥନ ଜଣାଇଛନ୍ତି । ମୋଦିଙ୍କ ନେତୃତ୍ୱ ଉପରେ ସେମାନଙ୍କର ଯଥେଷ୍ଟ ଭରସା ରହିଛି । ନିର୍ବାଚନରେ କଂଗ୍ରେସର ବିଫଳତାକୁ ନେଇ ସଚଦେବା କହିଛନ୍ତି, ଐତିହାସିକ ଦୃଷ୍ଟିକୋଣରୁ ଏକ ବଡ଼ ଦଳ ହୋଇଥିଲେ ସୁଦ୍ଧା ଏହାକୁ ବଡ଼ ବିଫଳତାର ସାମ୍ନା କରିବାକୁ ପଡ଼ିଛି । ଦଳକୁ ଆହୁରି କଠିନ ପରିଶ୍ରମ କରିବାକୁ ପଡ଼ିବ । ବିଜେପି ନେତା ତଥା ରାଜୌରି ଗାର୍ଡେନ ବିଧାୟକ ମାନଜିନ୍ଦର ସିଂହ ସିରସା କହିଛନ୍ତି, ଦିଲ୍ଲୀକୁ ନଷ୍ଟ କରି ଦିଆଯାଇଛି । ଅରବିନ୍ଦ କେଜ୍ରିୱାଲ ହଜାର ହଜାର କୋଟି ଟଙ୍କାର ଦୁର୍ନୀତି କରିଛନ୍ତି । ଏହାର ପର୍ଦ୍ଦାଫାସ ଲାଗି ଗୃହରେ ସିଏଜି ରିପୋର୍ଟ ଆଗତ କରାଯିବ ।