ନୂଆଦିଲ୍ଲୀ: କେଉଁ ରାଜନୈତିକ ଦଳକୁ କେତେ ଟଙ୍କା ଚାନ୍ଦା ମିଳିଛି ସେନେଇ ରିପୋର୍ଟ ପ୍ରକାଶ କରିଛନ୍ତି ଭାରତୀୟ ନିର୍ବାଚନ କମିଶନ। ପୂର୍ବ କିଛି ବର୍ଷ ଭଳି ଏଥର ବି ବିଜେପିକୁ ବିଭିନ୍ନ ଆଡ଼ୁ ବିପୁଳ ଚାନ୍ଦା ମିଳିଛି। ୨୦୨୩-୨୪ ମସିହାରେ ବିଜେପିକୁ ୨,୨୪୪ କୋଟିରୁ ଅଧିକ ଟଙ୍କାର ଚାନ୍ଦା ମିଳିଛି, ଯାହା ୨୦୨୨-୨୩ ତୁଳନାରେ ତିନି ଗୁଣରୁ ଅଧିକ। ବିଜେପି ପାଇଁ ୨୦,୦୦୦ ଟଙ୍କା ଠାରୁ ଆରମ୍ଭ କରି ଅଧିକ ମୁଲ୍ୟର ବଣ୍ଡ ଜାରି କରାଯାଇଛି।
ବିଜେପି ପରେ କଂଗ୍ରେସ ହେଉଛି ଦେଶର ଦ୍ୱିତୀୟ ବୃହତ ଦଳ। ହେଲେ ପାଣ୍ଠି ଯୋଗାଡ଼ କ୍ଷେତ୍ରରେ ଦଳ ତୃତୀୟ ପଛରେ ପଡ଼ି ଯାଇଛି। ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ତେଲେଙ୍ଗାନାର କେ ଚନ୍ଦ୍ରଶେଖର ରାଓଙ୍କ ଭାରତ ରାଷ୍ଟ୍ର ସମିତି(ବିଆରଏସ) ୫୮୦ କୋଟି ଟଙ୍କାର ଚାନ୍ଦା ପାଇଛି। ଯାହା କଂଗ୍ରେସର ୨୮୯ କୋଟି ଠାରୁ ଅଧିକ। ୨୦୨୩-୨୪ ବର୍ଷରେ କଂଗ୍ରେସକୁ ମାତ୍ର ୨୮୯ କୋଟି ଟଙ୍କାର ଚାନ୍ଦା ପାଇ ତୃତୀୟ ସ୍ଥାନରେ ରହିଛି। ସରଳ ଶବ୍ଦରେ କହିବାକୁ ଗଲେ, କଂଗ୍ରେସ ତୁଳନାରେ ବିଜେପିର ଦାନ ୭୭୬.୮୨ ପ୍ରତିଶତ ଅଧିକ।
ପ୍ରୁଡ଼େଣ୍ଟ ଇଲେକ୍ଟୋରାଲ ଟ୍ରଷ୍ଟ ନାମକ ଏକ ସଂସ୍ଥା ଉଭୟ ବିଜେପି ଓ କଂଗ୍ରେସକୁ ସର୍ବାଧିକ ଚାନ୍ଦା ଦେଇଛି। ନିର୍ବାଚନ କମିଶନ ଅଫ୍ ଇଣ୍ଡିଆ (ଇସିଆଇ) ୱେବସାଇଟରେ ପ୍ରକାଶ କରିଥିବା ତଥ୍ୟ ଅନୁଯାୟୀ ,ଏହି ସଂସ୍ଥାରୁ ବିଜେପିକୁ ୭୨୩ କୋଟି ଟଙ୍କା ମିଳିଥିବାବେଳେ କଂଗ୍ରେସକୁ ୧୫୬ କୋଟି ଟଙ୍କା ଚାନ୍ଦା ମିଳିଛି।
ପ୍ରୁଡ଼େଣ୍ଟ ଇଲେକ୍ଟୋରାଲ ଟ୍ରଷ୍ଟ ୨୦୨୩-୨୪ ମସିହାରେ ବିଆରଏସକୁ ୮୫ କୋଟି ଏବଂ ଜଗନ୍ ରେଡ୍ଡୀଙ୍କ ୱାଇଏସଆର କଂଗ୍ରେସକୁ ୬୨.୫ କୋଟି ଟଙ୍କା ଚାନ୍ଦା ଦେଇଛି। ହେଲେ ଉଭୟ ଦଳ ଯଥାକ୍ରମେ ତେଲେଙ୍ଗାନା ଓ ଆନ୍ଧ୍ରପ୍ରଦେଶ ନିର୍ବାଚନରେ ନିଜର କ୍ଷମତା ବଜାୟ ରଖିବାରେ ବିଫଳ ହୋଇଛନ୍ତି।
ଅନ୍ୟ ଦଳମାନଙ୍କ ମଧ୍ୟରେ ଆମ୍ ଆଦମି ପାର୍ଟି(ଆପ୍) ୧୧.୧ କୋଟି ଟଙ୍କାର ଚାନ୍ଦା ମିଳିଥିବା ବେଳେ ପୂର୍ବ ବର୍ଷ, ୩୭.୧ କୋଟି ଟଙ୍କା ପାଇଥିଲା। ସିପିଏମ୍ ପୂର୍ବ ବର୍ଷରେ ୬.୧ କୋଟି ଟଙ୍କା ପାଇଥିବା ବେଳେ ଚଳିତ ବର୍ଷ ୭.୬ କୋଟି ଟଙ୍କାର ଚାନ୍ଦା ପାଇଛି।
ନିର୍ବାଚନ ବଣ୍ଡକୁ ଅସାମ୍ବିଧାନିକ ପ୍ରକ୍ରିୟା କହି ଚଳିତ ବର୍ଷ ଫେବୃଆରୀରେ ସୁପ୍ରିମକୋର୍ଟ ଏହାକୁ ବାତିଲ କରିଥିଲେ। ଏହି ଯୋଜନାରେ ସୂଚନା ଅଧିକାର ଆଇନର ଉଲ୍ଲଂଘନ ସହ ବାକ୍ ସ୍ୱାଧୀନତାକୁ କ୍ଷୁର୍ଣ୍ଣ କରୁଛି ବୋଲି କୋର୍ଟ କହିଥିଲେ। ନିର୍ବାଚନ ବଣ୍ଡ ବାତିଲ୍ ହେବା ପରେ ଇଲେକ୍ସନ କମିଶନ ବିଭିନ୍ନ ଦଳକୁ ମିଳିଥିବା ଚାନ୍ଦା ସମ୍ପର୍କରେ ୱେବ୍ସାଇଟ୍ରେ ପ୍ରକାଶ କରିଛନ୍ତି।