ଭୁବନେଶ୍ବର,୨/୭ : ମାଷ୍ଟରକ୍ୟାଣ୍ଟିନ ଛକରେ ବିଜେପି-କଂଗ୍ରେସ କର୍ମୀ ମୁହାଁମୁହିଁ । ଲୋକସଭାରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ ସମୟରେ ଏହି ଘଟଣା ଘଟିଛି । ବିଜେପି କର୍ମୀମାନେ ପ୍ଲାକାର୍ଡ଼ ଧରି କଂଗ୍ରେସ ଭବନ ସାମ୍ନା ଦେଇ ଯାଉଥିବାବେଳେ ଏହି ଘଟଣା ଘଟିଥିଲା। ଏହି ସମୟରେ ପଥର ମାଡ଼ ଏବଂ ଗୋବର ମାଡ଼ ମଧ୍ୟ ହୋଇଛି । ମାଷ୍ଟରକ୍ୟାଣ୍ଟିନ ଭଳି ଜନବହୁଳ ରାସ୍ତାରେ ଏଭଳି ଘଟିବା ଫଳରେ ସାଧାରଣ ଲୋକେ ବି କିଛି ସମୟ ପାଇଁ ସମସ୍ୟାର ସମ୍ମୁଖିନ ହୋଇଛନ୍ତି ।
ଫଳରେ ଘଟଣାସ୍ଥଳରେ ଉତ୍ତେଜନା ଲାଗି ରହିଛି । ଖବରପାଇ ପୋଲିସ ପହଞ୍ଚି ଘଟଣାକୁ ଆୟତ୍ତ କରିବାକୁ ଚେଷ୍ଟା କରିଥିବାବେଳେ ବ୍ୟାପକ ପୋଲିସ ମୁତୟନ ହୋଇଛି । ବର୍ତ୍ତମାନ ଖବର ଲେଖାହେବା ସୁଦ୍ଧା କଂଗ୍ରେସ ଭବନ ସମ୍ମୁଖରେ ଏକ ଜେସିବି ମେସିନ ପହଞ୍ଚିଛି। କୁହାଯାଉଛି କି ରାହୁଲ ଗାନ୍ଧୀଙ୍କ ପୋଷ୍ଟରରେ ଯେଉଁ ଗୋବର ଲାଗିଛି ତାହାକୁ ହଟାଯିବ ନଚେତ ସେହି ପୋଷ୍ଟରକୁ ଓହ୍ଲାଯିବ । ସେହିଭଳି ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ପ୍ରଧାନମନ୍ତ୍ରୀଙ୍କ ପୋଷ୍ଟର ଯେଉଁ ହାତରେ ଥିଲା ସେଥିରେ ବି ଗୋବର ମାଡ଼ ହୋଇଛି ।