ଭୁବନେଶ୍ୱର,୧୫/୦୨: ବକ୍ସି ଜଗବନ୍ଧୁ ବିଦ୍ୟାଧର ସ୍ୱୟଂଶାସିତ ମହାବିଦ୍ୟାଳୟକୁ ନାକ୍ ‘ଏ’ ଗ୍ରେଡ୍ ମିଳିଛି । ମହାବିଦ୍ୟାଳୟ ପୂର୍ବ ଗ୍ରେଡ୍କୁ ବଜାୟ ରଖିଛି ସତ କିନ୍ତୁ ସିଜିପିଏ କମିଛି । ୨୦୧୬ ମସିହା (ଦ୍ୱିତୀୟ ପର୍ଯ୍ୟାୟ) ସମୟରେ ବିଜେବିକୁ ଏ ଗ୍ରେଡ୍ ସହ ସିଜିପିଏ ୩.୧୯ ପଏଣ୍ଟ ସ୍କେଲ୍ ମିଳିଥିଲା । ଚଳିତଥର ଏ ଗ୍ରେଡ୍ ପାଇଛି ସତ ସିଜିପିଏ ୩.୧୧ ପଏଣ୍ଟ ସ୍କେଲ୍କୁ ଖସି ଆସିଛି । ଏହି ମାନ୍ୟତା ଆଗାମୀ ୫ ବର୍ଷ ପର୍ଯ୍ୟନ୍ତ ବଳବତ୍ତର ରହିବ । ଏନେଇ ନାକ୍ ପକ୍ଷରୁ କଲେଜକୁ ଅବଗତ କରାଯାଇଛି ।
ଗତ ଜାନୁଆରୀ ୨୮ ଓ ୨୯ ଦୁଇଦିନ ଧରି ହିମାଳୟାନ୍ ବିଶ୍ୱବିଦ୍ୟାଳୟ କୁଳପତି ଡ. କେ ବେଣୁଗୋପାଳ ରାଓଙ୍କ ନେତୃତ୍ୱରେ ତିନିଜଣିଆ ନାକ୍ ଟିମ୍ ମହାବିଦ୍ୟାଳୟ ଗସ୍ତରେ ଆସି ଭିତ୍ତିଭୂମି ପରଖିଥିଲେ । ଏହାପରେ ରିପୋର୍ଟ ପ୍ରଦାନ କରିଥିଲେ । ନାକ୍ର ରିପୋର୍ଟ ଅନୁଯାୟୀ କଲେଜକୁ ଗୁଣାତ୍ମକ ଶିକ୍ଷାକୁ ବୃଦ୍ଧି କରିବା ଲାଗି ୧୦ ପଏଣ୍ଟ ଉପରେ ଧ୍ୟାନ ଦେବାକୁ କହିଛନ୍ତି । କଲେଜରେ ଶିକ୍ଷକ ଓ ଅଣଶିକ୍ଷକ ପଦବୀ ପୂରଣ କରିବାକୁ ନେଇ ଉପଦେଶ ଦେଇଛନ୍ତି । ସେହିପରି କ୍ରୀଡ଼ା ଭିତ୍ତିଭୂମିର ବିକାଶ ସହ ପରୀକ୍ଷାଗାରରେ ଅତ୍ୟାଧୁନିକ ଉପକରଣ ରଖିବା ଲାଗି କହିଛନ୍ତି । ସେହିପରି କଲେଜରେ ଇଣ୍ଟର୍ନସିପ୍ ସହ କ୍ୟାମ୍ପସ ପ୍ଲେସ୍ମେଣ୍ଟକୁ ଧ୍ୟାନ ଦେବାକୁ କହିଛନ୍ତି ।
ଅନ୍ୟପଟେ ଭାରପ୍ରାପ୍ତ ଅଧ୍ୟକ୍ଷା ଡ. ଝୁମ୍କୀ ରଥ କହିଛନ୍ତି, ଆମ କଲେଜ ପୁଣି ନାକ୍ ଏ ଗ୍ରେଡ୍ ମାନ୍ୟତା ପାଇଛି । ଏହା ଆମ ପାଇଁ ଗର୍ବର ବିଷୟ । ଆଗକୁ ଭଲ କରିବା ପାଇଁ ଏହି ଗ୍ରେଡ୍ ଅଧିକ ପ୍ରୋତ୍ସାହିତ କରିବ।