ନୂଆଦିଲ୍ଲୀ,୭।୪: ଡୋନାଲ୍ଡୋ ଟ୍ରମ୍ପଙ୍କ ଟାରିଫ୍ର ପ୍ରଭାବ ସାରା ଦୁନିଆର ବଜାର ଉପରେ ଦେଖିବାକୁ ମିଳିଛି। ଭାରତ ସହିତ ଏସିଆ ଓ ଆମେରିକାର ସେୟାର ବଜାରରେ ପଡିଛି ପ୍ରଭାବ। ପ୍ରାୟ ୫୦ରୁ ଅଧିକ ଦେଶ ଟ୍ରମ୍ପଙ୍କୁ ଭେଟିବାକୁ ଇଚ୍ଛା ପ୍ରକାଶ କରିଛନ୍ତି। ତାଙ୍କ ଭିତରେ ଅଛନ୍ତି ଟ୍ରମ୍ପଙ୍କ ବନ୍ଧୁ ତଥା ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତନ୍ୟାହୁ। ଟ୍ରମ୍ପଙ୍କ ଟାରିଫ୍ ପ୍ରସଙ୍ଗରୁ ଆଶ୍ବସ୍ଥି ପାଇବା ପାଇଁ ନେତନ୍ୟାହୁ ଆଜି ଆମେରିକାରେ ପହଁଞ୍ଚିଛନ୍ତି। ସେ କିଛି ଘଣ୍ଟା ମଧ୍ୟରେ ଟ୍ରମ୍ପଙ୍କୁ ସାକ୍ଷାତ କରିପାରନ୍ତି। ଇସ୍ରାଏଲୀ ଗଣମାଧ୍ୟମର ରିପୋର୍ଟ ଅନୁସାରେ, ହଙ୍ଗେରୀରୁ ଉଡାଣ ଭରିବା ପରେ ନେତନ୍ୟାହୁ ଆମେରିକା ପହଁଞ୍ଚିବା ପାଇଁ ୪୦୦ କିଲୋମିଟର ଅଧିକ ବାଟ ଯାତ୍ରା କରିଥିଲେ। ଏହା ପଛର କାରଣ ନେତନ୍ୟାହୁଙ୍କ ଗିରଫଦାରୀ ଭୟ ବୋଲି କୁହାଯାଉଛି।
ନେତନ୍ୟାହୁ ବିମାନରେ ହଙ୍ଗେରୀରୁ ଆମେରିକା ଉଡାଣ ସମୟରେ ସ୍ବାଭାବିକ ବାଟରୁ ପ୍ରାୟ ୪୦୦ କିଲୋମିଟର ଲମ୍ବା ବାଟ ଦେଇ ଯାଇଥିଲେ। କାରଣ ସେହି ସବୁ ଦେଶର ବାୟୁମାର୍ଗଠାରୁ ଦୂରେଇକି ରହିବାକୁ ଚାହାନ୍ତି, ଯାହାକି ଅନ୍ତର୍ଜାତୀୟ ଅପରାଧିକ ନ୍ୟାୟାଳୟ(ଆଇସିସି)ର ଗିରଫଦାରୀ ଓ୍ବାରେଣ୍ଟକୁ ଲାଗୁ କରେ। ଏହି ସୂଚନା ଇସ୍ରାଏଲର ଖବର କାଗର Haaretz ର ରିପୋର୍ଟରୁ ଜଣାପଡିଛି। ଉଲ୍ଲେଖନୀୟ ଯେ, ଗାଜାରେ ଯୁଦ୍ଧ ନରସଂହାର ବେଳେ ତାଙ୍କ ବିରୋଧରେ ଗିରଫଦାରୀ ଓ୍ବାରେଣ୍ଟ ଜାରି କରାଯାଇଥିଲା। ଆଇସିସି ନିୟମକୁ ମାନୁଥିବା ଦେଶବାଟ ଦେଇ ସେଠାକୁ ଯାତ୍ରା କରିଥିଲେ ନେତନ୍ୟାହୁଙ୍କ ଗିରଫ କରାଯାଇ ପାରେ। ତେଣୁ ହଙ୍ଗେରୀ ଏଭଳି କରିନି।
ରିପୋର୍ଟ ଅନୁସାରେ, ଇସ୍ରାଏଲ ଆଶଙ୍କା ରହିଛି ଯେ, ଆୟରଲାଣ୍ଡ, ଆଇସଲାଣ୍ଡ ଓ ନେଦରଲାଣ୍ଡ ଭଳି ଦେଶ ଆଇସିସି ଦ୍ବାରା ଜାରି ଗିରଫଦାରୀ ଓ୍ବାରେଣ୍ଟ ଅନୁସାରେ, କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରେ। ତେଣୁ ନେତନ୍ୟାହୁଙ୍କ ବିମାନକୁ ତାଙ୍କ ବାୟୁମାର୍ଗରେ ନଯିବା ନେଇ ଅଧିକ ବାଟ ଦେଇ ବୁଲିବାକୁ ପଡିଥିଲା।