ପ୍ରମୂଖ ଖବର
  • ବାଲେଶ୍ୱର : ଲୁଟ୍‌ କରି ଫେରିବା ବେଳେ କାର୍‌ ଦୁର୍ଘଟଣା: ଗାଡ଼ିରୁ ସୁନା ରୁପା ସହ ଟଙ୍କା ଜବତ, ୨ ଅଟକ
  • ||
  • ଗୁରୁବାର ଦୁଇ ଦିନିଆ କେନ୍ଦୁଝର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ବିଭିନ୍ନ କାର୍ଯ୍ୟକ୍ରମରେ ହେବେ ସାମିଲ୍
  • ||

ଛଅ ମାସ ମଧ୍ୟରେ ତାଇଓ୍ବାନ ଉପରେ ଆକ୍ରମଣ କରିପାରେ ଚୀନ୍‌, ଗୁଇନ୍ଦା ରିପୋର୍ଟରୁ ଖୁଲାସା

Published By : Tapas Panda | April 7, 2025 8:50 PM

Image Courtesy: dailyo

ନୂଆଦିଲ୍ଲୀ: ତାଇଓ୍ବାନ ଉପରେ ଚୀନ ଆକ୍ରମଣ କରିବାକୁ ଯୋଜନା କରୁଛି। ଚୀନ୍ ଏଥିପାଇଁ ପ୍ରସ୍ତୁତି କରିସାରିଛି ଏବଂ ଏହି ଆକ୍ରମଣ ଚଳିତ ବର୍ଷ ହିଁ ହୋଇପାରେ। ଗୁଇନ୍ଦା ସୂତ୍ର ଆଧାରରେ 19FortyFive  ଏଭଳି ରିପୋର୍ଟ ପ୍ରକାଶ କରିଛି । ରିପୋର୍ଟରେ କୁହାଯାଇଛି ଯେ, ଚୀନ୍ ଆଗାମୀ ୬ ମାସ ମଧ୍ୟରେ ତାଇୱାନକୁ କବଜା କରିବାକୁ ଚେଷ୍ଟା କରିପାରେ। ସେପଟେ ତାଇଓ୍ବାନ ଯଦି ଏବେ କବଜା କରାନଯାଏ ତେବେ କେବେ କରାଯିବ ବୋଲି ବେଜିଂରେ ପ୍ରଶ୍ନ ଉଠୁଛି । ବିଶ୍ବର ଅନ୍ୟତମ ମହାଶକ୍ତି ଆମେରିକା ନିରନ୍ତର ଭାବରେ ତାଇଓ୍ବାନକୁ ନିଜର ସମର୍ଥନ ଜଣାଇ ଆସିଛି । କିନ୍ତୁ ତାଇଓ୍ବାନ ଉପରେ ଆକ୍ରମଣ କଲେ ଚୀନ୍‌କୁ ଆମେରିକା ରୋକି ପାରିବ ନାହିଁ ବୋଲି ବିଶ୍ବାସ କରୁଛନ୍ତି ଦେଶର କମ୍ୟୁନିଷ୍ଟ ପାର୍ଟି ନେତା । 

ଚୀନ୍‌ ସେନା ଏବଂ ସରକାର ତାଇଓ୍ବାନକୁ ନିଜ ଦେଶରେ ମିଶାଇବାକୁ ଯୋଜନା ପ୍ରସ୍ତୁତ କରୁଥିବା କୁହାଯାଉଛି । ଏଥିରେ ନାକା ବନ୍ଦୀ , ସୈନ୍ୟ ଆକ୍ରମଣ ଏବଂ ଅନ୍ୟ ବିକଳ୍ପ ସାମିଲ ରହିଛି । ତାଇଓ୍ବାନକୁ ସବୁ ଆଡ଼ୁ ଦୁର୍ବଳ କରିବାକୁ ଚୀନ୍‌ ଚେଷ୍ଟା ଚଳାଇଛି । ଇଣ୍ଟରନେଟ୍‌ ସେବା ଠପ୍‌ କରିବା, ନିର୍ବାଚନ ପ୍ରକ୍ରିୟାରେ ହସ୍ତକ୍ଷେପ ଏବଂ ମିଥ୍ୟା ଖବର ପ୍ରସାରଣ ଆଦି ଚୀନ୍‌ର ଏଜେଣ୍ଡାରେ ସାମିଲ ଥାଇପାରେ । ସେପଟେ ଏଥିରେ ଆମେରିକା ହସ୍ତକ୍ଷେପ କରିପାରେ ବୋଲି ରିପୋର୍ଟରେ ଦର୍ଶାଯାଇଛି । 

ଡୋନାଲ୍ଡ ଟ୍ରମ୍ପଙ୍କ ପକ୍ଷରୁ ଟାରିଫ ଲଗାଯିବା ପରେ ଆମେରିକା ଏବଂ ଚୀନ୍‌ ମଧ୍ୟରେ ବିବାଦ ବୃଦ୍ଧି ପାଇଛି । ଏହି ସମୟରେ ତାଇଓ୍ବାନ ଉପରେ ଆକ୍ରମଣ କରିବା ସଠିକ ସମୟ ବୋଲି ଚୀନ୍‌ ଭାବୁଛି । ଆଗାମୀ ୬ ମାସ ମଧ୍ୟରେ ତାଇଓ୍ବାନକୁ କବଜା କରିବାକୁ ଚେଷ୍ଟା କରିପାରେ ଚୀନ୍‌ । ରିପୋର୍ଟ ଅନୁସାରେ, ଆମେରିକାର ଅବସରପ୍ରାପ୍ତ ଲେପ୍ଟନାଣ୍ଟ କର୍ଣ୍ଣେଲ୍‌ ଏବଂ କାଲିଫର୍ଣ୍ଣିଆର ପୂର୍ବତନ ସାଂସଦ ଚକ୍‌ ଡେଭୋର ୩ଟି ସମ୍ଭାବ୍ୟ ତରିକା ସଂପର୍କରେ କହିଛନ୍ତି । ଏଥିରେ ଧୀରେ ଧୀରେ ନିଜର ପ୍ରଭାବ ବିସ୍ତାର କରିବା, ହଠାତ ବଡ଼ ଆକ୍ରମଣ ଏବଂ ମିଥ୍ୟା ଖବର ପ୍ରସାରଣ କରି ଅସ୍ଥିରତା ବୃଦ୍ଧି କରିବାକୁ ଚୀନ୍‌ ଚେଷ୍ଟା କରିପାରେ ।

ଡେଭୋରଙ୍କ କହିବା ଅନୁଯାୟୀ, ପ୍ରଥମ ବିକଳ୍ପ ଅନୁସାରେ ତାଇଓ୍ବାନରେ ସଂପୂର୍ଣ୍ଣ ନାକା ବନ୍ଦୀ ହୋଇପାରେ । ଏହି ସମ୍ଭାବ୍ୟ ଯୋଜନା ମାଧ୍ୟମରେ ଚୀନ୍‌ ନୌସେନା ତାଇଓ୍ବାନକୁ ଚାରି ପଟୁ ଘେରିଯିବ । ଫଳରେ ତାଇଓ୍ବାନର ଜଳ ମାର୍ଗ ‘କିଲ୍‌ ଜୋନ୍‌’ ପାଲଟିଯିବ । ତାଇଓ୍ବାନ ନିଜ ଲାଗି ୯୦ ପ୍ରତିଶତ ଖାଦ୍ୟ ଏବଂ ୧୦୦ ପ୍ରତିଶତ ପ୍ରାକୃତିକ ଗ୍ୟାସ୍‌ ଜଳ ମାର୍ଗରେ ଆମଦାନୀ କରେ । ଯଦି ଚୀନ୍‌ ଜଳ ମାର୍ଗରେ ଅବରୋଧ କରେ, ତେବେ ତାଇଓ୍ବାନ ତାର ସମସ୍ତ ସର୍ତ୍ତ ମାନିବାକୁ ବାଧ୍ୟ ହେବ । ଏଭଳି ସ୍ଥିତିରେ ତାଇଓ୍ବାନ ଉପରେ ଚୀନ୍‌କୁ କୌଣସି ବଡ଼ ଆକ୍ରମଣ କରିବାକୁ ପଡ଼ିବ ନାହିଁ ।

ଚୀନ୍‌ର ଦ୍ବିତୀୟ ବିକଳ୍ପ ହେଉଛି,  ତାଇୱାନ ଉପରେ କ୍ଷେପଣାସ୍ତ୍ର ସାହାଯ୍ୟରେ ଆକ୍ରମଣ କରିବା। ଏହା ତାଇୱାନର ସୁରକ୍ଷା ବ୍ୟବସ୍ଥାକୁ ବହୁତ କ୍ଷତି ପହଞ୍ଚାଇବ। ତାଇୱାନର କ୍ଷେପଣାସ୍ତ୍ର ପ୍ରତିରକ୍ଷା ପ୍ରଣାଳୀ ଅକାମୀ ହୋଇଯିବ। ଚୀନ୍ ହ୍ୟାକର୍ସ ତାଇୱାନର ପାୱାର ଗ୍ରୀଡ୍ କ୍ରାସ୍ କରିଦେବେ ଏବଂ ଇଣ୍ଟରନେଟ୍ ଏବଂ ଫୋନ୍ ନେଟୱାର୍କ ବନ୍ଦ କରିଦେବେ। ଏହା ସହିତ, ଏକ ଲକ୍ଷ ଚୀନ୍ ସୈନିକ ତାଇୱାନ ଉପକୂଳରେ ଆକ୍ରମଣ କରିବେ। କିଛି ଦିନ ମଧ୍ୟରେ ତାଇପେଇକୁ ଦଖଲ କରିବା ଚୀନର ଲକ୍ଷ୍ୟ ହେବ।

ଚୀନ୍‌ର ତୃତୀୟ ବିକଳ୍ପ ସବୁଠାରୁ ବିପଦପୂର୍ଣ୍ଣ ହୋଇପାରେ । ଏଥିରେ ତାଇୱାନକୁ କବଜା କରିବା ସହିତ, ଚୀନ୍ ଆମେରିକା ଏବଂ ଏହାର ସହଯୋଗୀଙ୍କ ପ୍ରତିରକ୍ଷା କ୍ଷମତାକୁ ମଧ୍ୟ ନଷ୍ଟ କରିବାକୁ ଚେଷ୍ଟା କରିବ। ଚୀନ୍ କ୍ଷେପଣାସ୍ତ୍ର ଆକ୍ରମଣ କେବଳ ତାଇୱାନରେ ଥିବା ସାମରିକ ଘାଟିକୁ ନୁହେଁ, ବରଂ ଜାପାନ, ଗୁଆମ ଏବଂ ଫିଲିପାଇନ୍ସରେ ଥିବା ଆମେରିକୀୟ ଘାଟିକୁ ମଧ୍ୟ ଟାର୍ଗେଟ କରିବ।

ରିପୋର୍ଟରେ କୁହାଯାଇଛି ଯେ, ଚୀନ୍ ଏହି ବିକଳ୍ପଗୁଡ଼ିକ ମଧ୍ୟରୁ କେଉଁଟିକୁ ବାଛିବ ତାହା କହିବା କଷ୍ଟକର । କିନ୍ତୁ ଏହା ନିଶ୍ଚିତ ଯେ ଚୀନ୍ ଏଥିପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ। ଚୀନ୍ ମଧ୍ୟ ସାମ୍ପ୍ରତିକ ସମୟରେ ତାଇୱାନ ନିକଟରେ ବାରମ୍ବାର ସାମରିକ ଅଭ୍ୟାସ କରିଆସୁଛି। ଏପରି ପରିସ୍ଥିତିରେ, ତାଇଓ୍ବାନକୁ କିଭଳି ଚୀନ୍‌ରେ ମିଶାଇ ଦିଆଯିବ ସେନେଇ ଡ୍ରାଗନ ଯୋଜନା ପ୍ରସ୍ତୁତ କରିଥାଇପାରେ । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.