ପ୍ରମୂଖ ଖବର
  • ରାଜ୍ୟରେ ୨୦ରୁ ବଢ଼ିବ ତାତି, ୨୩ ତାରିଖ ପରେ ଉପକୂଳ ଓଡ଼ିଶାରେ ୪୫ ଡିଗ୍ରୀ ଛୁଇଁପାରେ ପାରଦ
  • ||

ୱାକଫ ବିଲ୍‌ ବିବାଦକୁ ଚାପି ଦେବେ ନା ଚକ୍‌ମା ଦେବେ ? ନବୀନଙ୍କ ନିଷ୍ପତ୍ତିକୁ ନିଘା

Published By : Prameya | April 9, 2025 11:14 AM

ଭୁବନେଶ୍ୱର, ୯/୪ : ନବୀନ କ’ଣ କରିବେ ? ୱାକଫ ବିଲ୍‌ ବିବାଦକୁ ଚାପି ଦେବେ ନା କାର୍ଯ୍ୟାନୁଷ୍ଠାନ ନେଇ ଚକ୍‌ମା ଦେବେ ? ଭରସିବେ କାହାକୁ, କାର୍ଯ୍ୟାନୁଷ୍ଠାନ ଚୋଟରେ କାହାକୁ ଗଡ଼ାଇ ଦେବେ ? ନବୀନଙ୍କ ଆଗାମୀ ପଦକ୍ଷେପ ହିଁ କହିବ- ତାଙ୍କ ଜ୍ଞାତସାରରେ ୱାକଫ ଆଭିମୁଖ୍ୟ ବଦଳିଥିଲା ନା ତାଙ୍କୁ ଅନ୍ଧାରରେ ରଖାଯାଇଥିଲା ? କାହାକୁ ମିଳିବ ନବୀନଙ୍କ ସମର୍ଥନ ସସ୍ମିତ ନା ମୁନ୍ନା-ଦେବାଶିଷ ? ସମସ୍ତେ ଦ୍ୱନ୍ଦ୍ୱରେ । ନା ଦଳୀୟ ନେତା କିଛି ଠଉରାଇପାରୁଛନ୍ତି ନା ରାଜନୈତିକ ପଣ୍ଡିତ । ବୁଝାପଡ଼ୁନି, ସସ୍ମିତ କ’ଣ ନିଜ ମନକୁ ଏତେ ବଡ଼ ନିଷ୍ପତ୍ତି ନେଇପାରିବେ ? ବିବେକାନୁମୋଦିତ ମତଦାନ ନିର୍ଦ୍ଦେଶ ନବୀନଙ୍କର ଥିଲା ନା ଆଉ କାହାର ? ନବୀନ ଗତକାଲି ସଂଖ୍ୟାଲଘୁ ନେତା ଓ କର୍ମୀମାନଙ୍କର ସବୁ ଅଭିଯୋଗ ଶୁଣିଲେ । କିନ୍ତୁ, ସ୍ପଷ୍ଟ କଲେନି-ଏ ନିଷ୍ପତ୍ତି କାହାର ଥିଲା ? ସମସ୍ତେ ସସ୍‌ପେନ୍ସରେ । ଅନେକଙ୍କ ମନରେ ପ୍ରଶ୍ନ ନବୀନ ନିଷ୍ପତ୍ତି ବଦଳାଇଲେ କାହିଁକି ? ଆହୁରି ପ୍ରଶ୍ନ ଉଠୁଛି, ପାଣ୍ଡିଆନଙ୍କ ମାର୍ଗଦର୍ଶନ ଏବେ ବି ବିଜେଡିରେ ଜାରି ରହିଛି କି ନାହିଁ ?  ସମସ୍ତେ ଅନେଇ ରହିଛନ୍ତି ନବୀନଙ୍କ ନିଷ୍ପତ୍ତିକୁ। 

ଅତୀତରେ ସାଂଗଠନିକ ରୂପରେଖରୁ ନେଇ ମନ୍ତ୍ରିମଣ୍ଡଳ ଯାଏଁ ବିଜେଡି ସଭାପତି ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆକସ୍ମିକ ନିଷ୍ପତ୍ତି ଚକ୍‌ମା ଦେଇଛି ସଭିଙ୍କୁ । ଏଥର ବି ନବୀନ ସେମିତି କିଛି କରିପାରନ୍ତି । ଇତିମଧ୍ୟରେ ପାଣ୍ଡିଆନ ବିରୋଧୀ ଓ ସପକ୍ଷବାଦୀଙ୍କ ଭିତରେ ବାକ୍‌ ଯୁଦ୍ଧ ଗତକାଲି ଯାଏଁ ଜୋରଦାର ଥିଲା । ଏହା ଭିତରେ ହାରୁ ନେତାମାନେ ଏକାଠି ହୋଇ ଦଳରେ ନିଜ ଗୁରୁତ୍ୱ ବଢ଼ାଇବାକୁ ଲାଗିଥିବାବେଳେ ଆଉ କିଛି ସଂଗଠନରେ ବଡ଼ ପଦ ପାଇଁ ଚାପ ପକାଇଲେଣି । ଆଜି ବିଜେଡି ପାଇଁ ସବୁଠୁ ଚର୍ଚ୍ଚିତ ଖବର ଥିଲା-ଉପକୂଳିଆ ଯୁବ ନେତାଙ୍କ ମେଳି । ବିଧାୟକ ଦେବୀ ରଞ୍ଜନ ତ୍ରିପାଠୀ, ପୂର୍ବତନ ବିଧାୟକ ଚନ୍ଦ୍ରସାରଥୀ ବେହେରା, ସମ୍ବିତ ରାଉତରାୟ, ପ୍ରଣବ ବଳବନ୍ତରାୟ, ବିଷ୍ଣୁବ୍ରତ ରାଉତରାୟ, ଅଂଶୁମାନ ମହାନ୍ତି ଓ ରୁଦ୍ର ମହାରଥୀ ପ୍ରମୁଖ ବୈଠକ କରିଛନ୍ତି। ସୂତ୍ର ଅନୁସାରେ ସେମାନେ ନବୀନଙ୍କ ଉଦ୍ଦେଶ୍ୟରେ ଏକ ମିଳିତ ଚିଠି ଲେଖିଛନ୍ତି। ଚିଠିରେ ଲେଖିଛନ୍ତି, ନବୀନ ହିଁ ଦଳର ଏକମାତ୍ର ନେତା। ସମସ୍ତେ ନବୀନଙ୍କ ସହ ଅଛନ୍ତି, ରହିବେ। ମାତ୍ର ଯେଉଁ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଛି, ନବୀନ ସାମ୍ନାକୁ ଆସି ତାହାକୁ ଦୂର କରନ୍ତୁ। ଦଳରେ କୌଣସି ମାଧ୍ୟମ କି ଭାୟା ବ୍ୟବସ୍ଥା ନରହୁ। ସବୁ ନେତାଙ୍କ ସହ ନବୀନ ସିଧାସଳଖ ସମ୍ପର୍କ ରଖନ୍ତୁ, ସଭିଙ୍କ କଥା ଶୁଣନ୍ତୁ। 

ପୁଷ୍ପେନ୍ଦ୍ର ସିଂହଦେଓ ଓ ବିଧାୟକ ସୁନୀଲ ମହାନ୍ତି ବୈଠକକୁ ଆସିନଥିବାରୁ ଆଜି ଚିଠି ନବୀନଙ୍କ ନିକଟକୁ ପଠାଯାଇନି । ଉଭୟ ନେତାଙ୍କ ଦସ୍ତଖତ ପରେ ଚିଠି ନବୀନଙ୍କୁ ଦିଆଯିବ ବୋଲି ଜଣାପଡ଼ିଛି । ଏହି ନେତାମାନେ ସାଂସଦ ମୁନ୍ନା ଖାଁଙ୍କୁ ଭେଟିବା ଫଟୋ ବି ଆଜି ଚର୍ଚ୍ଚାରେ ରହିଛି ।  ରାଜ୍ୟସଭା ବିବାଦ ନେଇ ଆଜି ବରିଷ୍ଠ ନେତାଏ ଆଉ ମୁହଁ ଖୋଲୁ ନାହାନ୍ତି । ଦେବାଶିଷ ସାମନ୍ତରାୟ, ମୁନ୍ନା ଖାଁଙ୍କ ସମେତ ସବୁ ସାଂସଦ ଚୁପ୍‌ । କଟକ ମେୟର ବି ନୀରବ । ଗଣମାଧ୍ୟମକୁ ନେତାଏ ମାପିଚୁପି ବୟାନ ଦେଉଛନ୍ତି । 

ସୂତ୍ର ଅନୁସାରେ ନବୀନ ନିବାସରୁ ବରିଷ୍ଠଙ୍କୁ ତାଗିଦ୍‌ ଭରା ନିର୍ଦ୍ଦେଶ ଯାଇଛି । ବହୁତ ହୋଇଗଲା, ଏବେ ମୁହଁରେ ତୁଣ୍ଡି ବାନ୍ଧ । ନବୀନ ନିବାସକୁ ଦଳର ବରିଷ୍ଠ ନେତା ପ୍ରସନ୍ନ ଆଚାର୍ଯ୍ୟ, ଅନଙ୍ଗ ଉଦୟ ସିଂହଦେଓ, ଦେବୀ ପ୍ରସାଦ ମିଶ୍ର, ପ୍ରତାପ କେଶରୀ ଦେବ, ଅରୁଣ ସାହୁ, ଅତନୁ ସବ୍ୟସାଚୀ ନାୟକ, ସଞ୍ଜୟ ଦାସବର୍ମା, ପ୍ରଣବ ପ୍ରକାଶ ଦାସ, କଳିକେଶ ନାରାୟଣ ସିଂହଦେଓ, ବିଜୟ ନାୟକ ପ୍ରମୁଖ ପୃଥକ ପୃଥକ ଯାଇ ନବୀନଙ୍କୁ ଭେଟିଛନ୍ତି । ମାତ୍ର ଗଣମାଧ୍ୟମରେ କୌଣସି ରୋଚକ କିମ୍ବା ବିବାଦୀୟ କଥା କେହି ରଖିନାହାନ୍ତି । ସମସ୍ତେ ମାପିଚୁପି କଥା ରଖିଛନ୍ତି । ପଚାରିଲେ ପ୍ରାୟ ସମସ୍ତେ କହିଛନ୍ତି, ସାଂଗଠନିକ ନିର୍ବାଚନ ବାବଦରେ ଆଲୋଚନା ହୋଇଛି ।  ଗଣମାଧ୍ୟମର ପ୍ରଶ୍ନର ଉତ୍ତରରେ ଚନ୍ଦ୍ରସାରଥୀ କହିଛନ୍ତି, ପାଣ୍ଡିଆନ ୧୦ ମାସ ହେବ ସନ୍ନ୍ୟାସ ନେଲେଣି । ତାଙ୍କୁ ନେଇ ବିବାଦ ହେବା କଥା ନୁହେଁ । ସାଂସଦ ଦେବାଶିଷ କାହା ନାଁ ନ ଦେଇ ନିଜ ବ୍ୟକ୍ତିଗତ ମତ ରଖିଥିଲେ । ହେଲେ ଅନ୍ୟ ସାଂସଦମାନେ ଯେଉଁଭଳି ସାମାଜିକ ଗଣମାଧ୍ୟମରେ ଦେବାଶିଷଙ୍କୁ ଆକ୍ରମଣ କଲେ, ତାହା ଠିକ୍‌ ହେଲାନି । ସେହିପରି ଦେବାଶିଷଙ୍କୁ କଟକ ମେୟର ସୁବାସ ସିଂହଙ୍କ ସମାଲୋଚନା ଆଦୌ ଠିକ୍‌ ନୁହେଁ । ସୁବାସଙ୍କୁ ଏହି ଆସନରେ ବସାଇବା ଓ ବିଜେଡିକୁ ଆଣିବାରେ ଦେବାଶିଷଙ୍କ ବଡ଼ ଭୂମିକା ରହିଛି । ସମ୍ବିତ କହିଛନ୍ତି, ପାଣ୍ଡିଆନ କିଏ? ଆମ ନେତା ନବୀନ। ଦଳରେ କିଛି ବିବାଦ ନାହିଁ।


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.