ଭୁବନେଶ୍ଵର, ୧୭/୦୪ : ବିଜେଡି ସଭାପତି ଭାବେ ନିର୍ଦ୍ଵନ୍ଦ୍ଵରେ ନିର୍ବାଚିତ ହେଲେ ନବୀନ ପଟ୍ଟନାୟକ। କେବଳ ଔପଚାରିକ ଘୋଷଣା ବାକି। ଆସନ୍ତା ୧୯ ତାରିଖରେ ହେବ ବିଧିବଦ୍ଧ ଘୋଷଣା। ଗୁରୁବାର ୧୦ଟାରୁ ୧ଟା ପର୍ଯ୍ୟନ୍ତ ନାମାଙ୍କନ ସମୟ ଥିବା ବେଳେ ନବୀନ ପଟ୍ଟନାୟକ ଏକାକୀ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ଏନେଇ ସୂଚନା ଦେଇଛନ୍ତି ବିଜେଡି ସାଙ୍ଗଠନିକ ନିର୍ବାଚନ ଅଧିକାରୀ ପ୍ରତାପ ଦେବ। ସେ କହିଛନ୍ତି ଯେ, ନବମ ଥର ପାଇଁ ନବୀନ ବିଜେଡି ସଭାପତି ହେବେ। ନିର୍ବାଚନ ପ୍ରକ୍ରିୟାରେ ବର୍ତ୍ତମାନ ସୁଦ୍ଧା ଷ୍ଟେଟ କାଉନସିଲ ଗଠନ କରାଯାଇଛି। ୩୫୫ ଜଣ ସଦସ୍ୟ ରହିଛନ୍ତି। ୧୯ ତାରିଖରେ ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ବସି ନବୀନଙ୍କ ନାଁ ଘୋଷଣା ହେବ।
ସେପଟେ ମଙ୍ଗଳବାର ୧୮ଟି ଜିଲ୍ଲାର ବିଜେଡି ସଭାପତିଙ୍କ ନାଁ ଘୋଷଣା ହୋଇଥିଲା। ଅନୁଗୁଳ ଜିଲ୍ଲାର ବିଜେଡି ସଭାପତି ପାଇଁ ବ୍ରଜକିଶୋର ପ୍ରଧାନ, ବରଗଡ ପାଇଁ ସୁଶାନ୍ତ କୁମାର ମହାପାତ୍ର, ଭଦ୍ରକ ପାଇଁ ଜଗନ୍ନାଥ ସ୍ଵାଇଁ, ବୌଦ୍ଧ ପାଇଁ ପ୍ରଦୀପ କୁମାର ଅମାତ, ଦେବଗଡ଼ ପାଇଁ ରୋମାଞ୍ଚ ରଞ୍ଚନ ବିଶ୍ଵାଳ, ଗଜପତି ପାଇଁ ପ୍ରଦୀପ ନାୟକ, ଜଗତସିଂହପୁର ପାଇଁ ପ୍ରଶାନ୍ତ କୁମାର ମୁଦୁଲି, ଯାଜପୁର ପାଇଁ ସରୋଜ କୁମାର ମହାପାତ୍ର, ଝାରସୁଗୁଡ଼ା ପାଇଁ ହରିଶ ଗନ୍ତରା ନିଯୁକ୍ତ ହୋଇଛନ୍ତି ।
ସେହିପରି କନ୍ଧମାଳ ଜିଲ୍ଲାର ବିଜେଡି ସଭାପତି ଭାବେ ପଦ୍ମନାଭ ବେହେରା, ମାଲକାନଗିରି ପାଇଁ ମାନସ ମାଡକାମି, ମୟୂରଭଞ୍ଜ-୧ ପାଇଁ ସୁଦାମ ମାରାଣ୍ଡି, ନବରଙ୍ଗପୁର ପାଇଁ ମନୋହର ରନ୍ଧାରୀ, ନୟାଗଡ଼ ପାଇଁ ରମେଶ ଚନ୍ଦ୍ର ବେହେରା, ନୂଆପଡ଼ା ପାଇଁ ଅବନୀ ରଞ୍ଜନ ଯୋଶୀ, ପୁରୀ ପାଇଁ ଉମାକାନ୍ତ ସାମନ୍ତରାୟ, ସୁବର୍ଣ୍ଣପୁର ପାଇଁ ସରୋଜ କୁମାର କାମ୍ପା ଓ ସୁନ୍ଦରଗଡ଼ ପାଇଁ ଯୋଗେଶ ସିଂଙ୍କୁ ବିଜେଡି ଜିଲ୍ଲା ସଭାପତି ଭାବେ ଦଳ ଘୋଷଣା କରିଛି ।
ଏହି ଖବରଟିକୁ ପଢନ୍ତୁ-OSSF କର୍ମଚାରୀଙ୍କ ପାଇଁ ଖୁସି ଖବର, ସର୍ବନିମ୍ନ ପାରିଶ୍ରମିକ ବୃଦ୍ଧି କଲେ ରାଜ୍ୟ ସରକାର