ନୂଆଦିଲ୍ଲୀ,୧୫।୫: ବ୍ୟାଙ୍କ କର୍ମଚାରୀ ବାହାରିଲେ ଚୋର। ଲୁଟିଥିଲେ ୪୨ ଲକ୍ଷ ଟଙ୍କା, ହେଲେ ମାତ୍ର କିଛି ଘଣ୍ଟା ପରେ ଧରିନେଲା ପୋଲିସ। ଏଭଳି ଏକ ଘଟଣା ମଧ୍ୟ ପ୍ରଦେଶର ଦମୋହରେ ଥିବା ଏକ ବ୍ୟାଙରେ ଘଟିଛି। ମାମଲାର ବଡ ଖୁଲାସା କରି ପୋଲିସ କହିଛି, ଅଭିଯୋଗକାରୀ ବ୍ୟାଙ୍କ କର୍ମଚାରୀ ଏହି ଲୁଟ୍ର ମାଷ୍ଟରମାଇଣ୍ଡ ଥିଲା। ଚୋରି ଘଟଣାକୁ ସଫଳ କରିବାକୁ ବ୍ୟାଙ୍କର ତିନିଜଣ କର୍ମଚାରୀ ଏକାଠି କରିଥିଲେ ଯୋଜନା ।
ଉଲ୍ଲେଖନୀୟ ଯେ, ମଙ୍ଗଳବାର ରାତିରେ ଦମୋହ ଜିଲ୍ଲାର ମଗରୋନ ଥାନା ଅନ୍ତର୍ଗତ ଫତେହପୁର ମଧ୍ୟାଞ୍ଚଳ ଗ୍ରାମୀଣ ବ୍ୟାଙ୍କରୁ ୪୨ ଲକ୍ଷ ଟଙ୍କା ଲୁଟ୍ ହୋଇଥିଲା। ଏ ସମ୍ପର୍କରେ ପୋଲିସକୁ ବ୍ୟାଙ୍କ କର୍ମଚାରୀ ସୂଚନା ଦେଇଥିଲେ। ପୋଲିସକୁ ଚକମା ଦେଖାଇବା ପାଇଁ ଅଭିଯୁକ୍ତ କହିଥିଲା, ୫ରୁ ଅଧିକ ମୁଖା ପିନ୍ଧିଥିବା ଲୁଟେରା ହତିଆର ଦେଖାଇ ଟଙ୍କା ନେଇଗଲେ।ପୋଲିସ ଏହି ମାମଲାକୁ ମାତ୍ର କିଛି ଘଣ୍ଟା ତଦନ୍ତ କରିବା ପରେ ସମାଧାନ କରିଥିଲା। ଏହା ସହିତ ପୋଲିସ ଲୁଟ୍ ହୋଇଥିବା ୪୨ ଲକ୍ଷ ଟଙ୍କା ଓ ସିସିଟିଭି ଫୁଟେଜ୍ ସହିତ ଡିଭିଆର ବାକ୍ସକୁ ଜବତ କରିନେଇଛି।
ପୋଲିସ ଏହି ଲୁଟ୍ ଘଟଣାର ଖୁଲାସା ବୁଧବାର ସକାଳେ କରିଛି। ପୋଲିସ ଅଧିକାରୀଙ୍କ ଅନୁସାରେ, ଲୁଟ୍ ହୋଇଥିବା ନଗଦ ୪୨ ଲକ୍ଷ ଟଙ୍କା ଜବତ କରାଯାଇଛି। ପୋଲିସ ଏହି କଥାରେ ଆଶ୍ଚର୍ଯ୍ୟ ଥିଲା ଯେ, ସନ୍ଧ୍ୟା ହେବାମାତ୍ରେ ବିନା ଭୟରେ ୫ ଜଣ ଲୁଟେରା କିଭଳି ଟଙ୍କା ଲୁଟିନେଲେ? କିଭଳି ଆଖପାଖର ଲୋକ ଜାଣିପାରିଲେନି ? ଘଟଣାସ୍ଥଳରେ ଅଭିଯୁକ୍ତମାନେ କିଛି ନୋଟ୍ ବିଡା ପାଖର ଥିବା ଏକ ଡ୍ରେନ୍ରେ ପକାଇବା ସହ ଡିଭିଆର ଗାଏବ କରିଦେଇଥିଲେ। ଯାହାଫଳରେ ପୋଲିସକୁ ବ୍ୟାଙ୍କ କର୍ମଚାରୀଙ୍କ ଉପରେ ସନ୍ଦେହ ହୋଇଥିଲା। ପୋଲିସ ବ୍ୟାଙ୍କ କ୍ୟାସିଅର ରୋହିତ ବିଶ୍ବକର୍ମା, ସିକ୍ୟୁରିଟି ଗାର୍ଡ ଓ ଅନ୍ୟ ଜଣେ ଅଭିଯୁକ୍ତକୁ ଗିରଫ କରିଛି।