ନୂଆଦିଲ୍ଲୀ, ୦୪/୦୪: ଝାଡ଼ଖଣ୍ଡର ୨୧ଟି ସ୍ଥାନରେ ଇଡିର ଚଢାଉ । ଆୟୁଷ୍ମାନ ଯୋଜନାରେ ଦୁର୍ନୀତି ମାମଲାରେ ହୋଇଛି ଚଢାଉ। ଡ଼ାକ୍ତରଖାନାରେ ବିନା ଆଡ଼ମିଶନ ଓ ଚିକିତ୍ସାରେ ଟଙ୍କା କ୍ଲେମ କରାଯାଇଥିବାର ରହିଛି ଅଭିଯୋଗ। ଯାହାକୁ ନେଇ ୨୧୨ଟି ହସ୍ପିଟାଲ, ଇନ୍ସୁରାନ୍ସ ଓ ଔଷଧ କମ୍ପାନି ତଦନ୍ତ ପରିସରରେ ଅଛି ।
ଏହି ମାମଲାରେ ୟୁପି, ପଶ୍ଚିମବଙ୍ଗ ଏବଂ ଦିଲ୍ଲୀର କିଛି ସ୍ଥାନରେ ମଧ୍ୟ ଚଢାଉ କରାଯାଇଛି। ସୂତ୍ର ଅନୁସାରେ, ଇଡ଼ି ଟିମ୍ ଏବଂ ବହୁ ସଂଖ୍ୟକ ସୁରକ୍ଷାବାହୀନୀ ସକାଳେ ଏହି ସ୍ଥାନଗୁଡ଼ିକରେ ପହଞ୍ଚି ସମଗ୍ର ଅଞ୍ଚଳକୁ ଘେରି ଯାଇଥିଲେ। ଝାଡ଼ଖଣ୍ଡ ସମେତ ୪ଟି ରାଜ୍ୟରେ ଏକକାଳୀନ ଚଢାଉ କରାଯାଇଥିଲା। ଆୟୁଷ୍ମାନ ଯୋଜନାରେ ହସ୍ପିଟାଲଗୁଡ଼ିକୁ ଦିଆଯାଇଥିବା ପାଣ୍ଠିର ବହୁଳ ପରିମାଣରେ ଅପବ୍ୟବହାର କରାଯାଇଥିବା ଅଭିଯୋଗ ହୋଇଥିଲା ।
ଏହା ମଧ୍ୟ ପଢନ୍ତୁ- ଦେଶରେ ୧୩.୮୬ ଲକ୍ଷ ଏଲୋପାଥି, ୭.୫୧ ଲକ୍ଷ ଆୟୁଷ ଡ଼ାକ୍ତର: କେନ୍ଦ୍ର
ତଦନ୍ତରୁ ଜଣାପଡିଛି ଯେ, କିଛି ହସ୍ପିଟାଲ ରୋଗୀଙ୍କୁ ଭର୍ତ୍ତି ନ କରି ଚିକିତ୍ସା ନାମରେ କେନ୍ଦ୍ର ସରକାରଙ୍କଠାରୁ ପାଣ୍ଠି ହାସଲ କରିଥିଲେ। ଝାଡ଼ଖଣ୍ଡରେ ଆୟୁଷ୍ମାନ ଯୋଜନାରେ ପଞ୍ଜିକୃତ ୭୫୦ ରୁ ଅଧିକ ହସ୍ପିଟାଲ ମଧ୍ୟରୁ ଅନେକ ହସ୍ପିଟାଲ ବିରୋଧରେ ଏହି ଅଭିଯୋଗ ରହିଛି। ତଦନ୍ତ ସମୟରେ ଅନେକ ଆଶ୍ଚର୍ଯ୍ୟଜନକ ଖୁଲାସା ହୋଇଛି। ତଥାପି, ଏହି ମାମଲାରେ ଇଡି ଅଧିକାରୀମାନେ ଏପର୍ଯ୍ୟନ୍ତ କୌଣସି ସରକାରୀ ବିବୃତ୍ତି ଜାରି କରିନାହାଁନ୍ତି। ଅନ୍ୟପଟେ ତାମିଲନାଡୁ ଏବଂ କେରଳରେ ଇଡି ଚଢାଉ ଜାରି ରହିଛି। ଗୋକୁଳମ ଗୋପାଳନଙ୍କ ଚିଟ୍ ଫଣ୍ଡ କମ୍ପାନୀ ସହିତ ଜଡିତ ସ୍ଥାନଗୁଡ଼ିକ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ସୂତ୍ର ଅନୁସାରେ, ଗୋକୁଳମ ଗୋପାଳନ ଏମ୍ପୁରନ ଜଣେ ଫିଲ୍ମର ପ୍ରଯୋଜକ।