ପ୍ରମୂଖ ଖବର
  • ରାଜ୍ୟରେ ୨୦ରୁ ବଢ଼ିବ ତାତି, ୨୩ ତାରିଖ ପରେ ଉପକୂଳ ଓଡ଼ିଶାରେ ୪୫ ଡିଗ୍ରୀ ଛୁଇଁପାରେ ପାରଦ
  • ||

Uttarapradesh: ଭାବି ଜ୍ୱାଇଁ ସହ ଫେରାର ହୋଇଗଲେ ଶାଶୁ; ଚିନ୍ତାରେ ପଡି ଝିଅ ଗୁରୁତର

Published By : Bijay Swain | April 9, 2025 10:04 PM

Image courtesy: ndtv

ନୂଆଦିଲ୍ଲୀ: ଉତ୍ତର ପ୍ରଦେଶର ଅଲିଗଡ଼ ଜିଲ୍ଲାରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଏକ ୪୦ ବର୍ଷୀୟ ମହିଳା ତାଙ୍କ ଝିଅର ୨୦ ବର୍ଷୀୟ ବର ସହିତ ବିବାହର ମାତ୍ର ନଅ ଦିନ ପୂର୍ବରୁ ଫେରାର ହୋଇଯାଇଛନ୍ତି। ଏହି ଘଟଣାରେ ଆହୁରି ଆଶ୍ଚର୍ଯ୍ୟର କଥା ହେଉଛି ଯେ, ସେ ଘରୁ ୨.୫ ଲକ୍ଷ ଟଙ୍କା ନଗଦ ଏବଂ ଅଳଙ୍କାର ମଧ୍ୟ ନେଇ ପଳାଇଛନ୍ତି। ଏହି ଘଟଣା ମଦ୍ରାକ ଥାନା ଅଞ୍ଚଳରେ ଘଟିଛି ଏବଂ ପୋଲିସ ଏହାର ତଦନ୍ତ ଆରମ୍ଭ କରିଛି।

ପୋଲିସ ସୂଚନା ଅନୁସାରେ, ଝିଅର ବିବାହ ଏପ୍ରିଲ ୧୬ ତାରିଖରେ ନିର୍ଦ୍ଧାରିତ ହୋଇଥିଲା ଏବଂ ଏହାର ପ୍ରସ୍ତୁତି ଜୋରଦାର ଚାଲିଥିଲା। କିନ୍ତୁ ରବିବାର ରାତିରେ ବର ଘରୁ ବାହାରି ଯାଇଥିଲେ ଏବଂ ତାଙ୍କ ପିତାଙ୍କୁ ଫୋନରେ କହିଥିଲେ, "ମୋତେ ଖୋଜିବାକୁ ଚେଷ୍ଟା କରିବେ ନାହିଁ, ମୁଁ ବହୁ ଦୁରକୁ ଯାଉଛି।" ସେହି ସମୟରେ ଝିଅର ମାଆ ମଧ୍ୟ ଗାଏବ ହୋଇଯାଇଥିଲେ। ପରେ ତଦନ୍ତରୁ ଜଣାପଡ଼ିଛି ଯେ ଉଭୟେ ଏକାଠି ହୋଇ ଘର ଛାଡି ପଳାଇଛନ୍ତି। 

ଝିଅର ପିତା ପୋଲିସରେ ଅଭିଯୋଗ ଦାୟର କରିଛନ୍ତି। ସେ କହିଛନ୍ତି ଯେ ବର ଓ ତାଙ୍କ ପତ୍ନୀ ଗତ ତିନିରୁ ଚାରି ମାସ ଧରି ଫୋନରେ ଘଣ୍ଟା ଘଣ୍ଟା କଥା ହେଉଥିଲେ। ସେ ଆହୁରି କହିଛନ୍ତି, "ମୋର ଝିଅର ବିବାହ ପାଇଁ ସବୁ ପ୍ରସ୍ତୁତି ଚାଲିଥିଲା, କିନ୍ତୁ ଏବେ ମୋ ପତ୍ନୀ ବରକୁ ନେଇ ପଳାଇଛି ଓ ଘରୁ ଗଲାବେଳେ ସେ ସବୁ ଟଙ୍କା ଓ ଅଳଙ୍କାର ମଧ୍ୟ ନେଇଯାଇଛି।"

ପୋଲିସର ମଦ୍ରାକ ଥାନାର ଅଧିକାରୀ ଅରବିନ୍ଦ କୁମାର କହିଛନ୍ତି ଯେ, ଏକ ସର୍ଚ୍ଚ ଟିମ୍‌ ଗଠନ କରାଯାଇଛି ଏବଂ ସ୍ଥାନୀୟ ବସ୍‌ ଷ୍ଟେସନ ଓ ରେଳ ଷ୍ଟେସନର ସିସିଟିଭି ଫୁଟେଜ୍‌ ଯାଞ୍ଚ କରାଯାଉଛି। ଉଭୟେ ଉତ୍ତରାଖଣ୍ଡରେ ଲୁଚି ରହିଥାଇପାରନ୍ତି ଅନୁମାନ କରାଯାଉଛି। କାରଣ ବର ଜଣକ ଉକ୍ତ ଅଞ୍ଚଳରେ କାମ କରୁଥିବା ନେଇ ସୂଚନା ମିଳିଛି।

ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି। ଏହି ଘଟଣାରେ ଝିଅଟିକୁ ଗଭୀର ମାନସିକ ଆଘାତ ଲାଗିଛି। ସେ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ଜଣାପଡିଛି। ତେବେ ତାଙ୍କ ପରିବାରଲୋକ ମହିଳାଙ୍କ ଏଭଳି ବିଶ୍ୱାସଘାତକତାକୁ ସାମ୍ନା କରିପାରୁ ନାହାନ୍ତି ବୋଲି ତାଙ୍କ ସ୍ୱାମୀ ପ୍ରକାସ କରିଛନ୍ତି। ପୋଲିସ ଏହି ମାମଲାରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ବୋଲି ପ୍ରତିଶ୍ରୁତି ଦେଇଛି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.