ନୂଆଦିଲ୍ଲୀ: ଆନ୍ଧ୍ରପ୍ରଦେଶ ସରକାର ବିଶାଖାପାଟଣାକୁ ଏକ ପ୍ରମୁଖ ଆଇଟି ହବ ଭାବେ ଗଢି ତୋଳିବା ପାଇଁ ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି। ରାଜ୍ୟ ମନ୍ତ୍ରୀମଣ୍ଡଳ ଟାଟା କନସଲଟାନସି ସର୍ଭିସେସ (ଟିସିଏସ) ପାଇଁ ବିଶାଖାପାଟଣାର ଆଇଟି ହିଲ ନମ୍ବର ୩ ଠାରେ ୨୧.୧୬ ଏକର ଜମିକୁ ମାତ୍ର ୯୯ ପଇସାରେ ଲିଜରେ ପ୍ରଦାନ କରିବାକୁ ମଙ୍ଗଳବାର ଅନୁମୋଦନ କରିଛି। ଏହି ପ୍ରକଳ୍ପରେ ଟିସିଏସ ପ୍ରାୟ ୧,୩୭୦ କୋଟି ଟଙ୍କା ବିନିଯୋଗ କରିବ। ଯାହା ଦ୍ଵାରା ପ୍ରାୟ ୧୨,୦୦୦ ନୂଆ ଚାକିରି ସୃଷ୍ଟି ହେବ ବୋଲି ଆକଳନ କରାଯାଉଛି।
ଏହି ନିଷ୍ପତ୍ତି ରାଜ୍ୟର ଆଇଟି ଏବଂ ଡିଜିଟାଲ ସେବା କ୍ଷେତ୍ରରେ ବିଶାଖାପାଟଣାକୁ ଦେଶର ଏକ ମୁଖ୍ୟ ସ୍ଥାନ ଭାବେ ପ୍ରତିଷ୍ଠା କରିବାର ଯୋଜନାର ଏକ ଅଂଶ ବୋଲି ଜଣାପଡିଛି। ଏହି ଉଦ୍ୟୋଗର ପଛରେ ରାଜ୍ୟର ଆଇଟି ଏବଂ ଇଲେକ୍ଟ୍ରୋନିକ୍ସ ମନ୍ତ୍ରୀ ନାରା ଲୋକେଶଙ୍କ ଗୁରୁତ୍ଵପୂର୍ଣ୍ଣ ଭୂମିକା ରହିଛି। ୨୦୨୪ ଅକ୍ଟୋବରରେ ଲୋକେଶ ମୁମ୍ବାଇରେ ଟାଟା ଗ୍ରୁପର ବରିଷ୍ଠ ଅଧିକାରୀମାନଙ୍କୁ ଭେଟି ଆନ୍ଧ୍ରପ୍ରଦେଶରେ ଟିସିଏସର ପରବର୍ତ୍ତୀ ବଡ଼ ପ୍ରକଳ୍ପ କାର୍ଯ୍ୟକାରୀ କରିବା ପାଇଁ ନିବେଦନ କରିଥିଲେ।
ଏହି ଜମି ଚୁକ୍ତି ଗୁଜରାଟର ପୂର୍ବତନ ମୁଖ୍ୟମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ଵାରା ଟାଟା ମୋଟର୍ସକୁ ସାନାନ୍ଦରେ ୯୯ ପଇସାରେ ଜମି ପ୍ରଦାନ କରି ଅଟୋମୋବାଇଲ ଶିଳ୍ପରେ ଏକ ଐତିହାସିକ ମୁହୂର୍ତ୍ତ ସୃଷ୍ଟି କରିଥିବା ମଡେଲକୁ ଅନୁସରଣ କରିଛି। ଏହି ପ୍ରତୀକାତ୍ମକ ମୂଲ୍ୟରେ ଜମି ପ୍ରଦାନ ଆନ୍ଧ୍ର ପ୍ରଦେଶର ଆଇଟି ଶିଳ୍ପ ପାଇଁ ଏକ “ସାନାନ୍ଦ ମୁହୂର୍ତ୍ତ” ଭାବେ ପରିଗଣନା କରାଯାଉଛି। ଯେଉଁଥିପାଇଁ ବିଶ୍ଵସ୍ତରୀୟ ଆଇଟି କମ୍ପାନୀମାନଙ୍କୁ ଆନ୍ଧ୍ରପ୍ରଦେଶ ଆକୃଷ୍ଟ କରିବାରେ ସହାୟକ ହେବ।
ଟିସିଏସ ଏହି ଜମିରେ ଏକ ଅତ୍ୟାଧୁନିକ ଆଇଟି କ୍ୟାମ୍ପସ ନିର୍ମାଣ କରିବ। ଯାହା ନିର୍ମାଣ ହେବା ପାଇଁ ୨ ରୁ ୩ ବର୍ଷ ସମୟ ଲାଗିବ ବୋଲି ଅନୁମାନ କରାଯାଉଛି। ତେବେ, କାର୍ଯ୍ୟ ଆରମ୍ଭ କରିବା ପାଇଁ ଟିସିଏସ ୯୦ ଦିନ ମଧ୍ୟରେ ଏକ ଭଡ଼ା ସ୍ଥାନରୁ ଅସ୍ଥାୟୀ ଭାବେ କାର୍ଯ୍ୟ ଆରମ୍ଭ କରିବାକୁ ଯାଉଛି।
ମନ୍ତ୍ରୀ ନାରା ଲୋକେଶ କହିଛନ୍ତି ଯେ, ଟିସିଏସର ଏହି ପ୍ରକଳ୍ପ ବିଶାଖାପାଟଣାକୁ ଏକ ଆଇଟି ଏବଂ ଟେକ୍ନୋଲୋଜି ହବରେ ପରିଣତ କରିବାର ଆରମ୍ଭ ମାତ୍ର। ରାଜ୍ୟ ସରକାର ଆଗାମୀ ପାଞ୍ଚ ବର୍ଷରେ ଆଇଟି କ୍ଷେତ୍ରରେ ୫ ଲକ୍ଷ ଚାକିରି ସୃଷ୍ଟି କରିବାକୁ ଲକ୍ଷ୍ୟ ରଖିଛନ୍ତି।
ଏହା ସହିତ, ରାଜ୍ୟ ସରକାର ଗୁଗଲ କ୍ଲାଉଡ ସହିତ ମଧ୍ୟ ଏକ ଏମଓୟୁ ସ୍ଵାକ୍ଷର କରିଛନ୍ତି। ଯାହା ବିଶାଖାପାଟଣାରେ ଏକ ଡାଟା ସିଟି ଏବଂ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ଆପ୍ଲିକେସନ ସ୍ଥାପନ କରିବା ସହ ସ୍ଥାନୀୟ ଯୁବକମାନଙ୍କ ପାଇଁ ଦକ୍ଷତା ବିକାଶର ସୁଯୋଗ ପ୍ରଦାନ କରିବ।
ଏହି ଜମି ଚୁକ୍ତି ଆନ୍ଧ୍ର ପ୍ରଦେଶର ଆଇଟି ଶିଳ୍ପ କ୍ଷେତ୍ରରେ ଏକ ନୂଆ ଅଧ୍ୟାୟ ଆରମ୍ଭ କରିବାକୁ ଯାଉଛି। ଯାହା ରାଜ୍ୟ ଅର୍ଥନୀତିକୁ ଶକ୍ତିଶାଳୀ କରିବା ସହ ଯୁବକମାନଙ୍କ ପାଇଁ ନୂଆ ସୁଯୋଗ ସୃଷ୍ଟି କରିବ।