ନୂଆଦିଲ୍ଲୀ ୧୦/୦୪: ଉତ୍ତର ପ୍ରଦେଶର ଅମରୋହା ଜିଲ୍ଲାରେ ଏକ ଅଭାବନୀୟ ଘଟଣା ଘଟିଛି । ଜଣେ ୩୦ ବର୍ଷୀୟା ମୁସ୍ଲିମ୍ ମହିଳା ଧର୍ମ ବଦଳାଇ ଦ୍ୱାଦଶ ଶ୍ରେଣୀରେ ପଢ଼ୁଥିବା ଜଣେ ନାବାଳକକୁ ବିବାହ କରିଛନ୍ତି । ପୂର୍ବରୁ ମହିଳା ଜଣକ ଦୁଇଥର ବିବାହ କରିଥିଲେ । ତାଙ୍କର ୩ଟି ସନ୍ତାନ ବି ରହିଛନ୍ତି । ମହିଳାଙ୍କ ପ୍ରକୃତ ନାମ ଶବ୍ନମ୍ । ଧର୍ମ ବଦଳାଇବା ପରେ ସେ ନିଜ ନାମ ଶିବାନୀ ରଖିଛନ୍ତି । ବୁଧବାର ଏକ ମନ୍ଦିରରେ ବିବାହ ଅନୁଷ୍ଠିତ ହୋଇଥିବା ପୁଲିସ ଅଧିକାରୀଙ୍କ ସୂତ୍ରରୁ ଜଣାପଡ଼ିଛି ।
ହସନପୁର ସର୍କଲ ଅଫିସର ଦୀପ କୁମାର ପନ୍ତ କହିଛନ୍ତି, ଶିବାନୀ ଜଣେ ଅନାଥ । ପୂର୍ବ ଦୁଇଟି ବିବାହରୁ ତାଙ୍କର ୩ ସନ୍ତାନ ରହିଛନ୍ତି । ଅନ୍ୟପକ୍ଷରେ ଉତ୍ତର ପ୍ରଦେଶରେ ବେଆଇନ ଧର୍ମ ପରିବର୍ତ୍ତନ ନିବାରଣ ଆଇନ ଲାଗୁ ହୋଇଥିବାରୁ ଏହି ବିବାହ ଉପରେ ଅଧିକାରୀଙ୍କ ନଜର ରହିଛି । ଯଦିଓ ବର୍ତ୍ତମାନ ପର୍ଯ୍ୟନ୍ତ ଉକ୍ତ ବିବାହକୁ ନେଇ କୌଣସି ଅଭିଯୋଗ ଦାଖଲ ହୋଇନାହିଁ, ତଥାପି ପ୍ରବର୍ତ୍ତନ ଅଧିକାରୀମାନେ ଏହାର ଯାଞ୍ଚ କରୁଛନ୍ତି ।
ସର୍କଲ ଅଧିକାରୀଙ୍କ ମୁତାବକ, ଶିବାନୀଙ୍କ ପ୍ରଥମ ବିବାହ ମୀରଟରେ ହୋଇଥିଲା । ଏହାପରେ ଛାଡ଼ପତ୍ର ହୋଇଥିଲା । ତୌଫିକ ନାମକ ଜଣେ ଯୁବକଙ୍କୁ ସେ ଦ୍ୱିତୀୟ ବିବାହ କରିଥିଲେ । ୨୦୧୧ରେ ଏକ ସଡ଼କ ଦୁର୍ଘଟଣାରେ ତୌଫିକ ଭିନ୍ନକ୍ଷମ ହୋଇଯିବା ପରେ ତାଙ୍କଠାରୁ ଶିବାନୀ ଛାଡ଼ପତ୍ର ନେଇଥିଲେ । ଏହାପରେ ଦ୍ୱାଦଶରେ ପଢୁଥିବା ଜଣେ ୧୮ ବର୍ଷୀୟ ଛାତ୍ର ସହ ସମ୍ପର୍କ ଯୋଡ଼ିଥିଲେ । ସଇଦାନୱାଲି ନିବାସୀ ଛାତ୍ରର ପିତା ଦାତାରାମ ସିଂହ ନିଜ ପୁଅର ବିବାହରେ ସମ୍ମତି ଜଣାଇଛନ୍ତି । ଉଭୟ ସୁଖଶାନ୍ତିରେ ସଂସାର କରନ୍ତୁ ବୋଲି ପରିବାର ଲୋକ ଆଶା ପ୍ରକାଶ କରିଛନ୍ତି ।