ନୂଆଦିଲ୍ଲୀ,୧୦/୦୪: ଆଜି ଭାରତ ଆସିବ ମୁମ୍ବାଇ ଆତଙ୍କୀ ଆକ୍ରମଣର ଅନ୍ୟତମ ଅଭିଯୁକ୍ତ ତହବୁର ରାଣା । ଭାରତରେ ପହଞ୍ଚିବା ପରେ ରାଣାକୁ ପ୍ରଥମେ ଦିଲ୍ଲୀର ଏନଆଇଏ କୋର୍ଟରେ ହାଜର କରାଯିବ। ଏଥିସହ ଦିଲ୍ଲୀରେ ତାକୁ ତିହାର ଜେଲରେ ରଖାଯିବ। ପରେ ତାକୁ ନିଜ ହେପାଜତକୁ ନେବା ଲାଗି ମୁମ୍ବାଇ କ୍ରାଇମ ବ୍ରାଞ୍ଚ ଆବେଦନ କରିବ। ଏହି ସମସ୍ତ ପ୍ରକ୍ରିୟାକୁ ଜାତୀୟ ନିରାପତ୍ତା ପରାମର୍ଶଦାତା ଅଜିତ ଡୋଭାଲ ଅନୁଧ୍ୟାନ କରୁଛନ୍ତି। ଗତକାଲି ଏକ ସ୍ବତନ୍ତ୍ର ବିମାନରେ ଆମେରିକାରୁ ବାହାରିଥିଲା ତହବୁର। ଯେଉଁ ବିମାନରେ ତହବୁରଙ୍କୁ ଅଣାଯାଉଛି ତାହା ଦିଲ୍ଲୀରେ ଅବତରଣ କରିବ। ଏହି ସମୟରେ, ବିମାନବନ୍ଦରରେ ସୁରକ୍ଷା ବ୍ୟବସ୍ଥା ମଧ୍ୟ ବୃଦ୍ଧି କରାଯାଇଛି। ଏନେଇ ସ୍ୱାଟ୍ କମାଣ୍ଡୋ ଦଳ ମଧ୍ୟ ବିମାନବନ୍ଦରରେ ପହଞ୍ଚି ସାରିଛନ୍ତି। ଭାରତରେ ପହଞ୍ଚିବା ମାତ୍ରେ ତାକୁ ବିଧିବଦ୍ଧ ଭାବେ ଏନଆଇଏ ଗିରଫ କରିବ।
ତେବେ ଗତ ୨୦୨୦ ଜୁନରେ ରାଣାକୁ ବିଧିବଦ୍ଧ ଗିରଫ କରିବା ଲାଗି ଭାରତ ଆମେରିକାକୁ ଅନୁରୋଧ କରିଥିଲା। ତିନି ଦିନ ତଳେ ପ୍ରତ୍ୟର୍ପଣ ବିରୋଧରେ ରାଣାର ଆବେଦନକୁ ଆମେରିକାର ସୁପ୍ରିମକୋର୍ଟ ଖାରଜ କରିଥିଲେ। ଏହା ପରେ ଭାରତକୁ ଆଣିବାରେ ପଥ ପରିଷ୍କାର ହୋଇଥିଲା। ଏହା ଆଗରୁ ମାର୍ଚ୍ଚରେ ମଧ୍ୟ ତାର ଏକ ଆବେଦନକୁ ଆମେରିକାର ଏକ କୋର୍ଟ ଖାରଜ କରିଥିଲେ। ୬୪ ବର୍ଷୀୟ ତହବୁର ରାଣା ଜଣେ ପାକିସ୍ତାନୀ ବଂଶୋଦ୍ଭବ ।
ଏହା ମଧ୍ୟ ପଢନ୍ତୁ- ଡବ୍ଲ୍ୟୁଏଚ୍ଓର ଚାଞ୍ଚଲ୍ୟକର ରିପୋର୍ଟ: ଭାରତରେ ଦିନକୁ ୫୨ ଗର୍ଭବତୀଙ୍କ ମୃତ୍ୟୁ, ବିଶ୍ୱରେ ୨ ମିନିଟରେ ଯାଉଛି ଜଣଙ୍କ ଜୀବନ
୨୦୦୮ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣର ଷଡ଼ଯନ୍ତ୍ରକାରୀଙ୍କ ମଧ୍ୟରୁ ତହବୁର ରାଣା ଜଣେ। ସେ ଭାରତରେ ଆତଙ୍କବାଦୀ କାର୍ଯ୍ୟକଳାପ ଚଳାଇବାରେ ପାକିସ୍ତାନୀ ଆତଙ୍କବାଦୀ ଡେଭିଡ୍ କୋଲମ୍ୟାନ୍ ହେଡଲିକୁ ସାହାଯ୍ୟ କରିଥିଲା। ହେଡଲି ପୂର୍ବରୁ ଆମେରିକାରେ ସଜା କାଟୁଛି। ପ୍ରକାଶ ଥାଉକି, ୨୦୦୮ ମସିହା ନଭେମ୍ବର ୨୬ ତାରିଖ ଦିନ ମୁମ୍ବାଇ ଦେଖିଥିଲା ଆତଙ୍କୀ ଆକ୍ରମଣ । ଆତଙ୍କୀଙ୍କ ଗୁଳିରେ ଆଖି ବୁଜିଥିଲେ ନୀରିହ ଲୋକ । ତାଜ ହୋଟେଲ, ଲିୟୋପୋର୍ଲ୍ଡ କାଫେ, କାମା ହସ୍ପିଟାଲ ଓ ରେଳ ଷ୍ଟେସନରେ ଆତଙ୍କୀ ଆକ୍ରମଣ କରିଥିଲେ। ଯେଉଁଥିରେ ୧୬୪ ଜଣ ଆଖି ବୁଜିଥିଲେ । ଛତ୍ରପତି ଶିବାଜୀ ଟର୍ମିନାଲରେ ଆଖିବୁଜା ଗୁଳିମାଡ଼ କରିଥିଲେ ଆତଙ୍କବାଦୀ । ଆତଙ୍କୀ ଅଜମଲ ଆମିର କସାବ ସହ ଇସମାଇଲ ଖାନ ମିଶି ଏହି ଆତଙ୍କବାଦୀ ଆକ୍ରମଣ କରିଥିଲେ । ଏହାର ଅନ୍ୟତମ ଅଭିଯୁକ୍ତ ଥିଲା ତହବୁର ରାଣା ।