ନୀଳଗିରି,୫/୨(ଆ.ପ୍ର): ନୀଳଗିରିରେ ଦିନକୁ ଦିନ ମଦ ମାଫିଆଙ୍କ ଦୌରାତ୍ମ୍ୟ ବୃଦ୍ଧି ପାଇବାରେ ଲାଗିଛି।ଅବକାରୀ କର୍ମଚାରୀ ଚଢାଉ କରି ଫେରୁଥିବା ବେଳେ ମଦ ମାଫିଆଙ୍କ ସଂପର୍କୀୟ ମାନେ ଏକଜୁଟ ହୋଇ ଆକ୍ରମଣ କରିଛନ୍ତି। ଅବକାରୀ ଅଧିକାରୀ ଜଗନ୍ନାଥ ବେହେରା ଓ ସମସ୍ତ କର୍ମଚାରୀଙ୍କୁ ଅଟକାଇ ମାଡ଼ ମାରିବା ସହ ବୋଲେରୋ ଗାଡ଼ିକୁ ଭଙ୍ଗାରୁଜା କରିଛନ୍ତି। ପ୍ରାୟ ଦୁଇ ଘଣ୍ଟା ଧରି ଅଟକ ରଖିବା ପରେ ବରହମ୍ପୁର ପୋଲିସ୍ ଘଟଣା ସ୍ଥଳରେ ପହଞ୍ଚି ସମସ୍ତଙ୍କୁ ଉଦ୍ଧାର କରିଥିଲେ।
ସୂଚନାଯୋଗ୍ୟ ବୁଧବାର ନିଳଗିରି ଅବକାରୀ ଅଧିକାରୀ ଜଗନ୍ନାଥ ବେହେରା ନିଜ କର୍ମଚାରୀଙ୍କୁ ଧରି ପିଠାଅତା ଗ୍ରାମର ନିରଞ୍ଜନ ବେହେରାଙ୍କ ଠାରୁ ୨୪ଲିଟର ଦେଶୀ ମଦ ସହ ଏକ ବାଇକ୍ ଜବତ କରିଥିଲେ। ପୁଣି ଜାମୁନା ନିକଟ ଚାପଲସାହି ଗ୍ରାମର ଗଙ୍ଗାଧର ସୋରେନ ଙ୍କ ଠାରୁ ୪୦ଲିଟର ଦେଶୀ ମଦ ଜବତ କରିଥିଲେ। ଏହାପରେ ମହୁଲବଣୀ ଗ୍ରାମର ରଥ ସୋରେନଙ୍କ ଠାରୁ ୮୦ଲିଟର ଦେଶୀ ମଦ ଜବତ କରିବା ସହ ତିନି ଜଣଙ୍କୁ ଗିରଫ କରି ବୋଲେରୋ ଗାଡ଼ିରେ ଆସୁଥିଲେ। ଟାଙ୍ଗଣା ପୋଲ ନିକଟରେ ୫ରୁ ଅଧିକ ଲୋକ ଅବକାରୀ ଗାଡ଼ିକୁ ଅଟକାଇ ଥିଲେ। ପରେ ସମସ୍ତେ ଏକତ୍ରିତ ହୋଇ ଗାଡ଼ିକୁ ଭଙ୍ଗାରୁଜା କରିଥିଲେ। ଅବକାରୀ ଅଧିକାରୀ ଜଗନ୍ନାଥ ବେହେରାଙ୍କୁ ମାଡ଼ ମାରିବା ସହ ଡ୍ରେସ୍ ଚିରି ଦେଇଥିଲେ। ଅନ୍ୟ କର୍ମଚାରୀ ତପନ୍ ମଲ୍ଲିକ, ନାହାନ୍ ମୁର୍ମୁ, ଦୁର୍ଯ୍ୟଧନ ବେହେରାଙ୍କୁ ମଧ୍ୟ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ଦୀର୍ଘ ଦୁଇ ଘଣ୍ଟା ଧରି ଅବକାରୀ ବିଭାଗର ଅଧିକାରୀ ଓ କର୍ମଚାରୀଙ୍କୁ ଅଟକ ରଖିବା ପରେ ବରମପୁର ପୋଲିସ୍ ପହଞ୍ଚି ଅବକାରୀ ବିଭାଗର କର୍ମଚାରୀ ଙ୍କୁ ଉଦ୍ଧାର କରିଥିଲେ।
ଅଜୟ ସରେନ, ଜୟନ୍ତୀ ସୋରେନ୍ ବାହାଦୁର ଟୁଡୁ ସମେତ ଅନ୍ୟ ମାନେ ମାଡ଼ ମାରିଥିବା ନେଇ ଅବକାରୀ କର୍ମଚାରୀ ଥାନରେ ଏତଲା ଦେଇଥିଲେ। ବରମପୁର ପୋଲିସ ଅଜୟ ସରେନକୁ ଗିରଫ କରିଛି।ଏନେଇ ଏକ ମାମଲା ରୁଜୁ କରି ଗିରଫ ଅଭିଯୁକ୍ତ ଅଜୟକୁ କୋର୍ଟ ଚାଲାଣ କରାଯାଇଛି। ଏପଟେ ନିଳଗିରି ଅବକାରୀ ବିଭାଗ ତିନ୍ ମଦ ବେପାରୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି।