ପ୍ରମୂଖ ଖବର
  • ବୋରିଗୁମ୍ମା : ଗୋଟିଏ ଦିନରେ ୩ ଘରୁ ଚୋରି, ୨କୋଟି ଟଙ୍କାର ସୁନା ଅଳଙ୍କାର ସହ ନଗଦ ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ
  • ||
  • ଭାସାମ୍ୟ ହରାଇ ଓଲଟିଲା ଓଏସଆରଟିସି ବସ୍‌, ୧୨ରୁ ଉର୍ଦ୍ଧ୍ୱ ଯାତ୍ରୀ ଆହତ
  • ||

ବିଶ୍ୱ ଦେଖିବ ଆଧୁନିକ ଭାରତୀୟ କାରିଗରି କୌଶଳ, ରାମେଶ୍ୱରମ୍‌ରେ ଏସିଆର ପ୍ରଥମ ଭର୍ଟିକାଲ ଲିଫ୍ଟ ବ୍ରିଜ୍‌

Published By : Prameya | February 9, 2025 1:48 PM

ରାମେଶ୍ୱରମ୍‌, ୦୯/୦୨ (ଶୁଭ୍ରଜିତ୍‌ ବଳିଆରସିଂହ): ସମୁଦ୍ରର  ଅଥଳ ଜଳରାଶି ଉପରେ ତିଆରି ହୋଇଛି ରେଳ ବ୍ରିଜ୍‌ ।  ରାମେଶ୍ୱରମ୍‌ ଦ୍ୱୀପରୁ ଭାରତର ମୁଖ୍ୟ ଭୂଖଣ୍ଡକୁ ଯୋଡି଼ଛି  ଏହି ବ୍ରିଜ୍‌ । 

ସମୁଦ୍ରର ଜଳରାଶିରେ ୨ କିଲୋମିଟରରୁ ଅଧିକ  ଲମ୍ବର ତିଆରି ହୋଇଛି ଏହି ‘ପମ୍ବନ ବ୍ରିଜ୍‌’ । ସମୁଦ୍ରରେ ବଡ଼ ଜାହାଜ ଆସିବା ମାତ୍ରେ ଉପରକୁ  ଉଠିଯିବ ଏହି ବ୍ରିଜ୍‌ । ପୁଣି ଜାହାଜ ଯିବା ପରେ ତଳକୁ  ଖସିଯିବ । ଏହା କେବଳ ଭାରତରେ ନୁହେଁ, ଏସିଆରେ  ପ୍ରଥମ ବ୍ରିଜ୍‌ । ଯାହାକି ଭର୍ଟିକାଲ ଲିଫ୍ଟ ମେକାନିଜିମ୍‌ର ଜ୍ଞାନ  କୌଶଳରେ ନିର୍ମାଣ ହୋଇଛି । ଏହା ଉପରେ ରେଳର  ଟ୍ରାଏଲ୍‌ ରନ୍‌ ସରିଛି । ଆଇଆଇଟି ଚେନ୍ନାଇ, ଆଇଆଇଟି  ବମ୍ବେ ସୁରକ୍ଷା ଯାଞ୍ଚ କରି ସବୁଜ ସଙ୍କେତ ଦେଇଛନ୍ତି । ସ୍ପେନ୍‌  ଟେକ୍ନୋଲୋଜି ସହ ଭାରତୀୟ କାରିଗରୀ କୌଶଳରେ  ନିର୍ମିତ ଏହି ବ୍ରିଜ୍‌ ଏବେ ଲୋକାର୍ପଣ ଅପେକ୍ଷାରେ । ଖୁବ୍‌  ଶୀଘ୍ର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହାକୁ ଲୋକାର୍ପଣ  କରିବେ । ବ୍ରିଜ୍‌ ଫଳରେ ରାମେଶ୍ୱରମ୍‌କୁ ପର୍ଯ୍ୟଟକଙ୍କ  ଗମନାଗମନ ସୁବିଧା ହେବ । ପର୍ଯ୍ୟଟନ କ୍ଷେତ୍ର ସମୃଦ୍ଧ  ସହ ନୌବାଣିଜ୍ୟର ଅଭିବୃଦ୍ଧିରେ ସହାୟକ ହେବ । 

୧୯୧୪ରେ ତାମିଲ୍‌ନାଡୁ଼ର ରାମେଶ୍ୱରମ୍‌ ପମ୍ବନରେ  ବ୍ରିଟିଶ୍‌ମାନେ ପମ୍ବନ ବ୍ରିଜ୍‌ ନିର୍ମାଣ କରିଥିଲେ । ଏମିତି  ଜ୍ଞାନ କୌଶଳରେ ନିର୍ମାଣ କରିଥିଲେ ଯାହା ରେଳ  ଚଳାଚଳ ସହ ଟ୍ରାକ୍‌ ତଳେ ଜାହାଜ ମଧ୍ୟ ଯିବା  ଆସିବା କରିପାରୁଥିଲା । ଏହି ବ୍ରିଜ୍‌ଟି ରୋଲିଂ ଲିଫ୍ଟିଙ୍ଗ୍‌  ଟେକ୍ନୋଲୋଜିର ଥିଲା । ଯାହାକୁ ୧୦ ଜଣ ଲୋକ ହାତରେ  ହ୍ୟାଣ୍ଡେଲ୍‌ ବ୍ୟବହାର କରି ଏହି ବ୍ରିଜ୍‌କୁ ଉଠାଉ ଥିଲେ ।  ଏହାକୁ ଉଠାଇବାକୁ ୪୫ ମିନିଟ୍‌ ସମୟ ଲାଗୁଥିଲା । 

୧୯୬୪ରେ ପମ୍ବନ ବ୍ରିଜ୍‌ ଏକ ବଡ଼ ବାତ୍ୟାର ସାମ୍ନା  କରିଥିଲା । ଏହାକୁ ମରାମତି କରି ଏହା ଉପରେ ରେଳ  ଚଳାଚଳ କରୁଥିଲା । ଅନେକ ପ୍ରାକୃତିକ ବିପର୍ଯ୍ୟୟକୁ  ସାମ୍ନା କରି ଦୁର୍ବଳ ହେବାପରେ ୨୦୨୨ ମସିହାରେ  ସେତୁକୁ ସଂପୂର୍ଣ୍ଣ ଭାବେ ବନ୍ଦ କରି ଦିଆଯାଇଥିଲା । ଏହାରି ପାଖରେ ସମାନ୍ତରାଳ ଭାବେ ସ୍ପେନ୍‌  ଟେକ୍ନୋଲୋଜିରେ ତିଆରି ହୋଇଛି ସଂପୂର୍ଣ୍ଣ କମ୍ପ୍ୟୁଟରାଇଜ୍‌ଡ  ନୂଆ ପମ୍ବନ ବ୍ରିଜ୍‌ । ବହୁ ମାନବ ସମ୍ବଳର ଆବଶ୍ୟକତା ନାହିଁ ।  ସୁଇଚ୍‌ ଚିପିବା ମାତ୍ରେ ମାତ୍ର ୫ ମିନିଟ୍‌ ୩୦ ସେକେଣ୍ଡରେ  ଲିଫ୍ଟିଙ୍ଗ୍‌ ହୋଇ ଉପରକୁ ସିଧା ଉଠିଯାଉଛି ଏହି ବ୍ରିଜ୍‌ । 

୨.୧୦ କିମି ଦୈର୍ଘ୍ୟ ବିଶିଷ୍ଟ ଏହି ବ୍ରିଜ୍‌ ପମ୍ବନ  ଷ୍ଟେସନ୍‌ରୁ ମଣ୍ଡପମ୍‌ ରେଳ ଷ୍ଟେସନ୍‌କୁ ସଂଯୋଗ କରିଛି ।  ବ୍ରିଜ୍‌ ନିର୍ମାଣରେ ବ୍ୟୟ ହୋଇଛି ୫୧୩ କୋଟି ଟଙ୍କା ।  ବ୍ରିଜ୍‌ରେ ୩୩୩ଟି ଖମ୍ବ ରହିଛି । ନିର୍ମାଣରେ ୫ ହଜାର  ୭୭୨ ମେଟ୍ରିକ୍‌ ଟନ୍‌ର ଷ୍ଟେନ୍‌ଲେସ୍‌ ଷ୍ଟିଲ୍‌, ୩ ଲକ୍ଷ ୩୮  ହଜାର ୧୪ଟି ସିମେଣ୍ଟ ବ୍ୟାଗ୍‌ର ବ୍ୟବହାର ହୋଇଛି ।  ଲିଫ୍ଟଟି ୧୭ ମିଟର ଉପରକୁ ଉଠିବ । ଏହି ବ୍ରିଜ୍‌ ଉପରେ  ଘଣ୍ଟା ପିଛା ୭୫ କିଲୋମିଟର ବେଗରେ ରେଳ ଯାତାୟାତ  କରିପାରିବ । ନିର୍ମାଣ କାର୍ଯ୍ୟରେ ୩୦୦ କାରିଗରଙ୍କ  ସହ ୬୦ଜଣ ଇଞ୍ଜିନିୟର ନିୟୋଜିତ ହୋଇଥିଲେ ।  ରେଳ ବିକାଶ ନିଗମ ଏହାର ଦାୟିତ୍ୱ ନେଇଛି । 

ରେଳ ବିକାଶ ନିଗମର ବରିଷ୍ଠ ଡିଜିଏମ୍‌ଙ୍କ  ଆର୍‌.ଶ୍ରୀନିବାସନ୍‌ କହିଛନ୍ତି ଯେ ପୁରୁଣା ବ୍ରିଜ୍‌ ସଂପୂର୍ଣ୍ଣ  ଭାବେ ଅସୁରକ୍ଷିତ ହୋଇପଡ଼ିଛି । ଇତିହାସକୁ ସାଇତି  ରଖିବା ପାଇଁ ଆମେ ସମାନ ଢଙ୍ଗରେ ନୂଆ ଜ୍ଞାନ  କୌଶଳ ବ୍ୟବହାର କରି ନୂଆ ବ୍ରିଜ୍‌ ନିର୍ମାଣ କରିଛୁ ।  

ରେଳ ବିକାଶ ଲିମିଟେଡ୍‌ର ଆବାସିକ ଯନ୍ତ୍ରୀ କେ.ଭେଲ  ମୁରୁଗନ୍‌ କହିଛନ୍ତି, ଯେତେବେଳେ ଜାହାଜ ଏହି ବ୍ରିଜ୍‌  ତଳେ ଯିବ ସେ ସମୟରେ ଏହା ଉପରକୁ ଉଠିବ ।  ଜଣେ ବ୍ୟକ୍ତି କମ୍ପ୍ୟୁଟରରେ ସୁଇଚ୍‌ ଚିପିବା ମାତ୍ରେ ଏହା  ସିଧା ଉପରକୁ ଉଠିବ । ଆଉ ସୁଇଚ୍‌ ଚିପିବା ମାତ୍ରେ  ତଳକୁ ଖସି ରେଳ ଟ୍ରାକ୍‌ ସହ ମିଶିଯିବ । ଜାହାଜ ଯିବା  ପାଇଁ ଭାରତୀୟ ତଟରକ୍ଷୀ ବାହିନୀ ପକ୍ଷରୁ ଏକ ଅନୁମତି  ପତ୍ର ଆମ ପାଖକୁ ଇ-ମେଲ୍‌ ଦ୍ୱାରା ଆସିବ । ଆମେ  ରେଳ ଚଳାଚଳକୁ ଦୃଷ୍ଟିରେ ରଖି ସମୟ ଅନୁସାରେ  ବ୍ରିଜ୍‌କୁ ଉପରକୁ ଉଠାଇବୁ । ଏହାପରେ ଜାହାଜ  ଗୋଟିଏ ପଟରୁ ଅନ୍ୟ ପଟକୁ ସହଜରେ ଯାଇପାରିବ

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.