ରାଇକିଆ,୧୦/୪ : କନ୍ଧମାଳ ଜିଲ୍ଲା ରାଇକିଆ ଠାରେ ଅଷ୍ଟଶମ୍ଭୂ ମିଳନ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଛି। ଦ୍ଵିପ୍ରହରରେ ଧୂଳି ଦଣ୍ଡ ଅନୁଷ୍ଠିତ ହୋଇଛି। ଏଥିରେ ପାରମ୍ପରିକ ଦଣ୍ଡ ଚରିତ୍ର ଦେଖିବାକୁ ମିଳିଛି। ଦଣ୍ଡନାଚର ପରମ୍ପରିକ ନୃତ୍ୟ ସଙ୍ଗୀତ ସହ ବିଭିନ୍ନ ଦୃଶ୍ୟ ଏବେ ମଧ୍ୟ ଯୁବପିଢିଙ୍କୁ ଆକୃଷ୍ଟ କରୁଥିବା ଦେଖିବାକୁ ମିଳୁଛି।
ସକାଳୁ ଅଷ୍ଟଦଣ୍ଡ ମିଳନ କାର୍ଯ୍ୟକ୍ରମରେ ଭାଗ ନେଉଥିବା ଦଣ୍ଡନୃତ୍ୟ ଦଳମାନେ ପହଞ୍ଚିଥିଲେ। ପରିଚାଳନା କମିଟି ଏବଂ ତହସିଲଦାର ବରିୟାଲ ମୁର୍ମୁ, ସବ୍ ଇନ୍ସପେକ୍ଟର ଆଶୁତୋଷ ପାଇକରାୟ, ଏବିଡିଓ ଦିବ୍ୟସିଂହ କହଁର, ରାଇକିଆ ସରପଞ୍ଚ ଗୀତାଞ୍ଜଳି ନାୟକ, ଜିଲ୍ଲା ପରିଷଦ ସଭ୍ୟ ସତ୍ୟବାନ ପାତ୍ରଙ୍କ ଉପସ୍ଥିତିରେ ରାଇକିଆ, ମାଲେରିମହା, ତେଜାମାହା, କରଣ୍ଡାଗଡ଼, ସିର୍କାକୁଟି, ବୁର୍ବି ନାଜୁ, ବାଗାରାମା, ଗ୍ରୀନବାଡ଼ି ଦଣ୍ଡ ଦଳ ଦ୍ଵାରା ନୃତ୍ୟ ପରିବେଷଣ କରାଯାଇଥିଲା। ପରେ ଦଣ୍ଡ ବରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଅପରାହ୍ନ ୪ଟାରେ ପାଣିଦଣ୍ଡ ଏବଂ ରାତିରେ ଦଣ୍ଡ ଚରିତ୍ର ପରିବେଷଣ ହେବାର କାର୍ଯ୍ୟକ୍ରମ ରହିଛି। ରୀତିନୀତି ଅନୁଯାୟୀ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜିତ ହେବ ବୋଲି ପଞ୍ଚୁଦଣ୍ଡ କମିଟି ସଭାପତି ସାନ୍ତଷ କୁମାର ଲେଙ୍କା ସୂଚନା ଦେଇଛନ୍ତି।