ନୂଆଦିଲ୍ଲୀ,୧୫/୦୨: ନିର୍ବାଚନ ପରାଜୟ ଦୁଃଖରୁ ବାହାରି ଥିବେ କି ନାହିଁ ଅରବିନ୍ଦ କେଜ୍ରିୱାଲଙ୍କୁ ଏକ ଝଟକା ଲାଗିଛି । 'ଶୀଶମହଲ'କୁ ନେଇ କେଜ୍ରିୱାଲଙ୍କ ଅଡୁଆ ବଢିଛି । ବିଜେପି କରିଥିବା ଅଭିଯୋଗ ଉପରେ ଆକ୍ସନ ନେଇଛନ୍ତି କେନ୍ଦ୍ରୀୟ ଭିଜିଲାନ୍ସ କମିଶନ । 'ଶୀଶମହଲ'ର ତଦନ୍ତ ହେବ । ଅରବିନ୍ଦ କେଜ୍ରିୱାଲଙ୍କ ସରକାରୀ ବାସଭବନ ୬ ଫ୍ଲାଗଫାଷ୍ଟ ବଙ୍ଗଲୋ ନବୀକରଣର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ସେଣ୍ଟ୍ରାଲ ଭିଜିଲାନ୍ସ କମିଶନ ( CVC)।
ଦିଲ୍ଲୀ ଆମ୍ ଆଦମୀ ପାର୍ଟି ସୁପ୍ରିମୋ ତଥା ଦିଲ୍ଲୀ ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଅଡୁଆ ବଢାଇଛି ତଥାକଥିତ 'ଶୀଶମହଲ' । ବିଜେପି କରିଥିବା 'ଶୀଶମହଲ' ଅଭିଯୋଗକୁ ନେଇ କେନ୍ଦ୍ରୀୟ ଭିଜିଲାନ୍ସ କମିଶନ ବିସ୍ତୃତ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ଏହି ମାମଲାକୁ ନେଇ ଗତ ନଭେମ୍ବରରୁ ତଦନ୍ତ ଚାଲିଥିଲା । ପ୍ରାଥମିକ ରିପୋର୍ଟ ମିଳିବା ପରେ 'ଶୀଶମହଲ'ର ପୁଙ୍ଖାନୁଫୁଙ୍ଖ ତଦନ୍ତ ପାଇଁ ସିପିଡବ୍ଲୁଡିକୁ ନିର୍ଦ୍ଦେଶ ଦେଇଛି ସିଭିସି । ୮ ଏକର ତଥା ୪୦ ହଜାର ବର୍ଗଫୁଟ ଜାଗାରେ ବିଳାସମୟ ବଙ୍ଗଲୋ ନିର୍ମାଣ ପାଇଁ ନିୟମ ଉଲ୍ଲଙ୍ଘନ ଅଭିଯୋଗ ହୋଇଥିଲା । ୨୦୧୫ରୁ ୨୦୨୪ ଯାଏ ଏହି ବଙ୍ଗଲୋରେ ରହୁଥିଲେ ଅରବିନ୍ଦ କେଜ୍ରିୱାଲ । ଗତବର୍ଷ ଅକ୍ଟୋବରରେ ପ୍ରକାଶିତ ପିଡବ୍ଲୁଡି ରିପୋର୍ଟକୁ ନେଇ ବିବାଦ ଉପୁଜିଥିଲା । ବିଜେନ୍ଦ୍ର ଗୁପ୍ତା ମୁଖ୍ୟମନ୍ତ୍ରୀ ଥିବା ସମୟରେ ଅରବିନ୍ଦ କେଜ୍ରିୱାଲ ରହୁଥିବା ବାସଭବନ ଅବୈଧରେ ନିର୍ମାଣ ହୋଇଥିବା ନେଇ ସିଭିସିରେ ଅଭିଯୋଗ କରିଥିଲେ ।
ବିଳାସମୟ ବଙ୍ଗଲୋ ନିର୍ମାଣ ନିୟମ ଉଲ୍ଲଙ୍ଘନ ହୋଇଛି ନା ନାହିଁ ତାର ପୁଙ୍ଖନାପୁଙ୍ଖ ତଦନ୍ତ ନେଇ ସିପିଡବ୍ଲୁଡିକୁ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି । ବିରାଟ ବଙ୍ଗଲୋ ସହିତ ୪ଟି ସରକାରୀ ସମ୍ପତ୍ତିର ସମିଶ୍ରଣକୁ ଅବୈଧ ଘୋଷଣା ଦାବି କରି ଗତ ୧୦ ତାରିଖରେ ଦିଲ୍ଲୀ ବିଜେପି ସଭାପତି ବିଜେନ୍ଦ୍ର ସଚ୍ଚିଦେବା ଉପରାଜ୍ୟପାଳଙ୍କୁ ଚିଠି ଲେଖିଥିଲେ । ବଙ୍ଗଲୋରେ ଷ୍ଟାଇଲିସ୍ ସାୱାର ଓ ବହୁ ଦାମୀ ଆସବାପତ୍ର ସରଞ୍ଜାମ ଲଗାଯାଇଥିବା ପିଡବ୍ଲୁଡି ରିପୋର୍ଟରେ ଦର୍ଶାଯାଇଥିଲା । ଦିଲ୍ଲୀ ବିଧାନସଭା ନିର୍ବାଚନୀ ପ୍ରଚାରରେ ଆପ୍ ଓ ଅରବିନ୍ଦ କେଜ୍ରିୱାଲକୁ ସମାଲୋଚନା କରିବା ସହ ସେହି ବଙ୍ଗଲୋକୁ 'ଶୀଶମହଲ' କହି କଟାକ୍ଷ କରିଥିଲା ।