ଭାରତ ବର୍ଷରେ ଆତ୍ମହତ୍ୟାର କାରଣ ସମ୍ପର୍କରେ ଅନୁଧ୍ୟାନ କରିବାକୁ ଯାଇ ମନସ୍ତତ୍ତ୍ୱବିତ୍ମାନେ ମତ ଦେଇଛନ୍ତି ଯେ, ଆଧୁନିକୀକରଣ ତୀବ୍ର ବେଗରେ ହେଉଥିବା ଯୋଗୁଁ ଏବଂ ସାମାଜିକ ପରିବର୍ତ୍ତନ ସହିତ ପ୍ରକୃତ ଯୋଗ୍ୟତାକୁ ନବୁଝି ଭବିଷ୍ୟତ ପିଢ଼ିଙ୍କଠାରୁ ବହୁତ ଆଶା କରିବା କୋମଳମତି କିଶୋର କିଶୋରୀମାନଙ୍କୁ ହତାଶା ଆଡ଼କୁ ଠେଲିଦେଉଛି ।
ପୃଥିବୀ ପୃଷ୍ଠରେ ଘଟୁଥିବା ବିବର୍ତ୍ତନବାଦକୁ ବୁଝିବା ସହିତ ସମୟର ଗୁରୁତ୍ୱକୁ ଉପଲବ୍ଧି କରି ଆଧୁନିକ ମାନବ ଏବେ ବିଜ୍ଞ ମାନବରେ ପରିଣତ ହୋଇପାରିଛି । ନିଜର ବିଜ୍ଞତା ବଳରେ ଅନେକ ଅଜ୍ଞତାକୁ ଦୂର କରିବାର କ୍ଷମତାକୁ ହାସଲ କରିଥିବା ବିଜ୍ଞାନୀ ବା ବୈଜ୍ଞାନିକମାନେ ସମୟର ସ୍ରୋତରେ କୁଆଡ଼େ ଲୀନ ହୋଇଯାଉଛନ୍ତି ସତ, କିନ୍ତୁ ସେମାନଙ୍କ ଉଦ୍ଭାବନ ମଣିଷକୁ ଦୀର୍ଘଜୀବୀ କରିବା ସହିତ ଏକ ଆରାମଦାୟକ ଜୀବନ ଜିଇଁବାର ମାଧ୍ୟମକୁ ବଢ଼ାଇ ଦେଇପାରିଛି । ଯାହାର ଫଳସ୍ୱରୂପ ଜନ୍ମହାରଠାରୁ ମୃତ୍ୟୁହାର ଏବେ ଢେର୍ କମିଯାଇଛି । ଫଳରେ ଭୂପୃଷ୍ଠରେ ଏବେ ବାସ କରୁଥିବା ଲୋକଙ୍କର ସଂଖ୍ୟା ଆଠଶହ ପଚାଶ କୋଟିକୁ ପାର କରିସାରିଲାଣି, ତଥାପି ଗବେଷଣା ଚାଲୁରହିଛି । ସଭ୍ୟ ମାନବଙ୍କୁ ମୃତ୍ୟୁଞ୍ଜୟୀ କରିବାକୁ ହେବ, ଦରକାର ପଡ଼ିଲେ ଅଙ୍ଗ ପ୍ରତିରୋପଣଠାରୁ ଆରମ୍ଭକରି ଅନେକ ପ୍ରକାର ଅସ୍ତ୍ରୋପଚାର କରିବାକୁ ପଡୁଛି । ହୋମିପାଥିକ, ଆୟୁର୍ବେଦିକ ଚିକିତ୍ସାଠାରୁ ଆରମ୍ଭକରି ଯୋଗ ପ୍ରାଣାୟାମ ଯାଏଁ ସବୁ ଯେଭଳି ସୃଷ୍ଟିର ଶ୍ରେଷ୍ଠ ପ୍ରାଣୀ ମଣିଷକୁ ଦୀର୍ଘାୟୁ କରିବା ପାଇଁ ପ୍ରଯୁଜ୍ୟ ।
ନିଜର ବିଜ୍ଞତା ବଳରେ ସଭ୍ୟ ମାନବ ଏବେ ପୃଥିବୀର ସମସ୍ତ ଅଂଶକୁ ସ୍ପର୍ଶ କରିବା ସହିତ ସ୍ୱାଧୀନ ଭାବରେ ଚଳପ୍ରଚଳ କରିବା ଏବଂ ସଂସାରର ସବୁତକ ସୁଖକୁ ଉପଭୋଗ କରିବା ପାଇଁ ବ୍ୟାକୁଳ ହୋଇପଡୁଛି । କାରଣ ଏତେସବୁ ଉପଭୋଗ ପାଇଁ ସତେଯେପରି ମଣିଷର ଆୟୁଷ ନିଅଣ୍ଟ ପଡୁଛି । ସେଥିପାଇଁ ବୋଧେ "ଆପଣା ହସ୍ତେ ଜିହ୍ୱା ଛେଦି' ନ୍ୟାୟରେ ଯାବତୀୟ ଦୁର୍ନୀତି, ଭ୍ରଷ୍ଟାଚାର ସହିତ କାମ, କ୍ରୋଧ, ଲୋଭ, ମୋହ, ମଦ, ମାତ୍ସର୍ଯ୍ୟ ଭଳି ଷଡ଼ରିପୁରେ କବଳିତ ବ୍ୟକ୍ତିତ୍ୱଙ୍କ ପାଇଁ ଏବେ ଆମ ଦେଶରେ କାରାଗାରର ସଂଖ୍ୟା କମ୍ ପଡ଼ିଲାଣି । ଜନସଂଖ୍ୟା ତୁଳନାରେ ଜଜ୍ ଏବଂ ଓକିଲଙ୍କ ସଂଖ୍ୟା ମଧ୍ୟ ଦିନକୁ ଦିନ କମିବାରେ ଲାଗିଛି ।
ଏକ ତଥ୍ୟରୁ ଜଣାଯାଏ ଯେ, ଆମ ଦେଶଠାରୁ ଏକଚତୁର୍ଥାଂଶ କମ୍ ଲୋକ ବାସ କରୁଥିବା ଆମେରିକାରେ ଏକହଜାର ଆଠଶହ ଆଠଟି ମୁଖ୍ୟ ଜେଲ୍ ଥିବାବେଳେ ଭାରତରେ ମାତ୍ର ପାଞ୍ଚଶହ ତେସ୍ତରୀଟି ମୁଖ୍ୟ ଜେଲ୍ ବା କାରାଗାର ରହିଛି । ସେହିଭଳି ଦ୍ୱିତୀୟ ସର୍ବବୃହତ୍ ଜନସଂଖ୍ୟା ବିଶିଷ୍ଟ ଦେଶ ଚୀନରେ କାରାଗାର ସଂଖ୍ୟା ଏକହଜାର ଛଅଶହ ନବେ ଥିବାବେଳେ ବ୍ରାଜିଲ ଭଳି ଅପରାଧପ୍ରବଣ ଦେଶରେ କାରାଗାର ସଂଖ୍ୟା ଆଠଶହ ଅଣାନବେ । ଆମ ଦେଶର ମୁଖ୍ୟ କାରାଗାର ସହିତ ଉପକାରାଗାର ସଂଖ୍ୟା ମାତ୍ର ତେରଶହ କୋଡ଼ିଏ । ଯାହା ଏକଶହ ପଇଁଚାଳିଶି କୋଟି ଜନତା ବସବାସ କରୁଥିବା ଦେଶପାଇଁ ଆଦୌ ଯଥେଷ୍ଟ ନୁହେଁ ବୋଲି କୁହାଯାଇପାରେ । କାରଣ ଭାରତବର୍ଷରେ ଏବେ ପ୍ରାୟ ଚାରିଲକ୍ଷ ତିରିଶି ଅପରାଧୀ ଜେଲ୍ରେ ରହି ସଜ୍ଜା କାଟୁଥିବାବେଳେ ଅନେକ ବ୍ୟକ୍ତି ନ୍ୟାୟ ପାଇବା ଅପେକ୍ଷାରେ ଜେଲ୍ରେ ରହି ଦିନ କାଟୁଛନ୍ତି, ଯାହା ନ୍ୟାୟିକ ବ୍ୟବସ୍ଥା ପ୍ରତି ଉପହାସ କହିଲେ ଅତ୍ୟୁକ୍ତି ହେବନାହିଁ ।
ଆମ ଦେଶରେ ଜେଲ୍ର ସଂଖ୍ୟା ଭଳି ଜଜ୍ଙ୍କର ସଂଖ୍ୟା ମଧ୍ୟ ଆମେରିକା ତୁଳନାରେ ମାତ୍ର ଏକ-ଦଶମାଂଶ, ଯାହାର ପ୍ରଭାବ ଏବେ ସମାଜର ପ୍ରତି କ୍ଷେତ୍ରରେ ପ୍ରତିଫଳିତ ହେବାରେ ଲାଗିଛି । ଏସବୁ ସହିତ ଯୋଡ଼ି ହୋଇଯାଉଛି ପାଶ୍ଚାତ୍ୟର ପ୍ରଭାବ, ଯାହା ଆମ ଦେଶର ଯୁବପିଢ଼ିକୁ କିଭଳି ପ୍ରଭାବିତ କରୁଛି । ତାକୁ ଆମେ ସମସ୍ତେ ଅନୁଭବ କରୁଥିବାବେଳେ ନାରୀ ଶିକ୍ଷା ଏବଂ ନାରୀ ସଶକ୍ତିକରଣ ଭଳି ପ୍ରଗତି ମୁଖ୍ୟ କାର୍ଯ୍ୟକ୍ରମ ଉତ୍ସାହଜନକ ଭାବେ ଆଗେଇ ଚାଲିଛି । ତା’ ସହିତ ନାରୀମାନଙ୍କ କ୍ଷେତ୍ରରେ ଅପରାଧ ପ୍ରବଣତା ବଢ଼ି ବଢ଼ି ଶତକଡ଼ା ଛଅରୁ ଏକୋଇଶିରେ ପହଞ୍ଚିଲାଣି । ଯାହା ଭାରତୀୟ ସଭ୍ୟତା ଏବଂ ସଂସ୍କୃତି ପ୍ରତି ଏକ ଆହ୍ୱାନ କହିଲେ ଅତ୍ୟୁକ୍ତି ହେବନାହିଁ । ସମାଜରେ ଦେଖାଯାଉଥିବା ଏଭଳି ବ୍ୟତିକ୍ରମ ପାଇଁ ଅନେକ ନିଶାକୁ ଦାୟୀ କଲାବେଳେ, ଆଉ କେତେକ ଶିକ୍ଷା ନାମରେ ଔଦ୍ଧତ୍ୟକୁ ଦାୟୀ କରୁଛନ୍ତି । ଆମ ଦେଶର ସାମାଜିକ ସ୍ତରରେ ଘଟୁଥିବା ଅବ୍ୟବସ୍ଥାର କାରଣ ଏବଂ ପ୍ରତିକାର ସମ୍ପର୍କରେ ଆଲୋଚନା କରି ଅନେକ ଚିନ୍ତାଶୀଳ ବ୍ୟକ୍ତି ଆମ ଦେଶ ମଧ୍ୟକୁ କିଭଳି ଓ କାହିଁକି ପାଶ୍ଚାତ୍ୟ ସଭ୍ୟତା ପଶିଆସିଲା ବୋଲି ଚର୍ଚ୍ଚା କରୁଛନ୍ତି । ମହିଳାଙ୍କ ମଧ୍ୟରେ ଅପରାଧପ୍ରବଣତା ବୃଦ୍ଧିକୁ ନେଇ ଚିନ୍ତା ବଢ଼ୁଛି ।
ଏକ ହିସାବରୁ ଜଣାଯାଇଛି, ପ୍ରତି ଏକଲକ୍ଷ ପୁରୁଷ ଅପରାଧୀଙ୍କ ତୁଳନାରେ ମହିଳାଙ୍କ ସଂଖ୍ୟା ଏବେ ପଚାଶରେ ପହଞ୍ଚିଛି । ସେହିଭଳି ବାଳ ଅପରାଧୀଙ୍କ ସଂଖ୍ୟା ପ୍ରତିବର୍ଷ ଦଶହଜାରରୁ ଅଧିକ ହେଉଛି ବୋଲି ଏକ ପରିସଂଖ୍ୟାନରୁ ଜଣାପଡ଼ିଛି । ଅଧିକାଂଶ ଅପରାଧ ହତ୍ୟାକାଣ୍ଡ ଏବଂ ଡକାୟତି ଯୋଗୁଁ ହେଉଥିବାବେଳେ ସେମାନଙ୍କର ବିଚାର ମାତ୍ର ଦଶଲକ୍ଷ ପଚାଶ ହଜାର ପଞ୍ଜିକୃତ ଓକିଲମାନଙ୍କ ଦ୍ୱାରା ହେଉଛି, ଫଳରେ ନ୍ୟାୟ ପ୍ରଦାନରେ ବିଳମ୍ବକୁ ନେଇ ରାଷ୍ଟ୍ରପତିଙ୍କଠାରୁ ଆରମ୍ଭ କରି ସାଧାରଣ ଜନତା ଚିନ୍ତା ପ୍ରକଟ କରୁଛନ୍ତି । ବିଶେଷକରି ଗ୍ରାମାଞ୍ଚଳର ସରଳତା ଅତି ମାତ୍ରାରେ ପ୍ରଭାବିତ ହେଉଛି ବୋଲି ସେଠାକାର ବୟସ୍କମାନେ ମୁଣ୍ଡରେ ହାତ ଦେଇ ବସିଲେଣି, ଏବଂ ପ୍ରଶ୍ନ କଲେଣି କେବେ ଏ ମଦର ବ୍ୟବହାର ବନ୍ଦ ହେବ? କେବେ ଆମ ପୁଅମାନେ ଘର ସଂସାର ପ୍ରତି ଧ୍ୟାନ ଦେବେ?
ଶୁଣାଯାଉଛି, ଏବେ କୁଆଡ଼େ ଦଶରୁ ବାର ବର୍ଷର ବାଳକମାନେ ଥଣ୍ଡାପାନୀୟ ବୋତଲରେ ମଦ ପୂରାଇ ନିରୋଳା ସ୍ଥାନରେ କିମ୍ବା ଗଛମୂଳରେ ବସି ପିଇସାରିଲା ପରେ ସେହିଠାରେ ହିଁ ଶୋଇ ପଡୁଛନ୍ତି, ଡର ଭୟର ପ୍ରଶ୍ନ ଉଠୁନାହିଁ । ବିଦ୍ୟାଳୟରେ ଦଣ୍ଡମୁକ୍ତ ଅଞ୍ଚଳରେ ଶିକ୍ଷକଙ୍କ ପ୍ରତି ଭୟ ନଥିବାବେଳେ ଘରେ ନିଶାସକ୍ତ ବାପା, ମାଆଙ୍କ ପ୍ରତି ଭୟ ନରହିବା ସ୍ୱାଭାବିକ କଥା । ଏକ ଆରାମପ୍ରଦ ଜୀବନ ଜିଇଁବାର ସ୍ୱପ୍ନ ଦେଖୁଥିବା ଗ୍ରାମବାସୀଙ୍କ ହାତରେ ଏବେ ପର୍ଯ୍ୟାପ୍ତ ପରିମାଣର ସୁବିଧା ପହଞ୍ଚି ଯାଉଛି । ଚୁଲିରେ କାଠ ଜଳୁନଥିବା ହେତୁ ଗାଁ ପରିବେଶରେ ଏପରିକି ରାସ୍ତାଘାଟରେ ବିଶାଳକାୟ ଚାକୁଣ୍ଡା ଗଛମାନ ସଗର୍ବେ ମଥା ଉପରକୁ ଟେକି ଉଭା ହୋଇଛନ୍ତି, ସାମାନ୍ୟ ପବନ ହେଲେ ଡାଳ ଭାଙ୍ଗି ପଡ଼ିବାର ଭୟ ଆଉ ନାହିଁ, କାରଣ ସୁଦୃଶ୍ୟ ଅଟ୍ଟାଳିକାଗୁଡ଼ିକ ଘରଭଙ୍ଗାଜନିତ କ୍ଷୟକ୍ଷତିକୁ ପ୍ରତିହତ କରୁଛି । ତଥାପି କେଉଁଠି କେମିତି ବଖରାଏ ଲେଖାଏଁ ଚାଳଘର ସରକାରଙ୍କୁ ଭୂଆଁ ବୁଲାଇ ବାତ୍ୟାଜନିତ କ୍ଷତିକୁ ଦର୍ଶାଇବା ସହିତ ବ୍ୟାଙ୍କରୁ ଲୋନ ଉଠାଇବାକୁ ସୁବିଧା ହେବ ବୋଲି ରଖାଯାଇଛି । ଏଭଳି ଚତୁରତାକୁ ଅନେକ ସରଳ ବ୍ୟକ୍ତି ଆପଣେଇ ନେଇଛନ୍ତି । କାରଣ ସେମାନଙ୍କ ପଛରେ ରାଜନୈତିକ ଶକ୍ତି କାମ କରୁଛି ।
ସେ ଯାହାହେଉ ନା କାହିଁକି, ଭାରତ ଭଳି ଶାନ୍ତିପ୍ରିୟ ଦେଶରେ ବସବାସ କରୁଥିବା ଏକଶହ କୋଟିରୁ ଊଦ୍ଧ୍ୱର୍ ହିନ୍ଦୁ ଏବେ ସାଧାରଣ ସାମାଜିକ ସଂସ୍କାରଠାରୁ ବିଚ୍ୟୁତ ହେବା ସହିତ ପାଶ୍ଚାତ୍ୟ ସଭ୍ୟତାକୁ ଆପଣେଇବା ନାରୀ ସଶକ୍ତିକରଣକୁ ବିଦ୍ରୂପ କରୁଛି । ଜେଲ୍ମାନଙ୍କରେ ମହିଳାଙ୍କ ସଂଖ୍ୟା ବୃଦ୍ଧି, ବିବାହ ବିଚ୍ଛେଦ ପାଇଁ ଅପେକ୍ଷାରତ ପୁରୁଷ ଏବଂ ମହିଳାଙ୍କର ମାନସିକ ସ୍ଥିତି, ସେମାନଙ୍କର ପିଲାଛୁଆଙ୍କର ଭବିଷ୍ୟତ ସତେଯେପରି ଦିଗହରା ହୋଇ ବୟସ୍କମାନଙ୍କ ବେକରେ ଝୁଲିପଡୁଛି, ଫଳରେ ଉଭୟ ବୟସ୍କ ଏବଂ ଶିଶୁମାନଙ୍କର ଭବିଷ୍ୟତ ଅନ୍ଧକାରାଚ୍ଛନ୍ନ ହୋଇପଡୁଛି କହିଲେ ଅତ୍ୟୁକ୍ତି ହେବନାହିଁ । ଛୁଆମାନଙ୍କ ପାଇଁ ସ୍ନେହଶ୍ରଦ୍ଧା ଏବଂ ବୟସ୍କମାନଙ୍କ ପାଇଁ ସମ୍ମାନ ଦୁର୍ଲଭ ହୋଇପଡ଼ିଛି । ଆମ ଦେଶର ସବୁଠାରୁ ଧନୀ ରାଜ୍ୟର ମାନ୍ୟତା ପାଇଥିବା ମହାରାଷ୍ଟ୍ରର ଅର୍ଥନୀତି, ଦ୍ୱିତୀୟ ସ୍ଥାନରେ ଥିବା ତାମିଲନାଡୁ ଏବଂ ତୃତୀୟ ସ୍ଥାନରେ ଥିବା କର୍ଣ୍ଣାଟକର ଅର୍ଥନୀତି, କେବଳ ମହିଳାମାନଙ୍କର କର୍ମପ୍ରବଣତା ଯୋଗୁଁ ଶୀର୍ଷରେ ରହିଛି ବୋଲି ଆମକୁ ସ୍ୱୀକାର କରିବାକୁ ପଡ଼ିବ । ସେହି ଅନୁପାତରେ ଅପରାଧପ୍ରବଣତା ସହିତ ନିଶା କାରବାର, ପାରିବାରିକ ହିଂସା, ଜମିବାଡ଼ିକୁ କେନ୍ଦ୍ରକରି ଗଣ୍ଡଗୋଳ, ହଣାକଟା ଉଭୟ ପୋଲିସ୍ ଏବଂ ପ୍ରଶାସକଙ୍କୁ ଚିନ୍ତାରେ ପକାଇ ଦେଇଛି । ହିଂସାକାଣ୍ଡକୁ ଦେଶବାସୀ ଗ୍ରହଣ କରିବାକୁ ଚାହୁଁନଥିବା ବେଳେ ଏବେ ପୁଣି ମୁଣ୍ଡ ଟେକିଛି ଆତ୍ମହତ୍ୟାପ୍ରବଣତା । ସଦ୍ୟ ପ୍ରକାଶିତ ଏକ ରିପୋର୍ଟରୁ ଜଣାଯାଇଛି, ଚଳିତ ବର୍ଷ ସମଗ୍ର ପୃଥିବୀରେ ଛଅଲକ୍ଷ ପଚାଶ ହଜାର ଜଣ ବ୍ୟକ୍ତି ଆତ୍ମହତ୍ୟା କରିଥିବାବେଳେ ଆମ ଦେଶରେ ଏକଲକ୍ଷ ନବେହଜାର ଲୋକ ଆତ୍ମହତ୍ୟା କରିଛନ୍ତି ।
ଭାରତ ବର୍ଷରେ ଆତ୍ମହତ୍ୟାର କାରଣ ସମ୍ପର୍କରେ ଅନୁଧ୍ୟାନ କରିବାକୁ ଯାଇ ମନସ୍ତତ୍ତ୍ୱବିତ୍ମାନେ ମତ ଦେଇଛନ୍ତି ଯେ, ଆଧୁନିକୀକରଣ ତୀବ୍ର ବେଗରେ ହେଉଥିବା ଯୋଗୁଁ ଏବଂ ସାମାଜିକ ପରିବର୍ତ୍ତନ ସହିତ ପ୍ରକୃତ ଯୋଗ୍ୟତାକୁ ନବୁଝି ଭବିଷ୍ୟତ ପିଢ଼ିଙ୍କଠାରୁ ବହୁତ ଆଶା କରିବା କୋମଳମତି କିଶୋର କିଶୋରୀମାନଙ୍କୁ ହତାଶା ଆଡ଼କୁ ଠେଲିଦେଉଛି । ଏସବୁ ବ୍ୟତୀତ ମୋବାଇଲ ଏବଂ ଲ୍ୟାପ୍ଟପ୍ର ଅବାଞ୍ଛିତ ବ୍ୟବହାର, ଅନଲାଇନ୍ ଗେମ୍ ସହିତ ଜୁଆଖେଳ ବାର ବର୍ଷ ବୟସର ପିଲାଙ୍କଠାରୁ ଆରମ୍ଭ କରି ଚାଳିଶ ବର୍ଷ ବୟସର ପରିପକ୍ୱ ବ୍ୟକ୍ତିମାନେ ମଧ୍ୟ ଜୁଆ ବା ସଟ୍ଟାର ନିଶାରୁ ବାଦ ପଡୁନାହାଁନ୍ତି । ଉଦ୍ଦେଶ୍ୟ ଗୋଟିଏ, ଅଳ୍ପ ସମୟ ମଧ୍ୟରେ ବିନା ପରିଶ୍ରମରେ ପ୍ରଚୁର ଧନ ରୋଜଗାର କରିବେ । ଯଦି ସଫଳ ନହେଲେ ତେବେ ଆତ୍ମହତ୍ୟା କରିବେ । ଏସବୁ ବ୍ୟତୀତ ଚୋରି, ଡକାୟତି ଭଳି କୁପଥକୁ ଆପଣେଇ ଧନ ଠୁଳ କରି ଜେଲ୍ରେ ସଜ୍ଜା କାଟୁଥିବା ବ୍ୟକ୍ତିଙ୍କ ସଂଖ୍ୟା ମହାରାଷ୍ଟ୍ରର ୟାରୱାଡ଼ା ଜେଲ ହେଉ ବା ଦିଲ୍ଲୀର ତିହାର ଜେଲ୍ ହେଉ, ସବୁଆଡ଼େ ଭୟଙ୍କର ଅପରାଧୀମାନେ ଅତିମାତ୍ରାରେ ଦେଖାଯାଉଛନ୍ତି ବା ସେଠାରେ ସଜ୍ଜା କାଟୁଛନ୍ତି । ଯେଉଁଠାରେ ସ୍ୱାଧୀନତା ସଂଗ୍ରାମୀମାନେ ବ୍ରିଟିଶ ସରକାର ବିରୁଦ୍ଧରେ ସ୍ୱର ଉତ୍ତୋଳନ କରି ଜେଲ୍ ଦଣ୍ଡ ଭୋଗୁଥିଲେ ଏବଂ ଫାଶୀ ଖୁଣ୍ଟରେ ଝୁଲୁଥିଲେ ।
ସେହିସବୁ ସ୍ଥାନରେ ଏବେ ଦଳ ଦଳ ଦେଶଦ୍ରୋହୀ ବା ଦେଶର ମର୍ଯ୍ୟାଦା ହାନି କରୁଥିବା ବ୍ୟକ୍ତିବିଶେଷ ସେମାନେ କେବଳ ଦଣ୍ଡ ଭୋଗୁନାହାନ୍ତି, ବରଂ ମହାପୁରୁଷ ବା ସ୍ୱାଧୀନତା ସଂଗ୍ରାମୀଙ୍କ ବଳିଦାନକୁ ତାଚ୍ଛଲ୍ୟ କରିଚାଲିଛନ୍ତି । ଏହିଭଳି ଅପରାଧୀମାନଙ୍କର ସଂଖ୍ୟାକୁ ହ୍ରାସ କରିବାର ପ୍ରୟାସ କେବଳ ଆମ ଦେଶରେ ନୁହେଁ, ବରଂ ସମଗ୍ର ପୃଥିବୀରେ ଜାରି ରହିଛି । ତଥାପି ସଂସ୍କାର ନାମରେ ମଣିଷପଣିଆର ବିକାଶ ଭଳି ଅବସ୍ଥା ସତେଯେପରି ଆମଠାରୁ ଦୂରେଇ ଯାଉଛି । ଯାହାର ପୁନରୁଦ୍ଧାର ନିହାତି ଜରୁରି ବୋଲି ବିଜ୍ଞ ବ୍ୟକ୍ତିମାନେ ମତପୋଷଣ କରୁଥିବାବେଳେ ରାଜନୈତିକ ଇଚ୍ଛାଶକ୍ତି ବିନା ନିଶା ଦ୍ରବ୍ୟର ପ୍ରଚଳନକୁ ରୋକିବା କିମ୍ବା ଶାସନ ବ୍ୟବସ୍ଥାରେ କଠୋରତା ଆଣିବା ଭଳି କାର୍ଯ୍ୟ ସତେଯେପରି ଅସମ୍ଭବ ହୋଇପଡ଼ୁଛି । ତେଣୁ ‘ଆପଣା ହସ୍ତେ ଜିହ୍ୱା ଛେଦି’ ନ୍ୟାୟରେ ଯଦୁବଂଶ ଧ୍ୱଂସ ହେଲାଭଳି ଘଟଣା ଯେ ଏଇ ନିକଟରେ ନଘଟିବ ତାହା କିଏ କହିବ?