ୱାଶିଂଟନ,୦୬/୦୪: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ବ୍ରିଟେନ୍ ଏବଂ ୟୁରୋପୀୟ ସଂଘ ସହିତ ପ୍ରାୟ ସମସ୍ତ ରାଷ୍ଟ୍ରଗୁଡ଼ିକ ପାଇଁ ଘୋଷଣା କରିଛନ୍ତି ଯେସାକୁ ତେସା ଶୁଳ୍କ । ତେବେ ଏ ପଦକ୍ଷେପ ଖାଲି ଯେ ଅନ୍ୟ ରାଷ୍ଟ୍ରଗୁଡ଼ିକୁ ପ୍ରଭାବିତ କରିବ ତାହା ନୁହେଁ, ନିଜେ ଆମେରିକା ବି ବର୍ତ୍ତିବ ନାହିଁ । ଟ୍ରମ୍ପଙ୍କ ଏ ନିଷ୍ପତ୍ତି ଏକ ଆତ୍ମଘାତୀ ଶୁଳ୍କ ବୋମା । ଏହା ଆମେରିକାରେ ବଡ଼ ଧରଣର ଆର୍ଥିକ ବିପତ୍ତି ଆଣିବ। ଦରଦାମ ସ୍ଥିତି ଉତ୍କଟ ହେବ ବୋଲି ଅର୍ଥନୀତିଜ୍ଞମାନେ ଚେତାବନୀ ଦେଇଛନ୍ତି । ବିଭିନ୍ନ ପ୍ରକାର ବିତ୍ତୀୟ ଆହ୍ୱାନ ସତ୍ତେ୍ୱ ଟ୍ରମ୍ପ ନିଜର ଶୁଳ୍କ ରଣନୀତିରେ ଅଟଳ ରହିଛନ୍ତି । ତାଙ୍କ ମୁତାବକ ଟାରିଫ୍ ଦ୍ୱାରା ପ୍ରତିବର୍ଷ ଆମେରିକାକୁ ୬୦୦୦୦ କୋଟି ଡଲାରର ରାଜସ୍ୱ ମିଳିବ । କିନ୍ତୁ ଅର୍ଥନୀତିଜ୍ଞମାନେ ଏହି ଦାବିକୁ ଖଣ୍ଡନ କରିଛନ୍ତି ।
ଏମାନେ କହିଛନ୍ତି ଯେ, ଏହାର ବୋଝ ଉପଭୋକ୍ତା ଏବଂ କମ୍ପାନିଗୁଡ଼ିକ ଉପରେ ପଡ଼ିବ । ସମ୍ଭାବ୍ୟ ଦରଦାମ୍ ବୃଦ୍ଧିକୁ ଦୃଷ୍ଟିରେ ରଖି ଏବେ ଆମେରିକୀୟମାନେ ବିଭିନ୍ନ ପ୍ରକାର ସାମଗ୍ରୀ ଆଗୁଆ ଠୁଳ କଲେଣି । ଲାପ୍ଟପ୍, ସ୍ମାର୍ଟଫୋନ୍, ପୋଷାକ, ଜୋତା, ଫର୍ଣ୍ଣିଚର, ଅଟୋମୋବାଇଲ, ବିଦେଶୀ ଖାଦ୍ୟ, ଜିମ୍ ଏବଂ ୱେଲ୍ନେସ୍ ଉପକରଣ ସହ ଅନ୍ୟାନ୍ୟ ସାମଗ୍ରୀ ଷ୍ଟୋରରେ ପ୍ରବଳ ଭିଡ଼ ଦେଖିବାକୁ ମିଳୁଛି।
ଶୁଳ୍କ ଲାଗୁ ହେବା ପୂର୍ବରୁ ଏସବୁ ଉତ୍ପାଦ ଆଗୁଆ କିଣିନେଲେଣି ଆମେରିକୀୟ । ଶୁଳ୍କ ଲାଗିବା ପରେ ଆମେରିକା ବାହାରେ ପ୍ରସ୍ତୁତ ଗାଡ଼ି ଆଗକୁ ମହଙ୍ଗା ହୋଇଯିବ । କାରଣ ବିଦେଶୀ ଗାଡ଼ି ଉପରେ ଟ୍ରମ୍ପ ୨୫% ଶୁଳ୍କ ଲଗାଇବେ । ତେଣୁ ଲୋକେ ତରବରିଆ ହୋଇ ଏହି ଗାଡ଼ିଗୁଡ଼ିକୁ କିଣି ପକାଇଲେଣି ।
ତାଇୱାନ ଉପରେ ୩୨% ଏବଂ ଚୀନ୍ ଉପରେ ଟ୍ରମ୍ପଙ୍କ ୫୨% ଶୁଳ୍କ ଘୋଷଣା ପରେ ଆମେରିକୀୟମାନେ ଟାବ୍ଲେଟ୍, ସ୍ମାର୍ଟଫୋନ୍ ଏବଂ ଲାପ୍ଟପ୍ ଷ୍ଟୋରରେ ଭିଡ଼ ଲଗାଇଛନ୍ତି । ଏହାର କମ୍ପୋନେଣ୍ଟଗୁଡ଼ିକ ଚୀନ୍ରୁ ଆସିଥାଏ । ତେଣୁ ଆଗକୁ ଏସବୁ ଉତ୍ପାଦ ମହଙ୍ଗା ହୋଇଯିବ। ନୂଆ କାର ତଥା ଇଭି କିଣିବା ପାଇଁ ଯୋଜନା କରିଥିବା ଆମେରିକୀୟମାନେ ସମୟ ବିଳମ୍ବ ନ କରି ବିଦେଶରୁ ଆମଦାନି ହେଉଥିବା କାର କିଣିବାକୁ ସୋ’ରୁମ୍ରେ ଭିଡ଼ ଲଗାଇଲେଣି । ଦାମ ବଢ଼ିବା ପୂର୍ବରୁ ଗାଡ଼ି କିଣିବାକୁ ଏମାନେ ଚାହାନ୍ତି ।
ଗ୍ୟାପ୍ ଭଳି ପ୍ରମୁଖ ପୋଷାକ ବ୍ରାଣ୍ଡଗୁଡ଼ିକ ସେମାନଙ୍କ ୨୧% ପୋଷାକ ଭିଏତ୍ନାମରୁ ଏବଂ ୩୭% ଭାରତ, ଇଣ୍ଡୋନେସିଆ ଓ ବାଂଲାଦେଶରୁ ସଂଗ୍ରହ କରନ୍ତି । ଆଉ ଏକ ଲୋକପ୍ରିୟ ବ୍ରାଣ୍ଡ୍ ଏଚ୍ ଆଣ୍ଡ୍ ଏମ୍ ମଧ୍ୟ ଚୀନ୍ ଏବଂ ବାଂଲାଦେଶରେ ଏହାର ପୋଷାକ ତିଆରି କରିଥାଏ । ତେଣୁ ଶୁଳ୍କ ପ୍ରଭାବ ପଡ଼ିବା ପୂର୍ବରୁ ଆମେରିକୀୟମାନେ ପ୍ରଚୁର ମାତ୍ରାରେ ଜିନ୍ସ, ସ୍ପୋର୍ଟସ ୱେର୍, ୱାର୍କୱେର୍ ଏବଂ ଜୋତା ଆଦି କିଣୁଛନ୍ତି ।
ଆମେରିକା ବାହାର ଦେଶରୁ ବୃହତ୍ ମାତ୍ରାରେ କଫି, ସ୍ନାକ୍ସ ଏବଂ ଅନ୍ୟାନ୍ୟ ଗ୍ରୋସେରି ଆମଦାନି କରିଥାଏ । ଥରେ ଶୁଳ୍କ ପ୍ରଭାବ ପଡ଼ିବା ପରେ ଏସବୁ ସାମଗ୍ରୀ ମହଙ୍ଗା ହୋଇଯିବ । ତେଣୁ ଆମେରିକୀୟମାନେ ପ୍ରଚୁର ମାତ୍ରାରେ ଏଗୁଡ଼ିକୁ ଠୁଳ କରି ଚାଲିଛନ୍ତି । ବିଭିନ୍ନ ରାଷ୍ଟ୍ରରୁ ଆମେରିକା ଟ୍ରେଡ୍ମିଲ୍, ଷ୍ଟେସ୍ନାରୀ ବାଇକ୍, ମସାଜ୍ ଚେୟାର ଏବଂ ଅନ୍ୟାନ୍ୟ ଜିମ୍ ଉପକରଣ ଆମଦାନି କରିଥାଏ । ଏଗୁଡ଼ିକ ମହଙ୍ଗା ହେବା ପୂର୍ବରୁ ଆମେରିକୀୟମାନେ ମହଜୁଦ କରୁଛନ୍ତି ।
ସେହଭିଳି ଚୀନ୍ ଏବଂ ତାଇୱାନ୍ରୁ ଆମେରିକାକୁ ବିଭିନ୍ନ ପ୍ରକାର ଇଲେକ୍ଟ୍ରିକାଲ ଆପ୍ଲିଆନ୍ସେସ୍ ଯଥା ରେଫ୍ରିଜରେଟର, ୱାଶିଂ ମେଶିନ୍, ମାଇକ୍ରୋୱେଭ୍ ଏବଂ ଡିସ୍ୱାଶର ତଥା ଏହାର କମ୍ପୋନେଣ୍ଟଗୁଡ଼ିକ ଆମଦାନି ହୋଇଥାଏ । ତେଣୁ ବର୍ତ୍ତମାନ ଆମେରିକୀୟମାନେ ଏସବୁ ଷ୍ଟୋରରେ ବି ଭିଡ଼ ଲଗାଇଛନ୍ତି ।
ଅନ୍ୟାନ୍ୟ ସାମଗ୍ରୀ ମଧ୍ୟରେ ଆମେରିକୀୟମାନେ ବିଲ୍ଡିଂ ଏବଂ ରିନୋଭେଶନ ମାଟେରିଆଲ, କିଚେନ୍ ଆପ୍ଲାଏନ୍ସେସ୍ ଏବଂ ପିଲାଙ୍କ ପ୍ରଡକ୍ଟ, ଡାଏପର, ଖେଳନା, ପିଲାଙ୍କ ପୋଷାକ ଏବଂ ଷ୍ଟ୍ରଲର କିଣୁଛନ୍ତି । ଶୁଳ୍କ ଲାଗୁ ହେବା ପରେ ଏସବୁ ସାମଗ୍ରୀ ମହଙ୍ଗା ହୋଇଯିବ ।
ସୂଚନାଯୋଗ୍ୟ, ଚୀନ୍, ଭାରତ, ଭିଏତ୍ନାମ ସହିତ ୬୦ରୁ ଅଧିକ ଦେଶ ଉପରେ ଆମେରିକା ରାଷ୍ଟ୍ରପତି ଟ୍ରମ୍ପ ଶୁଳ୍କ ଘୋଷଣା କରିଛନ୍ତି । ରବିବାରଠାରୁ ୧୦%ର ମୂଳ ଶୁଳ୍କ ଲାଗୁ ହେବ । ଏପ୍ରିଲ ୯ରୁ ଉଚ୍ଚ ଟାରିଫ୍ ଲାଗିବ ।