ପ୍ରମୂଖ ଖବର
  • ବାଲେଶ୍ୱର : ହୋଲିରେ ଚାଲିଥିଲା ଚୋରାମଦ ବେପାର, ମାଡ଼ି ବସିଲା ନୀଳଗିରି ପୋଲିସ
  • ||
  • ଗଜପତି : ନିଜ ବନ୍ଧୁକରୁ ଗୁଳି ଫୁଟି ଶିକାରୀ ମୃତ
  • ||
  • ୨ ଦିନିଆ ଦିଲ୍ଲୀ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ବିଭିନ୍ନ କାର୍ଯ୍ୟକ୍ରମରେ ହେବେ ସାମିଲ
  • ||
  • ମୟୂରଭଞ୍ଜ : ସ୍ତ୍ରୀକୁ ପିଟି ପିଟି ହତ୍ୟା କଲା ନିଷ୍ଠୁର ସ୍ୱାମୀ, ଅଭିଯୁକ୍ତ ଅଟକ
  • ||
  • କେନ୍ଦୁଝର : ଜ୍ଵାଇଁ ଘର ସାମ୍ନାରେ ଚଢିଗଲା ଟ୍ରକ୍, ଚାଲିଗଲା ଶାଶୁ, ଶ୍ଵଶୁର ଏବଂ ଶାଳକଙ୍କ ଜୀବନ
  • ||
  • ଶ୍ରୀକ୍ଷେତ୍ରରେ ଡ୍ରିମ୍‌ଗାର୍ଲ୍, ଦେଶର ମଙ୍ଗଳ ପାଇଁ ମହାପ୍ରଭୁଙ୍କୁ କଲେ ପ୍ରାର୍ଥନା
  • ||
  • କଟକ : ସାଇକେଲ୍‌ ଆରୋହୀଙ୍କୁ ପଛପଟୁ ଧକ୍କା ଦେଲା ଟ୍ରକ୍‌, ଚାଲିଗଲା ଜୀବନ
  • ||
  • ଢେଙ୍କାନାଳ : ଟ୍ରକ୍ ଧକ୍କାରେ ଚାଲିଗଲା ଯୁବକଙ୍କ ଜୀବନ, କ୍ଷତିପୂରଣ ଦାବିରେ ସ୍ଥାନୀୟ ଲୋକଙ୍କ ରାସ୍ତାରୋକ
  • ||

ଆମେରିକାରେ ମାନ୍ଦାବସ୍ଥା ଆଶଙ୍କା: ଆହୁରି ଅସ୍ଥିର ହେବ ଭାରତୀୟ ବଜାର, ଜିଡିପି ଅଭିବୃଦ୍ଧି ପ୍ରଭାବିତ ହେବ

Published By : Prameya | March 13, 2025 2:24 PM

ନୂଆଦିଲ୍ଲୀ ୧୩/୦୩: ଆମେରିକାରେ ଆଗକୁ  ଏକ ମାନ୍ଦାବସ୍ଥା ଦେଖିବାକୁ ମିଳିବ ବୋଲି ବିଭିନ୍ନ  ଆର୍ଥିକ ପ୍ରତିଷ୍ଠାନଗୁଡ଼ିକ ପୂର୍ବାନୁମାନ କଲେଣି । ଏହା  ପ୍ରଭାବରେ ଆମେରିକୀୟ ସେୟାର ବଜାର ଏବେ ଧରାସାୟୀ । ବଜାରରୁ ଉଡ଼ିଗଲାଣି ବହୁ ଟ୍ରିଲିୟନ  ଡଲାର । ତେବେ ଆମେରିକାରେ ମାନ୍ଦାବସ୍ଥା ଭୟ  ଭାରତୀୟ ବଜାରକୁ ଆହୁରି ଅସ୍ଥିରତା ଆଡ଼କୁ ଅଗ୍ରସର କରାଉଥିବା ବିଶେଷଜ୍ଞମାନେ ପ୍ରକାଶ କରୁଛନ୍ତି । 

ଆମେରିକା ବଜାରରେ ମାନ୍ଦାବସ୍ଥା ଭାରତୀୟ  ଟଙ୍କାକୁ ଚାପଗ୍ରସ୍ତ କରିପାରେ । କାରଣ ଆମେରିକାରେ  ମାନ୍ଦାବସ୍ଥା ହେଲେ ଏହାର ପ୍ରଭାବ ସମଗ୍ର ବିଶ୍ୱ  ଅନୁଭବ କରିବ । ଏସୀୟ ବଜାରଗୁଡ଼ିକର ବିତ୍ତୀୟ  ବଜାର ଖସିବା ସହ କରେନ୍ସି ଦୁର୍ବଳ ହେବା ସ୍ୱାଭାବିକ । 

ଅର୍ଥନୀତିଜ୍ଞମାନେ ଏବେ ଆମେରିକାରେ ଏକ  ମାନ୍ଦାବସ୍ଥା ଆସିବା ନେଇ ଆଶଙ୍କା କରୁଛନ୍ତି । ଏହାକୁ ସେମାନେ ‘ଟ୍ରମ୍ପସେସନ୍‌’ ଭାବେ ସମ୍ବୋଧନ କରୁଛନ୍ତି । ଏହି ମାନ୍ଦାବସ୍ଥା ଭାରତୀୟ ଅର୍ଥନୀତି ଏବଂ ବଜାରକୁ  ଆହୁରି ଅସ୍ଥିର କରିପାରେ । ଭାରତ ଉପରେ ଯେସାକୁ  ତେସା ଶୁଳ୍କ ନୀତି ଲାଗୁ କରାଯିବ ବୋଲି ଡୋନାଲ୍ଡ  ଟ୍ରମ୍ପ ପୂର୍ବରୁ ଧମକ ଦେଇସାରିଛନ୍ତି । ଏଭଳି ସ୍ଥିତିରେ  ମାନ୍ଦାବସ୍ଥା ଭୟ ବୋଝ ଉପରେ ନଳିତାବିଡ଼ା ସଦୃଶ୍ୟ  ହେବ ବୋଲି ଅର୍ଥନୀତିଜ୍ଞମାନେ ପ୍ରକାଶ କରିଛନ୍ତି ।  ଭାରତୀୟ ଅର୍ଥନୀତି ଏବଂ ବଜାର ପାଇଁ ଏହା ଡବଲ୍‌  ଝଟ୍‌କା ସାବ୍ୟସ୍ତ ହେବ ବୋଲି ସେମାନେ କହିଛନ୍ତି ।

ପଡ଼ିବ ବହୁବିଧ ପ୍ରଭାବ

ନିକଟରେ ପ୍ରକାଶିତ କ୍ରିସିଲ୍‌ ଇଣ୍ଟେଲିଜେନ୍ସ ରିପୋର୍ଟରେ  ଉଲ୍ଲେଖ କରାଯାଇଛି ଯେ, ଟ୍ରମ୍ପଙ୍କ ଯେସାକୁ ତେସା  ଶୁଳ୍କ ନୀତି ଦ୍ୱାରା ଭାରତର ରପ୍ତାନି ବଡ଼ ଆକାରରେ  ପ୍ରଭାବିତ ହେବ, ଯାହାକି ଭାରତର ଜିଡିପିର ପ୍ରାୟ  ୨୨% । ମାନ୍ଦାବସ୍ଥା ଯୋଗୁ ଆମେରିକାରେ ଚାହିଦା  ହ୍ରାସରୁ ଭାରତ ବିଭିନ୍ନ ଆକାରରେ ପ୍ରଭାବିତ ହେବ ।  

ବହୁ ସଂଖ୍ୟାରେ ଚାକିରି ଚାଲିଯିବ, ସେଠାରେ  ରହୁଥିବା ପ୍ରବାସୀ ଭାରତୀୟଙ୍କ ଦ୍ୱାରା ରେମିଟାନ୍ସରେ  ହ୍ରାସ ଘଟିବ ଏବଂ ରପ୍ତାନି ଖସିବ । ଆଇଟି ଭଳି  ରପ୍ତାନି-ଭିତ୍ତିକ କ୍ଷେତ୍ର ବଡ଼ ଆକାରରେ ପ୍ରଭାବିତ  ହେବ । ଆମେରିକାର ଶୁଳ୍କ ଧମକ ଯୋଗୁ  ଫେବ୍ରୁଆରୀରେ ଭାରତର ରପ୍ତାନି ପ୍ରଭାବିତ  ହୋଇଥିବା ଜଣେ ଅଧିକାରୀ ପ୍ରକାଶ କରିଛନ୍ତି । ଏବେ  ମାନ୍ଦାବସ୍ଥା ଆଶଙ୍କା ଚିନ୍ତାକୁ ଆହୁରି ବଢ଼ାଇଦେଇଛି ।  ଅନ୍ୟପଟେ ଆମେରିକାରେ ସମ୍ଭାବ୍ୟ ମାନ୍ଦାବସ୍ଥା ତଥା  ଶୁଳ୍କ ଯୁଦ୍ଧରୁ ସୃଷ୍ଟ ବିଶ୍ୱ ଆର୍ଥିକ ମାନ୍ଦାବସ୍ଥା ଟଙ୍କାକୁ  ଆହୁରି ଚାପଗ୍ରସ୍ତ କରିବ ବୋଲି ବିଶେଷଜ୍ଞମାନେ  ପ୍ରକାଶ କରିଛନ୍ତି । ଚଳିତବର୍ଷ ଏସିଆର ସବୁଠାରୁ  ଦୁର୍ବଳ ପ୍ରଦର୍ଶନକାରୀ ମୁଦ୍ରା ରହିଛି ଭାରତୀୟ  ଟଙ୍କା । ଆମେରିକାରେ ସମ୍ଭାବ୍ୟ ମାନ୍ଦାବସ୍ଥା ଏବଂ  ବିଶ୍ୱ ଟାରିଫ୍‌ ଯୁଦ୍ଧ ବଜାରକୁ ଆହୁରି ଅସ୍ଥିର କରିବ  ବୋଲି ଆଶଙ୍କା କରାଯାଉଛି । ବିଦେଶୀ ନିବେଶ ଏବଂ  ପୁଞ୍ଜି ପ୍ରବାହ ସହ କରେନ୍ସି ମୂଲ୍ୟକୁ ନେଇ ଅନିଶ୍ଚିତତା  ଦେଖାଦେଇପାରେ । ଭାରତୀୟ ଅର୍ଥନୀତିରେ ଆମେରିକୀୟ ନିବେଶ କମିବ, ଯାହାଦ୍ୱାରା ଜିଡିପି  ଅଭିବୃଦ୍ଧି ପ୍ରଭାବିତ ହେବ । ଭାରତୀୟ ବଜାରରୁ  ଇକ୍ୱିଟି କାଢ଼ିନେବେ ବିଦେଶୀ ନିବେଶକ । ପୂର୍ବରୁ ହିଁ  ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ ଉପରେ  ଶୁଳ୍କ ଲଦିବା ପାଇଁ ଧମକ ଦେଇସାରିଛନ୍ତି । ଏହା ଭାରତୀୟ ଇକ୍ୱିଟି ବଜାରକୁ ଅସ୍ଥିର କରିଛି । ଏପ୍ରିଲ  ୨ରୁ ଅନ୍ୟ ରାଷ୍ଟ୍ରଗୁଡ଼ିକ ଉପରେ ସେ ଯେସାକୁ ତେସା  ଆମଦାନି ଶୁଳ୍କ ନୀତି ଲାଗୁ କରିବା ପାଇଁ ଘୋଷଣା  କରିଛନ୍ତି । ଅର୍ଥାତ ଯେଉଁ ଦେଶ ଆମେରିକା ଉପରେ  ଯେତିକି ଶୁଳ୍କ ଲଗାଇବ ଆମେରିକା ମଧ୍ୟ ସେମାନଙ୍କ  ଉପରେ ସମ ପରିମାଣର ଶୁଳ୍କ ଲଦିବ । ଆମେରିକା  ସହ ଭାରତର ଶୁଳ୍କ ପ୍ରାର୍ଥକ୍ୟ ବୃହତ୍‌ ରହିଛି ।  ଆମେରିକୀୟ ସାମଗ୍ରୀ ଉପରେ ଭାରତ ଯେତିକି  ଆମଦାନି ଶୁଳ୍କ ଲଗାଉଛି ତାହା ଭାରତୀୟ ସାମଗ୍ରୀ  ଉପରେ ଆମେରିକାର ଶୁଳ୍କ ତୁଳନାରେ ୧୦%ରୁ  ଅଧିକ । ଅର୍ଥାତ୍‌ ଟ୍ରମ୍ପଙ୍କ ଯେସାକୁ ତେସା ଶୁଳ୍କ ନୀତି  ଦ୍ୱାରା ଭାରତକୁ ବଡ଼ ଝଟ୍‌କା ମିଳିପାରେ । ଟ୍ରମ୍ପଙ୍କ  ଶୁଳ୍କନୀତି ନିବେଶକଙ୍କୁ ଭୟଭୀତ କରିଛି । ବଜାର  ଖସିବା ସହ ଏକ ମାନ୍ଦାବସ୍ଥା ଆଶଙ୍କା ରହିଛି ।  

ନିବେଶକ ଆଶଙ୍କିତ 

ଟ୍ରମ୍ପ ଆସିବା ପରେ ଗତ ମାସ ଏସ୍‌ ଆଣ୍ଡ୍‌ ପି ସୂଚକାଙ୍କ  ରେକର୍ଡ ସ୍ତରରେ ପହଞ୍ଚିଥିଲା । ଆଶା ଥିଲା ଟ୍ରମ୍ପ  ଅର୍ଥନୀତିରେ ପୁଞ୍ଜି ଯୋଡ଼ିବେ । କିନ୍ତୁ ତାଙ୍କର ବାଣିଜ୍ୟ  ନୀତି ଯୋଗୁ ଉଡ଼ିଯାଇଛି ୪ ଟ୍ରିଲିୟନ ଡଲାର । ଟ୍ରମ୍ପଙ୍କ  ଆକ୍ରାମକ ବାଣିଜ୍ୟ ନୀତି ବଜାରକୁ ତଳମୁହାଁ କରୁଥିବା ବିଶେଷଜ୍ଞମାନେ ପ୍ରକାଶ କରିଛନ୍ତି । ବ୍ୟବସାୟ,  ଉପଭୋକ୍ତା ଏବଂ ନିବେଶକ ସମସ୍ତେ ଆଶଙ୍କାରେ ।  

ଆଟ୍‌ଲାଣ୍ଟା ଫେଡେରାଲ ରିଜର୍ଭ ଆକଳନ କରିଛି  ଯେ, ୨୦୨୫ର ପ୍ରଥମ ତ୍ରୟମାସରେ ଆମେରିକାର  ଜିଡିପି ଅଭିବୃଦ୍ଧି ୨.୪% ଖସିପାରେ । କୋଭିଡ୍‌-୧୯  ମହାମାରୀ ପରଠାରୁ ଏହା ସବୁଠାରୁ ଦୁର୍ବଳ  ପ୍ରଦର୍ଶନ ହେବ । ଗୋଲ୍‌ଡମ୍ୟାନ୍‌ ସାଚ୍‌ସ ଆସନ୍ତା  ୧୨ ମାସ ମଧ୍ୟରେ ଆମେରିକାରେ ଏକ ମାନ୍ଦାବସ୍ଥା ଦେଖାଦେଇପାରେ ବୋଲି ଆଶଙ୍କା କରିଛି । ମୋର୍ଗାନ  ଷ୍ଟାନ୍‌ଲି ମଧ୍ୟ ଦୁର୍ବଳ ଅର୍ଥନୈତିକ ଅଭିବୃଦ୍ଧି ଅନୁମାନ  କରିଛି । ପ୍ରକାଶଯୋଗ୍ୟ, ଲଗାତର ଦୁଇଟି ତ୍ରୟମାସ  ଜିଡିପି ଅଭିବୃଦ୍ଧି ଖସିଲେ ଅର୍ଥନୀତିରେ ମାନ୍ଦାବସ୍ଥା  ବୋଲି ଗଣନା କରାଯାଇଥାଏ । କୋଭିଡ୍‌-୧୯  ମହାମାରୀ ବେଳେ ୨୦୨୦ ପ୍ରଥମ ଭାଗରେ  ଆମେରିକାରେ ମାନ୍ଦାବସ୍ଥା ଦେଖିବାକୁ ମିଳିଥିଲା ।  ଉକ୍ତ ସମୟରେ ଲକ୍ଷ ଲକ୍ଷ ଆମେରିକୀୟ ନିଯୁକ୍ତି  ହରାଇଥିଲେ । ଆମେରିକାରେ ମାନ୍ଦାବସ୍ଥା ହେଲେ  ଏହାର ପ୍ରଭାବ ସମଗ୍ର ବିଶ୍ୱ ଅନୁଭବ କରିବ।  

ଜିଓଜିତ ଫାଇନାନ୍‌ସିଆଲ ସର୍ଭିସେସ୍‌ର ଗବେଷଣା  ମୁଖ୍ୟ ବିନୋଦ ନାୟାର କହିଛନ୍ତି ଯେ, ଯଦିଓ ଶୁଳ୍କ  ବିବାଦକୁ ନେଇ ଭାରତ ଆମେରିକା ସହ ଆଲୋଚନା  କରୁଛି, ଯେତେବେଳେ ଏପ୍ରିଲ ୨ରେ ଆମେରିକା  ଯେସାକୁ ତେସା ଆମଦାନି ଶୁଳ୍କ ନୀତି ଲାଗୁ କରିବ  ଭାରତୀୟ ବଜାରକୁ ବଡ଼ ଝଟ୍‌କା ମିଳିପାରେ  ।  ମୋଟାମୋଟି ଭାବେ ଭାରତୀୟ ଅର୍ଥନୀତି ପ୍ରଭାବିତ  ହେବ । ଦେଶରୁ ଇକ୍ୱିଟି ବହିଃପ୍ରବାହ ବଢ଼ିବ ।  ତେବେ କମ୍ପାନିଗୁଡ଼ିକର ରାଜସ୍ୱ ଆୟ ଭଲ ରହିଲେ  ସ୍ଥିତି କିଛି ମାତ୍ରାରେ ଆୟତ ହୋଇପାରେ । 

ୟେସ୍‌  ସିକ୍ୟୁରିଟିଜ୍‌ ପ୍ରକାଶ କରିଛି ଯେ, ବାଣିଜ୍ୟିକ  ବୁଝାମଣା, ଶୁଳ୍କ ହ୍ରାସ ଆଦି ମାଧ୍ୟମରେ ଭାରତ  ଆମେରିକା ସହ ଏହାର ଅର୍ଥନୈତିକ ସହଯୋଗିତାକୁ  ମଜଭୁତ କରିବାକୁ କ୍ଷେତ୍ର ପ୍ରସ୍ତୁତ କରୁଛି । ଶୁଳ୍କ  ଉପରେ କୌଣସି ପକ୍କା ନିଷ୍ପତ୍ତି ନେବା ପାଇଁ ଭାରତ  ସେପ୍ଟେମ୍ବର ପର୍ଯ୍ୟନ୍ତ ସମୟ ମାଗିଛି । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.