ପ୍ରମୂଖ ଖବର
  • ଚାଉଁରପୁର ଦ୍ବିତୀୟ ସେତୁରେ ଚପଲ ରଖି ଡେଇଁପଡିଲେ ମହିଳା, ଆତ୍ମହତ୍ୟାର କାରଣ ଅସ୍ପଷ୍ଟ
  • ||
  • IPLରେ ତମାଖୁ ବିଜ୍ଞାପନ ପ୍ରସାରଣ ମନା, ଚିଠି ଲେଖିଲା ସ୍ବାସ୍ଥ୍ୟ ମନ୍ତ୍ରଣାଳୟ
  • ||
  • ବଜ୍ରକବାଟି ଛକ ନିକଟରେ ସିରିଜ୍ ଦୁର୍ଘଟଣା, ଅଳ୍ପକେ ବର୍ତ୍ତିଲେ ଦୁଇ ବାଇକ୍ ଆରୋହୀ
  • ||
  • ବ୍ରହ୍ମପୁରର ଅଧିଷ୍ଠାତ୍ରୀ ମା’ ବୁଢ଼ୀ ଠାକୁରାଣୀ ଯାତ୍ରା: ମାର୍ଚ୍ଚ ୧୨ ମଧ୍ୟରାତ୍ରରେ ଶୁଭଖୁଣ୍ଟି ସ୍ଥାପନ ହେବ
  • ||
  • ମଦ ଦୁର୍ନୀତିରେ ଇଡି ଆକ୍ସନ; ପୂର୍ବତନ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲଙ୍କ ଘରେ ରେଡ୍
  • ||
  • ଅଟୋ ଚାଳକଙ୍କ ମୃତ୍ୟୁ ଘଟଣାର ପର୍ଦ୍ଦାଫାଶ କଲା ପୋଲିସ, ସ୍ଵାମୀ ସହ ମିଶି ପ୍ରେମିକା ରଚିଥିଲା ହତ୍ୟାକାଣ୍ଡ
  • ||
  • ସୋମବାରଠୁ ସଂସଦର ଦ୍ୱିତୀୟ ପର୍ଯ୍ୟାୟ ବଜେଟ ଅଧିବେଶନ, ବିଭିନ୍ନ ପ୍ରସଙ୍ଗରେ ସରକାରଙ୍କୁ ଘେରିବେ ବିରୋଧୀ
  • ||
  • ମାର୍କ କାନି ହେବେ କାନାଡ଼ା ନୂଆ ପ୍ରଧାନମନ୍ତ୍ରୀ, ୮୬ ପ୍ରତିଶତ ଭୋଟ ପାଇ ଲିବେରାଲ୍ ପାର୍ଟିର ନେତା ନିର୍ବାଚିତ
  • ||
  • ରାଜ୍ୟରେ ଉପରମୁହାଁ ପାରଦ, ଆଭ୍ୟନ୍ତରୀଣ ଓଡ଼ିଶାରେ ୩ରୁ ୫ ଡିଗ୍ରୀ ବଢ଼ିବ: ସବୁ ଜିଲ୍ଲାପାଳଙ୍କୁ ସତର୍କ କଲେ ଏସ୍‌ଆରସି
  • ||

ଓଡ଼ିଶାକୁ ଫିନ୍‌ଟେକ ହବ୍‌ ଗଢ଼ି ତୋଳିବା ଲକ୍ଷ୍ୟ, ଆସିବ ନୂଆ ଫିନ୍‌ଟେକ୍‌ ନୀତି

Published By : Prameya | March 10, 2025 1:57 PM

ଭୁବନେଶ୍ୱର, ୧୦/୦୩ :ସାରା ଦେଶରେ ଫିନ୍‌ଟେକ କ୍ଷେତ୍ର ଦ୍ରୁତ ଅଗ୍ରଗତି କରୁଛି । ଓଡ଼ିଶାକୁ ଏକ ଫିନ୍‌ଟେକ୍‌ ହବ୍‌ ଭାବେ ଗଢ଼ି ତୋଳିବା ଲକ୍ଷ୍ୟ ରଖିଛନ୍ତି  ରାଜ୍ୟ ସରକାର । ଏହାକୁ ନଜରରେ ରଖି ଓଡ଼ିଶା ଏକ ଫିନ୍‌ଟେକ ନୀତି ଆଣିବ ବୋଲି ରାଜ୍ୟ ଅର୍ଥନୈତିକ  ସର୍ଭେ ରିପୋର୍ଟରେ କୁହାଯାଇଛି । ରାଜ୍ୟର ଅର୍ଥନୈତିକ ଏବଂ ସାମାଜିକ ବିକାଶରେ ଫିନ୍‌ଟେକ ଫାର୍ମ ଗୁଡ଼ିକର  ଯୋଗଦାନକୁ ବଢ଼ାଇବା ଲାଗି ଏକ ବ୍ଲୁ ପ୍ରିଣ୍ଟ ଆସିବ । ଏହା ଦ୍ୱାରା ଆର୍ଥିକ ଅନ୍ତର୍ଭୁକ୍ତି, ଜୀବିକା, ନୂଆ ନିଯୁକ୍ତି  ଏବଂ ଜିଡିପିକୁ ଯୋଗଦାନ ଭଳି ଦିଗ ଗୁଡ଼ିକୁ ତ୍ୱରାନ୍ୱିତ କରାଯିବା ଲକ୍ଷ୍ୟ ରଖାଯାଇଛି ।  

ଷ୍ଟାର୍ଟଅପ୍‌ ଇକୋସିଷ୍ଟମ ତୁଳନାରେ ଫିନ୍‌ଟେକ ଇକୋସିଷ୍ଟମ ଅପେକ୍ଷାକୃତ ଜଟିଳ । ଫିନ୍‌ଟେକ ଷ୍ଟାର୍ଟଅପ୍‌  ଗୁଡ଼ିକ ଭାରତୀୟ ପ୍ରତିଭୂତି ଏବଂ ବିନିମୟ ବୋର୍ଡ  (ସେବି), ନ୍ୟାଶନାଲ ପେମେଣ୍ଟସ କର୍ପୋରେସନ ଅଫ୍‌ ଇଣ୍ଡିଆ, ଭାରତୀୟ ବୀମା ନିୟାମକ ଏବଂ ଉନ୍ନତିକରଣ  କର୍ତ୍ତୃପକ୍ଷ (ଆଇଆର୍‌ଡିଏ) ଏବଂ ରିଜର୍ଭ ବ୍ୟାଙ୍କ ଭଳି  ଏକାଧିକ ନିୟାମକଙ୍କ ଦ୍ୱାରା ପରିଚାଳିତ ହୋଇଥାନ୍ତି । 

ସେହିଭଳି ଟେକ୍ନୋଲୋଜି କମ୍ପାନି, ନିବେଶକ,  ପାରମ୍ପରିକ ଆର୍ôଥକ ପ୍ରତିଷ୍ଠାନ ସହ ମିଳିତ ହୋଇ ଏହି  କ୍ଷେତ୍ରର ଷ୍ଟାର୍ଟଅପ୍‌ ଗୁଡ଼ିକୁ କାମ କରିବାକୁ ହୁଏ । ଫିନ୍‌ଟେକ  ଇକୋସିଷ୍ଟମକୁ ଦୃଢ଼ୀକରଣ କରିବା ଦିଗରେ ରାଜ୍ୟ ଏସବୁ  କ୍ଷେତ୍ରର ଅଂଶୀଦାରଙ୍କ ମଧ୍ୟରେ ଯୋଗସୂତ୍ର ରକ୍ଷା କରିବ  ବୋଲି ରିପୋର୍ଟରେ କୁହାଯାଇଛି ।  

ଫିନ୍‌ଟେକ କମ୍ପାନିଗୁଡ଼ିକର ଲାଇସେନ୍ସ ଏବଂ ପୁଞ୍ଜି  ଆବଶ୍ୟକତା, ପ୍ରୋତ୍ସାହନ, ସବ୍‌ସିଡି, ରିସ୍କ ମ୍ୟାନେଜ୍‌ମେଣ୍ଟ  ଭଳି ଦିଗ ଗୁଡ଼ିକରେ ମଧ୍ୟ ଷ୍ଟାର୍ଟଅପକୁ ରାଜ୍ୟ ହ୍ୟାଣ୍ଡହୋଲ୍ଡିଂ  ସୁବିଧା ଯୋଗାଇ ଦେବ । ଏସବୁ କ୍ଷେତ୍ରରେ ଟେକ୍ନୋଲୋଜି ଦ୍ରୁତ  ଭାବେ ବଦଳୁଥିବାରୁ ଏ ନେଇ ଓପନ୍‌ ଇନୋଭେସନ ପ୍ରୋଗ୍ରାମ,  ହ୍ୟାକାଥନ ଏବଂ ଷ୍ଟାଣ୍ଡବକ୍ସେସର ଆବଶ୍ୟକତା ମଧ୍ୟ ରହିଛି ।  ଓଡ଼ିଶାର ଭୌଗୋଳିକ ଉପସ୍ଥିତି ଦୃଷ୍ଟିକୋଣରୁ ଏହା ପୂର୍ବ ଭାରତର ଫିନ୍‌ଟେକ ହବ୍‌ ଭାବେ ବିକଶିତ  ହେବାର ଢ଼େର ସମ୍ଭାବନା ରହିଛି । ସମ୍ଭାବନାକୁ ଉନ୍ମୁକ୍ତ କରି  ବିଜ୍‌ନେସଗୁଡ଼ିକୁ ଆକୃଷ୍ଟ କଲେ ଏହା ରାଜ୍ୟର ଅଭିବୃଦ୍ଧିକୁ  ତ୍ୱରାନ୍ୱିତ କରିବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିବ ।  

ରାଜ୍ୟର ଡିଜିଟାଲ ଭିତ୍ତିଭୂମି ଦୃଢ଼ ହେଉଥିବାରୁ ଫିନ୍‌ଟେକ  କମ୍ପାନି ଗୁଡ଼ିକୁ ଆକୃଷ୍ଟ କରିବାରେ ଏହା ସହାୟକ ହେବ ।  ସେହିଭଳି ନିବେଶ ଏବଂ ଉଦ୍ଭାବନକୁ ଏବେ ରାଜ୍ୟ  ସରକାର ଉତ୍ସାହିତ କରଛନ୍ତି । ଯାହା ଦ୍ୱାରା ଏହି ବର୍ଗର  କମ୍ପାନିଗୁଡ଼ିକୁ ଓଡ଼ିଶାରେ ଉପସ୍ଥିତି ଦୃଢ଼ୀକରଣରେ ସୁବିଧା  ହେବ । ନୀତିଗତ ପଦକ୍ଷେପ ଏବଂ ପ୍ରୋତ୍ସାହନ ସହ ରାଜ୍ୟ  ଫିନ୍‌ଟେକ କ୍ଷେତ୍ର ଲାଗି ନୂଆ କ୍ଲଷ୍ଟର ଆଣିବାକୁ ଯାଉଛି ।  ସେହିଭଳି ଷ୍ଟେଟ ଅଫ୍‌ ଆର୍ଟ ଆଇଟି ହବ୍‌ ଏବଂ ଟିୟର  ୨ ଏବଂ ୩ ସହର ଗୁଡ଼ିକରେ ଆସିବାକୁ ଥିବା ଟେକ୍‌  ବିଜ୍‌ନେସ ପାର୍କ ଗୁଡ଼ିକରେ ଫିନ୍‌ଟେକ କମ୍ପାନିଗୁଡ଼ିକ  ୟୁନିଟ ସ୍ଥାପନାକୁ ବେଶ ଆଗଭର ହେବେ ।  

ଆଇଟି ପାର୍କ ଜୋନ ଦ୍ୱାରା ରାଜ୍ୟର ସମ୍ଭାବ୍ୟ ଆର୍ଥିକ  ସେବା କ୍ଷେତ୍ରରେ ଜାତୀୟ ଏବଂ ଅନ୍ତର୍ଜାତୀୟ ସ୍ତରର ଟେକ୍‌  ଏବଂ ଅଣ ଟେକ୍‌ ସଂସ୍ଥାଗୁଡ଼ିକ ବ୍ୟାଙ୍କିଙ୍ଗ, ବୀମା, ୱେଲ୍‌ଥ  ଏବଂ ପେମେଣ୍ଟଭଳି କ୍ଷେତ୍ରରେ ଯୋଗଦାନ ଦେଇ ପାରିବେ ।  ଏହି ଧାରାକୁ ଉତ୍ସାହିତ କରିବ ଏଆଇ ମିଶନ ଏବଂ  ଏଆଇ ନୀତି । ରାଜ୍ୟରେ ଡାଟା ସେଣ୍ଟରର ଉନ୍ନତିକରଣ  ଷ୍ଟେଟ ୱାଇଡ୍‌ ଏରିଆ ନେଟ୍‌ୱର୍କ ଦ୍ୱାରା ଫିନ୍‌ଟେକ  କ୍ଷେତ୍ର ଅପରେସନର ମୂଳ ଭିତ୍ତି ହେବାକୁ ଯାଉଛି ।  ପଞ୍ଚାୟତ ସ୍ତରରେ ଭାରତ ନେଟ୍‌ ଅପ୍ଟିକାଲ ଫାଇବରର  ସମ୍ପ୍ରସାରଣ ମଧ୍ୟ ଡିଜିଟାଲ ନେଣଦେଣକୁ ପ୍ରୋତ୍ସାହିତ  ଏବଂ ସୁରକ୍ଷିତ କରିବ ବୋଲି ରିପୋର୍ଟରେ କୁହାଯାଇଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.