ପ୍ରମୂଖ ଖବର
  • ରାୟଗଡ଼ା: ଏଏନଏମଙ୍କ ଘରୁ ବିପୁଳ ପରିମାଣର ଗଞ୍ଜେଇ ଜବତ, ମହିଳା ଗିରଫ
  • ||
  • ଗଞ୍ଜାମ : ଅଟୋ-ବାଇକ୍‌ ମୁହାଁମୁହିଁ ଧକ୍କା: ଜଣେ ମୃତ, ଜଣେ ଗୁରୁତର
  • ||
  • ସୁବର୍ଣ୍ଣପୁର: ବାରମ୍ୱାର ଅଭିଯୋଗ ସତ୍ତ୍ୱେ ଜମିରେ ଖୋଳା ହେଉନି ବୋରୱେଲ୍‌, ଉଠା ଜଳସେଚନ କାର୍ଯ୍ୟାଳୟ ବାରଣ୍ଡାରେ ଚାଷୀଙ୍କ ଧାରଣା
  • ||
  • କଂଗ୍ରେସର ସବୁ ବିଧାୟକ ସସପେଣ୍ଡ୍, ତାରା ବାହିନୀପତି ଓ ରମେଶ ଜେନା ୭ ଦିନ ପାଇଁ ଗୃହରୁ ନିଲମ୍ଵିତ
  • ||
  • ବିଧାନସଭାରେ ହାଇଡ୍ରାମା: ଗେଟ୍‌ ଭାଙ୍ଗି ଭିତରକୁ ପଶିଲେ ବିରୋଧୀ, ପୋଲିସ-କଂଗ୍ରେସ କର୍ମୀ ଧସ୍ତାଧସ୍ତି
  • ||
  • ଓଡ଼ିଶା ହାଇକୋର୍ଟର ନୂତନ ମୁଖ୍ୟ ବିଚାରପତି ଭାବେ ଶପଥ ନେଲେ ଜଷ୍ଟିସ୍‌ ହରିଶ୍‌ ଟଣ୍ଡନ, ଶପଥ ପାଠ କରାଇଲେ ରାଜ୍ୟପାଳ
  • ||
  • ନୟାଗଡ : ଧାନଚେଙ୍ଗଡ଼ା ଡବଲ ମର୍ଡର ଘଟଣା, ଅଭିଯୁକ୍ତ ବାପାକୁ ଧରି ସିନ୍‌ ରିକ୍ରିଏସନ୍‌ କରୁଛି କ୍ରାଇମ୍‌ବ୍ରାଞ୍ଚ
  • ||
  • ବର୍ଷା ହେଲେ ବଡ଼ଦାଣ୍ଡରେ ଭାସୁଛି ପଙ୍କ: ନଳା ପାଣି ମାଡ଼ି ଶ୍ରୀମନ୍ଦିର ଗଲେ ଭକ୍ତ, ସଫା ହେଲା ପରିକ୍ରମା ମାର୍ଗ ଭୂତଳ ନଳା
  • ||
  • କଟକ : ସରିଗଲା ଶିକ୍ଷା ବର୍ଷ: ମିଳିଲାନି ବହି, ବିନା ବହିରେ ପରୀକ୍ଷା ଦେଲେ ଛାତ୍ରଛାତ୍ରୀ
  • ||

ଟ୍ରମ୍ପଙ୍କ ଶୁଳ୍କ ଯୁଦ୍ଧ ମଧ୍ୟରେ ବିଶ୍ୱ ବଜାର ଅସ୍ଥିର, ମାନ୍ଦାବସ୍ଥା ଆଡ଼କୁ ଯାଉଛି ଆମେରିକା

Published By : Prameya | March 12, 2025 11:13 AM

ୱାଶିଂଟନ,୧୨/୦୩: ହ୍ୱାଇଟ୍‌ ହାଉସ୍‌କୁ  ଡୋନାଲ୍ଡ ଟ୍ରମ୍ପଙ୍କ ପ୍ରତ୍ୟାବର୍ତ୍ତନ ସମଗ୍ର ବିଶ୍ୱ  ଅର୍ଥନୀତିକୁ କରିଛି ଅସ୍ଥିର । ଟ୍ରମ୍ପଙ୍କ ଆକ୍ରାମକ  ବାଣିଜ୍ୟ ନୀତି ନୀତି ନିର୍ଦ୍ଧାରଣକାରୀଙ୍କ ନିଦ  ଉଡ଼ାଇ ଦେଲାଣି । ବିଶ୍ୱ ବଜାରରେ ବଢ଼ିଚାଲିଛି  ଅନିଶ୍ଚିତତା । ଏହାସହିତ ଭୁ-ରାଜନୈତିକ  ସମସ୍ୟାରୁ ଆମେରିକା ଅର୍ଥନୀତି ମାନ୍ଦାବସ୍ଥା  ଆଡ଼କୁ ଅଗ୍ରସର ହେଉଥିବା ଆଶଙ୍କା  କରାଯାଉଛି ।  

କିନ୍ତୁ ଏ ବର୍ଷ ଆମେରିକା ଅର୍ଥନୀତି  ଏକ ମାନ୍ଦାବସ୍ଥା ଦେଖିବ ଅବା ନୁହେଁ ସେ  ନେଇ କୌଣସି ବୟାନ ଦେବାକୁ ମନା  କରିଦେଇଛନ୍ତି ରାଷ୍ଟ୍ରପତି ଟ୍ରମ୍ପ । ଫକ୍ସ ନ୍ୟୁଜ୍‌ର  ଏକ ସାକ୍ଷାତ୍‌କାରରେ ସେ କହିଲେ ଯେ, ଏଭଳି  ପୂର୍ବାନୁମାନ କରିବାକୁ ମୁଁ ପସନ୍ଦ କରେନାହିଁ ।  ଏହା ଟ୍ରାଞ୍ଜିସନ ବା ପରିବର୍ତ୍ତନର ସମୟ ।  ଆମେ ଆମେରିକାକୁ ସମ୍ପତ୍ତି ଫେରାଇ ଆଣିବାକୁ  ଉଦ୍ୟମ କରୁଛୁ । ଏଥିପାଇଁ କିଛି ସମୟ ଲାଗିବ । ଧୈର୍ଯ୍ୟହରା ହେବା ଉଚିତ ନୁହେଁ । ଏଭଳି  କୌଣସି ପୂର୍ବାନୁମାନ ଉପରେ ବିଶ୍ୱାସ ନ କରିବା  ପାଇଁ ଟ୍ରମ୍ପ ଆହ୍ୱାନ ଦେଇଛନ୍ତି । 

ଟ୍ରମ୍ପ ପ୍ରଶାସନର ଶୁଳ୍କ ଏବଂ ଅର୍ଥନୈତିକ  ପଲିସିରେ କଡ଼ା ଆଭିମୁଖ୍ୟକୁ ନେଇ ନିବେଶକ  ଚିନ୍ତିତ । ଏହା ଏକ ମାନ୍ଦାବସ୍ଥାକୁ ଡାକି ଆଣିବ ବୋଲି ଏମାନେ ଆଶଙ୍କା ପ୍ରକାଶ କରିଛନ୍ତି । ଟ୍ରମ୍ପ  କ୍ଷମତାକୁ ଆସିବା ପରେ ବଡ଼ ବଡ଼ ବ୍ୟବସାୟିକ  ସହଯୋଗୀଙ୍କ ସହ ଆମେରିକାର ଶୁଳ୍କ ବିବାଦ  ବିଶ୍ୱର ସର୍ବବୃହତ୍‌ ଅର୍ଥନୀତି ପାଇଁ ମାନ୍ଦାବସ୍ଥା  ଡାକିଆଣିବ ବୋଲି ଆଶଙ୍କା କରାଯାଉଛି । ଏହା  ଉପରେ ଟ୍ରମ୍ପ କହିଛନ୍ତି ଯେ, ଏହା ଟ୍ରାଞ୍ଜିସନ୍‌  ସମୟ । ସେ ନେଉଥିବା ଅର୍ଥନୈତିକ ପଲିସିର  ସକାରାତ୍ମକ ଫଳାଫଳ ଆସିବାକୁ କିଛି ସମୟ  ଲାଗିବ ।  

ପ୍ରକାଶଯୋଗ୍ୟ, ଆଟ୍‌ଲାଣ୍ଟା ଫେଡେରାଲ  ରିଜର୍ଭ ଗତ ସପ୍ତାହରେ ଆଶଙ୍କା ପ୍ରକାଶ  କରିଥିଲା ଯେ, ପ୍ରଥମ ତ୍ରୟମାସରେ ଆମେରିକା ଅର୍ଥବ୍ୟବସ୍ଥା ଖସିପାରେ । ଅର୍ଥନୀତି ଲଗାତର  ଧୀମା ରହିବା ସହ ଏକ ମାନ୍ଦାବସ୍ଥା ଅନୁମେୟ ।  ଷ୍ଟକ୍‌ ବଜାରରେ ଅସ୍ଥିରତା ଦେଖିବାକୁ ମିଳିପାରେ । 

ଅର୍ଥନୀତି ପାଇଁ ସତର୍କ ସଂକେତ  ବଢୁଛି । ନଭେମ୍ବର ନିର୍ବାଚନ ପରଠାରୁ ସବୁଠାରୁ  ଖରାପ ସପ୍ତାହ ଦେଖିଛି ଆମେରିକୀୟ ଷ୍ଟକ୍‌  ବଜାର । ଉପଭୋକ୍ତା ଚାହିଦା କମିଛି । ଦରଦାମ  ବୃଦ୍ଧିକୁ ନେଇ ଗ୍ରାହକ ଚିନ୍ତିତ । କାନାଡା,  ମେକ୍ସିକୋ ଏବଂ ଚୀନ୍‌ ଆଦି ରାଷ୍ଟ୍ରଗୁଡ଼ିକ ଉପରେ  ଟ୍ରମ୍ପଙ୍କ ଶୁଳ୍କ ବାଣ ଆମେରିକାରେ ବିଭିନ୍ନ  ସାମଗ୍ରୀକୁ ମହଙ୍ଗା କରିଛି । ଅନିଶ୍ଚିତତା ଯୋଗୁ  ସରକାରୀ ଏଜେନ୍ସିଗୁଡ଼ିକରେ ଗଣଛଟେଇ  ବଢୁଛି । ଅରବପତି ଉପଦେଷ୍ଟା ଏଲନ୍‌ ମସ୍କ  ଖର୍ଚ୍ଚକାଟ ପଦକ୍ଷେପ ଅନ୍ତର୍ଗତ ବିପୁଳ ସଂଖ୍ୟାରେ  ଗଣ-ଛଟେଇ ରଣନୀତି କରୁଛନ୍ତି ।

ଆଟ୍‌ଲାଣ୍ଟା ଫେଡେରାଲ ରିଜର୍ଭ ଆକଳନ କରିଛି ଯେ,  ୨୦୨୫ର ପ୍ରଥମ ତ୍ରୟମାସରେ ଆମେରିକାର  ଜିଡିପି ଅଭିବୃଦ୍ଧି ୨.୪% ଖସିପାରେ । କୋଭିଡ୍‌-୧୯ ମହାମାରୀ ପରଠାରୁ ଏହା  ସବୁଠାରୁ ଦୁର୍ବଳ ପ୍ରଦର୍ଶନ ହେବ ।  ଅର୍ଥନୀତି ବିଷାରଦମାନେ ବି ଚିନ୍ତାରେ  ଅଛନ୍ତି । ଗୋଲ୍‌ଡମ୍ୟାନ୍‌ ସାଚ୍‌ସ ଆସନ୍ତା  ୧୨ ମାସ ମଧ୍ୟରେ ଆମେରିକାରେ ଏକ  ମାନ୍ଦାବସ୍ଥା ଦେଖାଦେଇପାରେ ବୋଲି ଆଶଙ୍କା  କରିଛି । ମୋର୍ଗାନ ଷ୍ଟାନ୍‌ଲି ମଧ୍ୟ ଦୁର୍ବଳ  ଅର୍ଥନୈତିକ ଅଭିବୃଦ୍ଧି ଅନୁମାନ କରିଛି ।  

ପ୍ରକାଶଯୋଗ୍ୟ, ଲଗାତର ଦୁଇଟି ତ୍ରୟମାସ  ଜିଡିପି ଅଭିବୃଦ୍ଧି ଖସିଲେ ଅର୍ଥନୀତିରେ  ମାନ୍ଦାବସ୍ଥା ବୋଲି ଗଣନା କରାଯାଇଥାଏ ।  କୋଭିଡ୍‌-୧୯ ମହାମାରୀ ବେଳେ ୨୦୨୦  ପ୍ରଥମ ଭାଗରେ ଆମେରିକାରେ ମାନ୍ଦାବସ୍ଥା  ଦେଖିବାକୁ ମିଳିଥିଲା । ଉକ୍ତ ସମୟରେ ଲକ୍ଷ  ଲକ୍ଷ ଆମେରିକୀୟ ନିଯୁକ୍ତି ହରାଇଥିଲେ ।  ଆମେରିକାରେ ମାନ୍ଦାବସ୍ଥା ହେଲେ ଏହାର  ପ୍ରଭାବ ସମଗ୍ର ବିଶ୍ୱ ଅନୁଭବ କରିଥାଏ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.