ନୂଆଦିଲ୍ଲୀ: ଖ୍ରୀଷ୍ଟମାସ୍ ସପ୍ତାହରେ ଯାତ୍ରୀଙ୍କୁ ଅସୁବିଧାରେ ପକାଇଛି ଆମେରିକାନ ଏୟାର ଲାଇନ୍ । ଆମେରିକାର ପ୍ରମୁଖ୍ୟ ଏୟାର ଲାଇନ୍ ‘ଆମେରିକାନ୍ ଏୟାର ଲାଇନ୍ସ’ର ସବୁ ବିମାନର ଉଡ଼ାଣ ବାତିଲ ହୋଇଛି । ତେବେ କୌଣସି ବୈଷୟିକ ତ୍ରୁଟି ଲାଗି ବିମାନ ଉଡ଼ାଣ ବାତିଲ ହୋଇଥିବା କୁହାଯାଉଛି । ବେସାମାରିକ ବିମାନ ଚଳାଚଳ ପ୍ରଶାସନ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ, ଖ୍ରୀଷ୍ଟମାସ୍ ପୂର୍ବ ସନ୍ଧ୍ୟାରେ ଆମେରିକାରେ ବିମାନ ଉଡ଼ାଣ ରଦ୍ଦ ହୋଇଛି । ଏଥିପାଇଁ ହଜାର ହଜାର ଯାତ୍ରୀ ଫସି ରହିଛନ୍ତି । କୌଣସି ଏକ ବୈଷୟିକ ତ୍ରୁଟି ଯୋଗୁଁ ମଙ୍ଗଳବାର ସକାଳ ପାଖରୁ ବିମାନ ଏୟାରପୋର୍ଟରୁ ଉଡ଼ାଣ ଭରିପାରି ନାହିଁ । ସେପଟେ ଟିମ୍ ଏହି ତ୍ରୁଟିକୁ ଠିକ୍ କରିବାକୁ ଚେଷ୍ଟା କରୁଛନ୍ତି ବୋଲି ଆମେରିକାନ୍ ଏୟାର ଲାଇନ୍ସ ପକ୍ଷରୁ କୁହାଯାଇଛି ।
Our team is working to get this rectified so that you can be safely on your way to your family. Your continued patience is appreciated.
— americanair (@AmericanAir) December 24, 2024
ଆମେରିକାନ୍ ଏୟାର ଲାଇନ୍ସ ପକ୍ଷରୁ ତ୍ରୁଟି ସଂପର୍କରେ କୌଣସି ଅଧିକ ସୂଚନା ଦିଆଯାଇ ନାହିଁ । ଦେଶର ସବୁ ସ୍ଥାନରେ ବିମାନ ଉଡ଼ାଣ ବାତିଲ କରିବାକୁ କମ୍ପାନି ପକ୍ଷରୁ କୁହାଯାଇଛି । ଏପରିକି ଆମେରିକାନ ଏୟାର ଲାଇନ୍ସର ସହାୟକ କମ୍ପାନି ମଧ୍ୟ ନିଜର ବିମାନ ଉଡ଼ାଣ ବାତିଲ କରିଛନ୍ତି । ଆଗାମୀ ୧୦ ଦିନରେ କମ୍ପାନି ଲକ୍ଷ ଲକ୍ଷ ଯାତ୍ରୀଙ୍କୁ ସେବା ଦେବାକୁ ଲକ୍ଷ୍ୟ ରଖିଥିବା ବେଳେ ଆଜିର ଘଟଣା ଚିନ୍ତାର କାରଣ ପାଲଟିଛି । ଜାନୁଆରୀ ୨ ମଧ୍ୟରେ ୪ କୋଟି ଯାତ୍ରୀ ଆମେରିକାନ ଏୟାର ଲାଇନ୍ସରେ ଯାତ୍ରା କରିପାରନ୍ତି ବୋଲି ମଧ୍ୟ ଆକଳନ କରାଯାଇଛି । ଏହାରି ମଧ୍ୟରେ ହଠାତ ଆଜି କମ୍ପାନିର ସବୁ ବିମାନର ଉଡ଼ାଣ ରଦ୍ଦ ହୋଇଯିବା ପରେ ଯାତ୍ରୀଙ୍କ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି ।