ପ୍ରମୂଖ ଖବର
  • ବୌଦ୍ଧ : ଟ୍ରକ୍‌ରୁ ଖସିଲା ଲୁହା ଇଲେକ୍ଟ୍ରି ପୋଲ୍‌, ଅଳ୍ପକେ ବର୍ତ୍ତିଲେ ଲୋକେ
  • ||
  • ଗଞ୍ଜାମ : ଝୁଲନ୍ତା ଅବସ୍ଥାରେ ବିବାହିତ ପ୍ରେମୀ ଯୁଗଳଙ୍କ ମୃତଦେହ ଉଦ୍ଧାର
  • ||
  • ଜୟପୁର : ଏଆର୍‌ଆଇଙ୍କ ଘରେ ପଶିଲା ଭିଜିଲାନ୍ସ, ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗ
  • ||
  • ନୀଳଗିରି : ଅଦିନିଆ ବର୍ଷା ପାଇଁ ଚିନ୍ତାରେ ଚାଷୀ, ହେକ୍ଟର ହେକ୍ଟର ପରିବା ଚାଷ ନଷ୍ଟ
  • ||
  • ପାକିସ୍ତାନର ଏୟାରଷ୍ଟ୍ରାଇକ୍‌ରେ ମୃତ୍ୟୁସଂଖ୍ୟା ୪୬କୁ ବୃଦ୍ଧି, ମୃତକଙ୍କ ମଧ୍ୟରେ ଅଧିକାଂଶ ଶିଶୁ ଓ ମହିଳା
  • ||
  • ବର୍ଡର-ଗାଭାସ୍କର ଟ୍ରଫି, ମେଲବର୍ଣ୍ଣରେ ବ୍ୟାଟିଂ କରୁଛି ଅଷ୍ଟ୍ରେଲିଆ, ଓ୍ବିକେଟ୍ ସନ୍ଧାନରେ ଭାରତ
  • ||
  • ଆଠମଲ୍ଲିକ : ଅଦିନିଆ ବର୍ଷା ଦେଇଗଲା ଦୁଃଖ, ଧାନ ବିଲରେ ଜମି ରହିଛି ପାଣି
  • ||
  • ଆଜିଠୁ ବର୍ଷା କମିବ, ୨୭ରୁ ପୁଣି ବଢ଼ିବ: ପଶ୍ଚିମା ବାୟୁ ପାଇଁ ଉତ୍ତର-ପଶ୍ଚିମ ଓଡ଼ିଶାରେ ବର୍ଷା ଆଶଙ୍କା
  • ||
  • ମେଘୁଆ ପାଗ ପରେ ସୁବର୍ଣ୍ଣପୁରରେ ଶୀତ ଲହରୀ ଆରମ୍ଭ
  • ||

ନୂଆ ଏଆଇ ଟୁଲ୍‌ ଉପକରଣ ପ୍ରସ୍ତୁତ କଲେ ବିଶେଷଜ୍ଞ, ୩ ବର୍ଷ ପୂର୍ବରୁ ଚିହ୍ନିବ ଅଗ୍ନାଶୟ କର୍କଟ

Published By : Prameya | December 25, 2024 3:06 PM

ନୂଆଦିଲ୍ଲୀ ୨୫/୧୨: ଗତି କିଛି ମାସ ମାଧ୍ୟରେ କୃତ୍ରିମ ବୁଦ୍ଧିମତା ବା ଏଆଇ (ଆର୍ଟିଫିସିଆଲ୍‌ ଇଣ୍ଟେଲିଜେନ୍ସ) ଦ୍ରୁତ ପ୍ରଗତି ଆଣିଛି । ଛୋଟ ଛୋଟ ପ୍ରୟାସଠୁ ଆରମ୍ଭ କରି ଏହି ଟେକ୍ନୋଲୋଜି ଏବେ ଜଟିଳ କାର୍ଯ୍ୟ ସମ୍ପାଦନ କରୁଛି । ଗାଣିତିକ ସମସ୍ୟା ସମାଧାନଠୁ ଆରମ୍ଭ କରି ରାଜନୈତିକ ଭାଷଣ ଲେଖୁଛି ଏଆଇ । ଏବେ ଅନୁସନ୍ଧାନକାରୀମାନେ ଏକ ଏଆଇ ଉପକରଣ ପ୍ରସ୍ତୁତ କରିଛନ୍ତି, ଯାହା ୩ ବର୍ଷ ପୂର୍ବରୁ ଅଗ୍ନାଶୟ କର୍କଟ ଆଶଙ୍କା ଥିବା ବ୍ୟକ୍ତିଙ୍କୁ ଚିହ୍ନଟ କରିବ । ନେଚର୍‌ ମେଡିସିନ୍‌ ପତ୍ରିକାରେ ଏହି ଅନୁସନ୍ଧାନ ପ୍ରକାଶ ପାଇଛି । 

ଅଗ୍ନାଶୟ କର୍କଟ ଏକ ଆକ୍ରାମକ ରୋଗ । ଏହାର ଚିହ୍ନଟ ମଧ୍ୟ କଷ୍ଟକର । ଏଥିରେ ପୀଡ଼ିତ ବ୍ୟକ୍ତିଙ୍କ ବଞ୍ଚିବା ସମ୍ଭାବନା କମ୍‌ । ତେଣୁ ଆରମ୍ଭରୁ ଏହାର ଚିହ୍ନଟ ପାଇଁ ଅପେକ୍ଷାକୃତ ଭଲ ଉପକରଣ ଆବଶ୍ୟକ । ଏହି ସ୍ଥିତିରେ ସଦ୍ୟ ଅନୁସନ୍ଧାନ ପ୍ରାରମ୍ଭିକ ଅବସ୍ଥାରେ ରୋଗ ଚିହ୍ନଟ ଏବଂ ବଞ୍ଚିବା ସମ୍ଭାବନା ବୃଦ୍ଧିକୁ ନେଇ ଆଶା ବ୍ୟକ୍ତ କରିଛି । ଏ କ୍ଷେତ୍ରରେ ଫଳପ୍ରଦ ପରିଣାମ ପାଇବା ଲାଗି ବୈଜ୍ଞାନିକ ଟିମ୍‌ ଡେନ୍‌ମାର୍କର ୬୦ ଲକ୍ଷ ଓ ଆମେରିକାର ୩୦ ଲକ୍ଷ ରୋଗୀଙ୍କ ଉପରେ ଏଆଇ ଆଲ୍‌ଗୋରିଦମ୍‌ ପ୍ରୟୋଗ କରିଥିଲେ । ଭବିଷ୍ୟତରେ କେଉଁ ରୋଗୀଙ୍କୁ ଅଗ୍ନାଶୟ କର୍କଟ ଆଶଙ୍କା ଅଧିକ ରହିଛି, ତା’ର ପୂର୍ବାନୁମାନ ଲାଗି ଏହି ମଡେଲ ରୋଗ କୋଡ୍‌ ଓ ସେଗୁଡ଼ିକ ଘଟିବାର ସମୟକୁ ପ୍ରୟୋଗ କରିଥିଲା । 

ଅନୁସନ୍ଧାନକାରୀ ଟିମ୍‌ରେ ସାମିଲ ଅନ୍ୟତମ ସଦସ୍ୟ ଓ ହାର୍ଭାର୍ଡ୍‌ ମେଡିକାଲ ସ୍କୁଲର ସିଷ୍ଟମ୍ସ ବାୟୋଲୋଜି ବିଭାଗର ଫାକଲ୍ଟି କ୍ରିସ୍‌ ସାନ୍‌ଡର୍ସ ଅଧ୍ୟୟନରେ ଉଲ୍ଲେଖ କରିଛନ୍ତି, ଏହି ରୋଗର ଅଧିକ ଆଶଙ୍କା ଥିବା ଲୋକଙ୍କୁ ଚିହ୍ନଟ କରିବା ହେଉଛି ଚିକିତ୍ସକମାନେ ସାମ୍ନା କରୁଥିବା ସବୁଠୁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି । ସାନ୍‌ଡର୍ସ କହିଛନ୍ତି, ଏହି ଏଆଇ ଉପକରଣ ଚିକିତ୍ସକଙ୍କ ନିଷ୍ପତ୍ତିକୁ ବଳ ଦେବ, ଆରମ୍ଭରୁ ରୋଗ ଚିହ୍ନଟ କରିବ, ଚିକିତ୍ସାରେ ସହାୟକ ହେବ ଏବଂ ଅପେକ୍ଷାକୃତ ଭଲ ପରିଣାମ ପ୍ରଦାନ କରିବ । ବର୍ତ୍ତମାନର ଜେନେଟିକ୍‌ ସିକ୍ୱେନ୍ସିଂ ପରୀକ୍ଷା ଭଳି ଏଆଇ ଉପକରଣ ସଠିକ୍‌ ଫଳ ପ୍ରଦାନ କରିଛି ବୋଲି ଅଧ୍ୟୟନ ସ୍ପଷ୍ଟ କରିଛି । ବିଶ୍ୱରେ କର୍କଟ ଜନିତ ମୃତ୍ୟୁର ଏକ ଗୁରୁତ୍ୱପୂର୍ଣ୍ଣ କାରଣ ହେଉଛି ଅଗ୍ନାଶୟ କର୍କଟ । ୮୦ ପ୍ରତିଶତ ରୋଗୀ ବିଳମ୍ବରେ ଅଗ୍ନାଶୟ କର୍କଟ ବିଷୟରେ ଜାଣିବାକୁ ପାଆନ୍ତି । ଏହି ସ୍ଥିତିରେ ବଞ୍ଚିବା ଆଶା ଅତି କ୍ଷୀଣ ହୋଇଯାଏ । ତେଣୁ ସଦ୍ୟ ବିକଶିତ ଏଆଇ ଉପକରଣ ଅପେକ୍ଷାକୃତ ଭଲ ସ୍କ୍ରିନିଂ, ଅଧିକ ପରୀକ୍ଷା ଓ ପ୍ରାରମ୍ଭିକ ରୋଗ ଚିହ୍ନଟରେ ସହାୟକ ହେବ ବୋଲି ସାନ୍‌ଡର୍ସ କହିଛନ୍ତି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.